Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା

ODIASpotNEWS 1 week ago

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ (RoR) ସଂଶୋଧନ କାର୍ଯ୍ୟ ଉଲ୍ଲେଖନୀୟ ସଫଳତାର ସହ ଅଗ୍ରସର ହୋଇଛି।ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାର ବିଭିନ୍ନ ତହସିଲରେ ମୋଟ ୭୯୬ଟି ଖାତାରେ ୪୭୨୮.୩୫୭ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି।

ସେଥିମଧ୍ୟରୁ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ (RoR) ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ସମନ୍ୱିତ ଭାବେ କାର୍ଯ୍ୟ କରି ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଅବଶିଷ୍ଟ ଖାତାଗୁଡ଼ିକର ରେକର୍ଡ ସଂଶୋଧନ କାର୍ଯ୍ୟକୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଶୀଘ୍ର ସମାପ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର। ଏହି ଦିଗରେ ସମସ୍ତ ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଏହି ସଫଳ ପ୍ରୟାସ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ମଧ୍ୟ ଏକ ଉତ୍ତମ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା, ସ୍ୱଚ୍ଛ ରାଜସ୍ୱ ପ୍ରଶାସନ ଏବଂ ଭବିଷ୍ୟତରେ ଜମି ସମ୍ବନ୍ଧୀୟ ବିବାଦ ରୋକିବା ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ଯ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଟିମକୁ ସାଧୁବାଦ ଜଣେଇଛନ୍ତି। ପ୍ରକାଶ ଥାଉକି ରାଜସ୍ବ ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ଯାଣ୍ଡ ସେଲ୍ ଖୋଲିବା ପରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS