ନବରଙ୍ଗପୁର/ ଡାବୁଗାଁ: ଚଳିତ ୨୦୨୬ ଆର୍ଥିକ ବର୍ଷର ସାର ଦୁର୍ନୀତି ଅଭିଯୋଗରେ ଡାବୁଗାଁ ଲ୍ୟାମ୍ପ ଭାରପ୍ରାପ୍ତ ଶାଖାପରିଚାଳକ ହରିବନ୍ଧୁ ମିର୍ଗାନ ନିଲମ୍ବିତ ହୋଇଛନ୍ତି । ସାର ଷ୍ଟକ୍ରେ ବ୍ୟାପକ ଅନିୟମିତତା, ଅର୍ଥ ହେରଫେର ଏବଂ ରେକର୍ଡ ରକ୍ଷଣାବେକ୍ଷଣରେ ଅବହେଳା ଅଭିଯୋଗରେ ସହକାରୀ ନିବନ୍ଧକ, ସମବାୟ ସମିତିଙ୍କ ପକ୍ଷରୁ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ ।
ନିଲମ୍ବନ ସହ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ନିର୍ଦ୍ଦେଶ ଦିଆଯାଇଛି । ଡାବୁଗାଁ ଲ୍ୟାମ୍ପ କର୍ମଚାରୀ ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ସାମୟିକ ଶାଖା ପରିଚାଳକ ଦାୟିତ୍ୱ ଦିଆଯାଇଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଲ୍ୟାମ୍ପସ୍ରେ ସାର ଷ୍ଟକ୍ ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ବଡ଼ ଧରଣର ଅନିୟମିତତା । ସାର ଷ୍ଟକ୍ରେ ବ୍ୟାପକ ଅଭାବ ସହ ରେକର୍ଡ ଓ ହିସାବପତ୍ର ରକ୍ଷଣାବେକ୍ଷଣରେ ଜାଣିଶୁଣି ଅବହେଳା ହୋଇଥିବା ଉଲ୍ଲେଖ କରିଛନ୍ତି ତଦନ୍ତକାରୀ ଟିମ୍ । ୩୨ ଲକ୍ଷ ୬୨ ହଜାର ଟଙ୍କାର ସାର୍ ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ନବରଙ୍ଗପୁର ଡିଆରସିଏସ୍ ଅନିଲ ପାଣିଗ୍ରାହୀ ଓ ଏଆରସିଏସ୍ ଶିବ ଶଙ୍କର ପ୍ରଧାନ ତଦନ୍ତ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ନିଳମ୍ବିତ କରାଯାଇଛି । । ନବରଙ୍ଗପୁର କେସିସି ବ୍ୟାଙ୍କ ଉମରକୋଟ ଶାଖା ପରିଚାଳକ ଏବଂ ଡାବୁଗାଁ ବ୍ଲକ୍ର ଫର୍ଟିଲାଇଜର ଇନ୍ସପେକ୍ଟରଙ୍କୁ ନେଇ ଗଠିତ ମିଳିତ ଯାଞ୍ଚ ଟିମ୍ର ଶାରୀରିକ ଷ୍ଟକ୍ ଯାଞ୍ଚ ଓ ରେକର୍ଡ ଯାଞ୍ଚ ପରେ ଏହି ଅନିୟମିତତା ଚିହ୍ନଟ ହୋଇଥିଲା ।
ଏହାପରେ ନବରଙ୍ଗପୁର ସହକାରୀ ନିବନ୍ଧକ, ସମବାୟ ସମିତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅର୍ଡର ନମ୍ବର ୧୯୦୦ରେ ନିଲମ୍ବିତ ଆଦେଶ ଜାରି କରାଯାଇଛି। ଏଥିରେ ଡାବୁଗାଁ ଲ୍ୟାମ୍ପସ୍ର ଭାରପ୍ରାପ୍ତ ଏମ୍.ଡି ହରିବନ୍ଧୁ ମିର୍ଗାନଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି। ସେହିପରି ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡାବୁଗାଁ ଲ୍ୟାମ୍ପସ୍ର ଭାରପ୍ରାପ୍ତ ଏମ୍ଡି ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ହୋଇଛି। ଉଭୟଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ଓ ଗ୍ରହଣ କରି ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଏହି ନିର୍ଦ୍ଦେଶର ନକଲ ଜିଲ୍ଲାପାଳ, ଡେପୁଟି ରେଜିଷ୍ଟ୍ରାର ଏବଂ ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟିଜ୍, ଓଡ଼ିଶାଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ ପଦକ୍ଷେପ ପାଇଁ ପଠାଯାଇଛି ।

