Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଗସ୍ତ କରିବେ। ଜଳ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ମିଳନୀରେ ସେ ଯୋଗଦେବେ। ଜଳ ସୁରକ୍ଷା ଓ 'ବିକଶିତ ଭାରତ ୨୦୪୭' ଲକ୍ଷ୍ୟ ପାଇଁ କେନ୍ଦ୍ର ସରକାର ଏହି ସମ୍ମିଳନୀକୁ 'ଟିମ୍ ଇଣ୍ଡିଆ'ର ଏକ ମିଳିତ ପ୍ରୟାସ ଭାବେ ଦେଖୁଛନ୍ତି।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରଥମ ବିଭାଗୀୟ ସମ୍ମିଳନୀ ସେପ୍ଟେମ୍ବର ୧ ଓ ୨ ତାରିଖରେ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀମାନେ ଯୋଗଦେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମାଝୀ ବୁଧବାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେହିଦିନ ଭୁବନେଶ୍ୱର ଫେରିବେ।

ଏହି ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟ ରହିଛି। ବିଭିନ୍ନ ରାଜ୍ୟ ସେମାନଙ୍କ ଅନୁଭୂତି, ଯୋଜନା ଓ କାର୍ଯ୍ୟପନ୍ଥା ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିବେ। ଏହା ଦ୍ୱାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜଳ ସମ୍ପର୍କିତ ବିଭିନ୍ନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ।

ଓଡ଼ିଶା ପାଇଁ ଏହି ବୈଠକ ଅଧିକ ଗୁରୁତ୍ୱ ବହନ କରୁଛି। ରାଜ୍ୟର ଭୌଗୋଳିକ ସ୍ଥିତି, କୃଷି ଉପରେ ନିର୍ଭରଶୀଳ ଅର୍ଥନୀତି ଏବଂ ବାରମ୍ବାର ଦେଖାଦେଉଥିବା ଜଳ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି। ଏହାସହ ବକେୟା ଥିବା ବଡ଼ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା, ବନ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ପ୍ୟାକେଜ୍‌ ଦେବା ଏବଂ ଜଳ ଜୀବନ ମିଶନର ଲକ୍ଷ୍ୟ ପୂରଣ ପାଇଁ ଅତିରିକ୍ତ ଅର୍ଥ ଓ ବୈଷୟିକ ସହାୟତା ଦାବି କରିପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରର କିଛି ମନ୍ତ୍ରୀଙ୍କ ସହ ଅଲଗା ବୈଠକ ହେବାର ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଥିରେ ସବୁଠାରୁ ଅଧିକ ନଜର ରହିଛି ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦ ଉପରେ। ଛତିଶଗଡ଼ ସହ କେନ୍ଦ୍ରର ମଧ୍ୟସ୍ଥତାରେ ନିକଟରେ ଆଲୋଚନା ହେବା ସହ ଏହାର ବୈଷୟିକ ପ୍ରକ୍ରିୟା ଆଗକୁ ବଢ଼ୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିପାରେ ବୋଲି ଭୁବନେଶ୍ୱରର ରାଜନୈତିକ ମହଲରେ ଆଶା କରାଯାଉଛି। ତେବେ ଏନେଇ କୌଣସି ସ୍ୱତନ୍ତ୍ର ଦ୍ୱିପାକ୍ଷିକ ବୈଠକ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ସମ୍ମିଳନୀ ସମୟରେ ମହାନଦୀ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar