ଭୁବନେଶ୍ୱର: ରାଜ୍ୟ ଘରୋଇ ବସ ମାଲିକ ସଂଘ ଆଜି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଗାମୀ ୧୦ ଦିନ ଭିତରେ ବସ୍ ଭଡ଼ା ବଢ଼ାଅ। ନହେଲେ ସମଗ୍ର ରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସଂଘର ସାଧାରଣ ସମ୍ପାଦକ ଏହି ଚରମବାଣୀ ଶୁଣାଇ ଦେଇଛନ୍ତି।
ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ପ୍ରତିଦିନ ଡିଜେଲ ଦଲ ବୃଦ୍ଧି ପାଉଛି।
ଯାହାର ପ୍ରଭାବ ବସ୍ ମାଲିକଙ୍କ ଉପରେ ପଡ଼ୁଛି। ଯଦି ବସ ଭଡ଼ା ବୃଦ୍ଧି କରାନଯାଏ, ତାହାହେଲେ ସେହି ବୋଝ ମାଲିକଙ୍କ ଉପରେ ପଡୁଛି। ସେଥିରୁ ମୁକୁଳିବା ପାଇଁ ଯଥାଶୀଘ୍ର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରାନ୍ତୁ। ନହେଲେ ବସ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ସଂଘ କହିଛି। ବସ୍ ଚଳାଚଳ ବନ୍ଦ ହେଲେ ବିଶେଷ କରି ଛାତ୍ରଛାତ୍ରୀ, ଅଫିସ୍ ଯାଉଥିବା ଲୋକ ଓ ଗ୍ରାମାଞ୍ଚଳର ଯାତ୍ରୀମାନେ ବେଶୀ ପ୍ରଭାବିତ ହେବେ।
ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆମର ନିଷ୍ପତ୍ତି ସ୍ପଷ୍ଟ। ଯଦି ବସ୍ ଭଡ଼ା ନବଢ଼େ, ତାହାହେଲେ ଆମେ ବସ୍ ଚଳାଇବାକୁ ଅସମର୍ଥ। ଆମେ ସରକାରଙ୍କୁ ଏହି ସମସ୍ୟାର ସମାଧାନ ଖୋଜିବାକୁ ଅନୁରୋଧ କରୁଛୁ। ନଚେତ୍ ଆମ ପାଖରେ କୌଣସି ବିକଳ୍ପ ରହିବ ନାହିଁ।
ଶ୍ରୀ ସାହୁ କହିଛନ୍ତି, ପୂର୍ବରୁ ଆମେ ୧୩ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲୁ। ଡିଜେଲ ଦର ବୃଦ୍ଧି ହେଲେ ଭଡ଼ା ବଢ଼ାଇବା ପାଇଁ ଅନୁରୋଧ କରି ସ୍ମାରକପତ୍ର ପ୍ରଦାନ କରିଥିଲୁ। କିନ୍ତୁ ସରକାର ଡିଜେଲ ଦରରେ ମାତ୍ର ୨% ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଅନ୍ୟ ୧୩ଟି ଦାବି ଏପର୍ୟ୍ୟନ୍ତ ପୂରଣ ହୋଇନି। ଏଭଳି ଜଟିଳ ପରିସ୍ଥିତିରେ କୌଣସି ବସ୍ ମାଲିକ ନିଜ ବସ୍ ଚଳାଇବାକୁ ପ୍ରସ୍ତୁତ ନାହାନ୍ତି। ଆଜି ଆମେ ଆଉ ଏକ ସ୍ମାରକପତ୍ର ପ୍ରଦାନ କରୁଛୁ। ଯେଉଁଥିରେ ଉଲ୍ଲେଖ ରହିଛି ଯଦି ୧୦ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ଆମେ ବସ୍ ଚଳାଚଳ ବନ୍ଦ କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏପରି ଚେତାବନୀ ପରେ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ହେଲେ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଦାବି ପୂରଣ ବା କଥାବାର୍ତ୍ତା ପାଇଁ ବସ ମାଲିକ ସଂଘ ସହିତ ଆଲୋଚନା କରିନାହାନ୍ତି। ସେପଟେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସଂଘ ସରକାରଙ୍କୁ ଅନୁରୋଧ କରିଛି।

