Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟାଟା ପାୱାର ପକ୍ଷରୁ 'ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦' ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ ନଗଦ ପୁରସ୍କାର ଓ ୨୦୨୭ କ୍ୟାଲେଣ୍ଡରରେ ସ୍ଥାନ

ଟାଟା ପାୱାର ପକ୍ଷରୁ 'ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦' ପ୍ରତିଯୋଗିତା ଆରମ୍ଭ; ବିଜେତାଙ୍କୁ ମିଳିବ ନଗଦ ପୁରସ୍କାର ଓ ୨୦୨୭ କ୍ୟାଲେଣ୍ଡରରେ ସ୍ଥାନ

Odisha 24 1 week ago

ଭୁବନେଶ୍ୱର, ଓଡ଼ିଶା । ଅଗଷ୍ଟ ୨୦୨୬: ରାଜ୍ୟ ସରକାରଙ୍କ ସହଭାଗୀତାରେ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କାର୍ଯ୍ୟ ପରିଚାଳନା କରୁଥିବା ଭାରତର ଅଗ୍ରଣୀ ସମନ୍ୱିତ ଶକ୍ତି କମ୍ପାନୀ ଟାଟା ପାୱାର ପକ୍ଷରୁ ଏହାର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ 'ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୪.୦' ଘୋଷଣା କରାଯାଇଛି। ରାଜ୍ୟର ଅଦେଖା ଓ ଅନନ୍ୟ ରୂପକୁ ନିଜ ଲେନ୍ସରେ କଏଦ କରିବା ଲାଗି କମ୍ପାନୀ ଫଟୋଗ୍ରାଫର ଏବଂ ଫଟୋପ୍ରେମୀମାନଙ୍କୁ ଆମନ୍ତ୍ରିତ କରିଛି।

ଚଳିତ ବର୍ଷର ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ରହିଛି 'ହିଡେନ୍ ଟ୍ରେଜର୍ସ ଅଫ୍ ଓଡ଼ିଶା', ଯାହା ରାଜ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଅନେକ ଅଜଣା ଦିଗକୁ ଲୋକଲୋଚନକୁ ଆଣିବା ଉପରେ ଗୁରୁତ୍ୱ ଦିଏ। ଐତିହ୍ୟ, ପରମ୍ପରା, କଳା ଓ ସ୍ଥାପତ୍ୟ ଠାରୁ ଆରମ୍ଭ କରି ପ୍ରାକୃତିକ ପରିବେଶ, ଲୋକଜୀବନ, ଅଜଣା କାହାଣୀ ଏବଂ ଅପରିଚିତ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ - ସାଧାରଣ ପର୍ଯ୍ୟଟକଙ୍କ ନଜରରୁ ଦୂରରେ ଥିବା ଓଡ଼ିଶାର ପ୍ରକୃତ ରୂପକୁ ନିକଟରୁ ଦେଖିବା ପାଇଁ ଏହି ପ୍ରତିଯୋଗିତା ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛି।
ଅଂଶଗ୍ରହଣକାରୀମାନେ ନିଜ ଫଟୋଗ୍ରାଫ୍ ମାଧ୍ୟମରେ ଏହି ବିଷୟବସ୍ତୁକୁ ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିପାରିବେ ଏବଂ ରାଜ୍ୟର ବିବିଧ ସାଂସ୍କୃତିକ ତଥା ପ୍ରାକୃତିକ ସ୍ୱରୂପ ଉପରେ ମୌଳିକ ଓ ସୃଜନଶୀଳ ଦୃଷ୍ଟିକୋଣ ପ୍ରକାଶ କରିପାରିବେ। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ସମୃଦ୍ଧତାକୁ ଏକ ସୁନ୍ଦର ଦୃଶ୍ୟମାନ କାହାଣୀ ରୂପରେ ତୋଳି ଧରିବା ସହ ଫଟୋଗ୍ରାଫରମାନଙ୍କୁ ସେମାନଙ୍କର ସୃଜନଶୀଳତା ଏବଂ କାହାଣୀ ବର୍ଣ୍ଣନା କରିବାର ଦକ୍ଷତା ପ୍ରଦର୍ଶନ କରିବାକୁ ଏକ ଉପଯୁକ୍ତ ସୁଯୋଗ ଯୋଗାଇଦେବା।
ଏହି ପ୍ରତିଯୋଗିତା ମାଧ୍ୟମରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକର ୨୦୨୭ କ୍ୟାଲେଣ୍ଡର ପାଇଁ ୧୩ଟି ଫଟୋଚିତ୍ର ବଛାଯିବ, ଯେଉଁଥିରେ ୧୨ଟି ମାସ ପାଇଁ ୧୨ଟି ଏବଂ କଭର୍ ପେଜ୍ (ମୁଖପୃଷ୍ଠା) ପାଇଁ ଗୋଟିଏ ଫଟୋ ସ୍ଥାନ ପାଇବ। ନିର୍ବାଚିତ ଫଟୋଗୁଡ଼ିକ ଯେଉଁଠାରେ ବ୍ୟବହୃତ ହେବ, ସେଠାରେ ସମ୍ପୃକ୍ତ ଫଟୋଗ୍ରାଫରମାନଙ୍କୁ ଉପଯୁକ୍ତ ଶ୍ରେୟ (କ୍ରେଡିଟ୍‌) ପ୍ରଦାନ କରାଯିବ। ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଏବଂ ଅଫିସିଆଲ କାର୍ଯ୍ୟରେ ବ୍ୟବହାର ଲାଗି ଫଟୋ ମନୋନୀତ ହୋଇଥିବା କୃତୀ ବିଜେତାମାନଙ୍କୁ ସମ୍ମାନଜନକ ଆକର୍ଷଣୀୟ ନଗଦ ପୁରସ୍କାର ମଧ୍ୟ ଦିଆଯିବ।
ଫଟୋଗୁଡ଼ିକର କମ୍ପୋଜିସନ୍‌, ସୃଜନଶୀଳତା, ମୌଳିକତା, ପ୍ରାମାଣିକତା, କାହାଣୀ ବର୍ଣ୍ଣନା ଏବଂ ମୂଳ ବିଷୟବସ୍ତୁ ସହିତ ସାମଞ୍ଜସ୍ୟ ଭଳି ପ୍ରମୁଖ ମାନଦଣ୍ଡ ଉପରେ ଆଧାର କରି ମୂଲ୍ୟାଙ୍କନ କରାଯିବ। ଏକ ଲାଇଭ୍ କାର୍ଯ୍ୟକ୍ରମ (ପ୍ରତ୍ୟକ୍ଷ ସମାରୋହ) ମାଧ୍ୟମରେ ବିଜେତାମାନଙ୍କ ନାମ ଘୋଷଣା କରାଯିବ, ଯେଉଁଠାରେ ଫଟୋଗ୍ରାଫରମାନଙ୍କୁ ତଥା ସେମାନଙ୍କ ନିର୍ବାଚିତ ଫଟୋରେ ପ୍ରତିଫଳିତ ସ୍ୱତନ୍ତ୍ର କାହାଣୀ ଏବଂ ନିଆରା ଦୃଷ୍ଟିକୋଣକୁ ଉତ୍ସବ ଭାବେ ସମ୍ମାନିତ କରାଯିବ।
ଅଂଶଗ୍ରହଣ ପାଇଁ ନିୟମାବଳୀ ଓ ସର୍ତ୍ତଗୁଡ଼ିକ:
୧. ଫଟୋ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି ୨୦ ସେପ୍େଟମ୍ବର ୨୦୨୬।
୨. ପ୍ରତ୍ୟେକ ଫଟୋର ଫାଇଲ୍ ଆକାର ସର୍ବାଧିକ ୧୦ ଏମ୍‌ବି ମଧ୍ୟରେ ରହିବା ଆବଶ୍ୟକ।
୩. କେବଳ ନିର୍ଦ୍ଧାରିତ ପ୍ରତିଯୋଗିତା ଲିଙ୍କ୍ ଜରିଆରେ ହିଁ ଫଟୋ ଅପଲୋଡ୍ କରିବାକୁ ହେବ। ଅଂଶଗ୍ରହଣକାରୀମାନେ ନିଜ ନାମ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ସହର ଏବଂ ଫଟୋ ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ସହ ଫଟୋ ପଠାଇବା ଜରୁରୀ।
୪. ପ୍ରତିଯୋଗିତା ପାଇଁ କେବଳ ରଙ୍ଗୀନ ଫଟୋ ଗ୍ରହଣଯୋଗ୍ୟ। ଟୋନ୍ କରାଯାଇଥିବା ଛବି ସମେତ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋଗୁଡ଼ିକ ପ୍ରତିଯୋଗିତାରୁ ବାଦ୍ ଦିଆଯିବ।
୫. ସମସ୍ତ ଫଟୋ ଅଂଶଗ୍ରହଣକାରୀଙ୍କର ନିଜସ୍ୱ ହୋଇଥିବା ବାଞ୍ଛନୀୟ ଏବଂ ପ୍ରତିଯୋଗୀ ହିଁ ଉକ୍ତ ଫଟୋର ଏକମାତ୍ର କପିରାଇଟ୍ ଅଧିକାରୀ ହୋଇଥିବା ଆବଶ୍ୟକ।
୬. ଫଟୋଗୁଡ଼ିକ ସମ୍ପୂର୍ଣ୍ଣ ମୌଳିକ ତଥା ପୂର୍ବରୁ ଅପ୍ରକାଶିତ ହୋଇଥିବା ଉଚିତ। ଏଥିରେ କୌଣସି ତୃତୀୟ ପକ୍ଷର ବିଷୟବସ୍ତୁ, ଉପାଦାନ ବ୍ୟବହୃତ ହୋଇନଥିବା ଆବଶ୍ୟକ କିମ୍ବା ଏହା ଅନ୍ୟ କାହାର ପ୍ରଚାର, ବ୍ୟକ୍ତିଗତ ଗୋପନୀୟତା କିମ୍ବା ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଉଲ୍ଲଂଘନ କରୁନଥିବା ଆବଶ୍ୟକ।
୭. ସମସ୍ତ ପ୍ରଚଳିତ ଆଇନ ଓ ସରକାରୀ ନିୟମକୁ ପାଳନ କରି ଫଟୋ ଉତ୍ତୋଳନ କରାଯାଇଥିବା ଉଚିତ।
୮. ପ୍ରତିଯୋଗିତାରେ ମନୋନୀତ ହେଲେ ଅଂଶଗ୍ରହଣକାରୀମାନଙ୍କୁ ଉକ୍ତ ଫଟୋର ହାଇ-ରିଜୋଲ୍ୟୁସନ୍ ଡିଜିଟାଲ୍ ଫାଇଲ୍ ଦେବାକୁ ପଡ଼ିବ।
୯. ପୂର୍ବ ସଂସ୍କରଣରେ ଭାଗ ନେଇଥିବା ପ୍ରତିଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ, କିନ୍ତୁ ସେମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଫଟୋ ପଠାଇବାକୁ ହେବ। ପୂର୍ବରୁ ପଠାଯାଇଥିବା ଫଟୋ ବିଚାରକୁ ନିଆଯିବ ନାହିଁ।
୧୦. ପ୍ରତ୍ୟେକ ବିଜେତାଙ୍କୁ ଆଇନଗତ ଟିମ୍ ଦ୍ୱାରା ଯାଞ୍ଚ ହୋଇଥିବା ଏକ ଘୋଷଣାନାମାରେ ସ୍ୱାକ୍ଷର କରିବାକୁ ହେବ, ଯେଉଁଥିରେ ଫଟୋଟି ତାଙ୍କର ନିଜସ୍ୱ ମୌଳିକ ସୃଷ୍ଟି ଏବଂ ଏଥିରେ କୌଣସି ଫିଲ୍ଟର୍ କିମ୍ବା ଏଆଇ ସହାୟତାରେ ପରିବର୍ତ୍ତନ କରାଯାଇନାହିଁ ବୋଲି ପ୍ରମାଣିତ ହେବ।
୧୧. ଚୟନ ପରେ, ନିର୍ବାଚିତ ଫଟୋଗୁଡ଼ିକ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ର ସମ୍ପତ୍ତି ଭାବେ ଗଣ୍ୟ ହେବ ଏବଂ କମ୍ପାନୀ ନିଜର ଅଫିସିଆଲ୍ ପ୍ରକାଶନ, କ୍ୟାଲେଣ୍ଡର, ପ୍ରଚାର ଅଭିଯାନ, ଡିଜିଟାଲ୍ ପ୍ଲାଟଫର୍ମ, ସୋସିଆଲ୍ ମିଡିଆ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମରେ ଏହାକୁ ବ୍ୟବହାର କରିବାର ସମ୍ପୂର୍ଣ୍ଣ ଅଧିକାର ପାଇବ। ପ୍ରକାଶନର ମାଧ୍ୟମ ଓ ସ୍ୱରୂପ ଅନୁଯାୟୀ ଫଟୋ ବ୍ୟବହୃତ ହେଉଥିବା ପ୍ରତ୍ୟେକ ସ୍ଥାନରେ ଫଟୋଗ୍ରାଫରମାନଙ୍କୁ ଯଥାଯୋଗ୍ୟ ଶ୍ରେୟ (କ୍ରେଡିଟ୍‌) ପ୍ରଦାନ କରାଯିବ।
୧୨. ବିଜେତାମାନଙ୍କୁ ଦିଆଯାଉଥିବା ନଗଦ ପୁରସ୍କାର ରାଶି ଏହି ପ୍ରତିଯୋଗିତାରେ ସେମାନଙ୍କ ଯୋଗଦାନ ଏବଂ ଅଫିସିଆଲ ବ୍ୟବହାର ପାଇଁ ଫଟୋ ଚୟନ ହେବାର ଏକ ସ୍ୱୀକୃତି ସ୍ୱରୂପ ହେବ। ଏଥିରେ ଭାଗ ନେବା ଦ୍ୱାରା, ପ୍ରତିଯୋଗୀମାନେ ନିର୍ବାଚିତ ଫଟୋର ବ୍ୟବହାର ଓ ମାଲିକାନା ସମ୍ବନ୍ଧୀୟ ନିୟମରେ ରାଜି ଥିବା ବିବେଚନା କରାଯିବ ଏବଂ ଆୟୋଜକଙ୍କ ଦ୍ୱାରା ଆବଶ୍ୟକ ସମସ୍ତ ଘୋଷଣାପତ୍ର ଓ ସମ୍ମତି ପ୍ରଦାନ କରିବାକୁ ବାଧ୍ୟ ରହିବେ।

ଭୁବନେଶ୍ୱର: ଡାବର ଆମଲା ହେୟାର ଅଏଲ୍ ପକ୍ଷରୁ ଲୋକପ୍ରିୟ ଗାୟିକା ଯୁଗଳ ଅନ୍ତରା ନନ୍ଦୀ ଏବଂ ଅଙ୍କିତା ନନ୍ଦୀଙ୍କୁ ନେଇ "କେୟାର୍ ୱାହାଁ ଜହାଁ ଡାବର ଆମଲା,

ଭୁବନେଶ୍ୱର: ମୌସୁମୀ ଋତୁର ଆଗମନ ସହ ଡେଙ୍ଗୁ, ମାଲେରିଆ, ଜ୍ୱର ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏହାକୁ ନଜରରେ ରଖି ଷ୍ଟାର୍ ହେଲ୍‌ଥ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha 24 odia