Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶୀତ ଅଧିବେଶନ; ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଶୀତ ଅଧିବେଶନ; ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ODIASpotNEWS 4 days ago

ଭୁବନେଶ୍ୱର; ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ। ଅପରାହ୍ନରେ ୨୦୨୬- ୨୭ ମସିହାର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏପଟେ ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇପାରେ । ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ ଦେଇଛି ବିଜେଡି ।

ଏହାସହ ଭତ୍ତା ସମସ୍ୟା, କୋଟିଆ, ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ, Mmdr, ମହାନଦୀ, ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ। ସେହିପରି ଶାସକ ଦଳ ସରକାରଙ୍କ ସଫଳତାକୁ ଉଠାଇବା ସହ ବିରୋଧୀଙ୍କ ସହ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।ଦିନ ୧୧ଟାରେ କାର୍ଯ୍ୟ ଆରମ୍ଭ ହେବ। ଶୋକ ପ୍ରସ୍ତାବ ପରେ ପରେ ପ୍ରଶ୍ନକାଳ ଆରମ୍ଭ ହେବ। ପ୍ରଶ୍ନକାଳରେ କୃଷି କୃଷକ ସଶକ୍ତିକରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ଶକ୍ତି, ବୟନ ଶିଳ୍ପ , ହସ୍ତତନ୍ତ ଓ ହସ୍ତଶିଳ୍ପ , MSME, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।
ବାତ୍ୟା ପରେ ଗଞ୍ଜାମ ଜିଲ୍ଲାରେ ଅଭୂତପୂର୍ବ ବନ୍ୟା ହେଲା । ବନ୍ୟା ପରିଚାଳନାରେ ରାଜ୍ୟ ସରକାର ବିଫଳ ହେଲେ ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ସେହିପରି କୋଟିଆ ପ୍ରସଙ୍ଗ ଓ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ବିରୋଧୀ ଘେରିବେ ସରକାରଙ୍କୁ । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଶୀତ ଅଧିବେଶନ ଏଥର ତତଲା ରହିବ ବୋଲି ଆଶା କରାଯାଉଛି । ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଓ ସବୁ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମଙ୍ଗଳବାର ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ । ଏଥିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡ଼ିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି । ଗଞ୍ଜାମ ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ । ଏବେ ବି ରିଲିଫ ସହାୟତା ପାଇବାରେ ଲୋକେ ହଇରାଣ ହେଉଛନ୍ତି । ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥିତ କରିଛି । ରାଜନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ସେ ନିନ୍ଦା କରିଛନ୍ତି । ସେହିପରି ଏମଏଡିଆର୍ ସଂଶୋଧନ ଦ୍ୱାରା ଓଡ଼ିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏହି କଳା ଆଇନକୁ ବିଜେଡି ବିରୋଧ ଜାରି ରହିବ ।

ଆନ୍ଧ୍ର ଓ ଓଡ଼ିଶାରେ ବିଜେପି ସରକାର ଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି । ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ । ବିଜେପି ସରକାର ଦାୟିତ୍ୱ ନେବା ଠାରୁ ରାଜ୍ୟରେ ଚାଷ ଓ ଚାଷୀ ଉଭୟ ଅବହେଳିତ । ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଭାରତ ଖାଦ୍ୟ ନିଗମ (ଏଫସିଆଇ) ଓଡ଼ିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ୱାରା ଚାଷୀ ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା ପେନ୍ସନ୍ କ୍ଷେତ୍ରରେ ସରକାର ଟାଳଟୁଳ ନୀତି କରୁଛନ୍ତି । ସେଥି ଯୋଗୁଁ ବୁଢାବୁଢୀମାନେ ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଅତ୍ୟାବଶ୍ୟକ ଜିନିଷପତ୍ର ଓ ପରିବାର ଅସ୍ୱାଭାବିକ ଦର ବୃଦ୍ଧି ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ପ୍ରସଙ୍ଗ ମଧ୍ୟ ଗୃହରେ ବିଜେଡି ଉଠାଇବ ବୋଲି ନବୀନ କହିଛନ୍ତି ।
ଏଥର ବିଧାନସଭାରେ କୋଟିଆ ସମସ୍ୟା, ଆନ୍ଧ୍ରର ଅନୁପ୍ରବେଶ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ଓ ଆଦିବାସୀଙ୍କ ଜଙ୍ଗଲ, ଜମି ଓ ଜଳ ଅଧିକାର ପ୍ରସଙ୍ଗ ଉଠାଇବ କଂଗ୍ରେସ । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏହାର ସୁରକ୍ଷା ପାଇଁ ସର୍ବଦଳୀୟ ଏକତା ଆବଶ୍ୟକ । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାରେ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇବ କଂଗ୍ରେସ । ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକ ପରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଓଡ଼ିଶାର ସ୍ୱାର୍ଥ ପାଇଁ କଂଗ୍ରେସ ଏକଜୁଟ ଅଛି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ବନ୍ୟା ଓ ବାତ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ କୋଟିଆ ସମସ୍ୟାକୁ ପ୍ରମୁଖତାର ସହ ଅନେକ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବ କଂଗ୍ରେସ । ଆଇନଶୃଙ୍ଖଳା ସ୍ଥିତିରେ ବିଫଳତା, ବହି ତ୍ରୁଟି ପ୍ରସଙ୍ଗରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଦରଦାମ ବୃଦ୍ଧି, ନିର୍ବାଚନ ଏବଂ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇବ କଂଗ୍ରେସ ।

ସେପଟେ ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ । ବିଧାନସଭା ଅଧିବେଶନକୁ ନେଇ ଶାସକ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ରଣନୀତି । ବିଜେପି ବିଧାୟକ ଦଳ ବୈଠକରେ ସରକାରଙ୍କ ଉପଲବ୍ଧି, ବିରୋଧୀ ଦଳ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ଉଠାଇବାକୁ ଥିବା ବେଳେ ଏହାର ଜବାବ ତଥ୍ୟ ଓ ପ୍ରମାଣ ସହ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି ବୋଲି ସଂସଦୀୟ ବ୍ୟପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ମଙ୍ଗଳବାର ବିଜେପିର ବିଧାୟକ ଦଳ ବୈଠକ ସରିବା ପରେ ଡ. ମହାଲିଙ୍ଗ କହିଥିଲେ, ବିରୋଧୀ ଦଳ ଯଦି କୌଣସି ଭ୍ରମାତ୍ମକ କିମ୍ବା ଅସତ୍ୟ ତଥ୍ୟ ଆଧାରରେ ପ୍ରସଙ୍ଗ ଉଠାନ୍ତି, ତେବେ ସରକାରଙ୍କ ପକ୍ଷରୁ ତାହାର ସତ୍ୟାସତ୍ୟ ଗୃହରେ ରଖାଯିବ । ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ତଥ୍ୟଭିତ୍ତିକ ଉତ୍ତର ଦେବାକୁ ସରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS