Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩୫ ବର୍ଷର ଅଭିଜ୍ଞତା, ବିଜୟ ମିଶ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ, ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଲେ

୩୫ ବର୍ଷର ଅଭିଜ୍ଞତା, ବିଜୟ ମିଶ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ, ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଲେ

ଭୁବନେଶ୍ୱର: ପୂର୍ବତଟ ରେଳପଥରେ ନୂଆ ଦାୟିତ୍ୱ ନେଲେ ବରିଷ୍ଠ ରେଳ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର। ଭାରତୀୟ ରେଳ ଆକାଉଣ୍ଟସ ସର୍ଭିସ୍‌ (IRAS)ର ୧୯୯୧ ବ୍ୟାଚ୍‌ର ଅଧିକାରୀ ଶ୍ରୀ ମିଶ୍ର ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ (Additional General Manager) ଭାବେ ଯୋଗଦେଇଛନ୍ତି।

ରେଳ ଆର୍ଥିକ ପରିଚାଳନା, ପ୍ରକଳ୍ପ ପରିଚାଳନା, ଟ୍ରେନ୍ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।

ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ଦାୟିତ୍ୱ ତୁଲାଇଛନ୍ତି।

ପ୍ରମୁଖ ଆର୍ଥିକ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ:

ଅତିରିକ୍ତ ମହାପ୍ରବନ୍ଧକ ଦାୟିତ୍ୱ ସହ ଶ୍ରୀ ମିଶ୍ର ବର୍ତ୍ତମାନ ପୂର୍ବତଟ ରେଳପଥର ପ୍ରମୁଖ ଆର୍ଥିକ ପରାମର୍ଶଦାତା (PFA) ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହି ଦାୟିତ୍ୱରେ ସେ ଆକାଉଣ୍ଟସ, ଫାଇନାନ୍ସ, ବଜେଟ୍ ପରିଚାଳନା ଏବଂ ଆଭ୍ୟନ୍ତରୀଣ ଅଡିଟ୍‌ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ନେତୃତ୍ୱ ନେଉଛନ୍ତି।

ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ଅଧିକ ଆୟ କରୁଥିବା ଜୋନ୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେଣୁ ତାଙ୍କର ଆର୍ଥିକ ପରିଚାଳନା ଓ ପ୍ରଶାସନିକ ଅଭିଜ୍ଞତା ଏହି ଜୋନ୍‌ ପାଇଁ ଗୁରୁତ୍ୱ ବହନ କରିବ।

ତିନସୁକିଆ DRM ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି:

ଏହା ପୂର୍ବରୁ ଶ୍ରୀ ବିଜୟ କୁମାର ମିଶ୍ର ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରେଳବାଇର ତିନସୁକିଆ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (DRM) ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ରେଳବାଇର ଏକ ଚ୍ୟାଲେଞ୍ଜିଂ ମଣ୍ଡଳରେ ସେ ପ୍ରଶାସନିକ ଓ ପରିଚାଳନାଗତ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।

ଏହାସହ ଡେପୁଟେସନ୍‌ରେ ସେ IRCON International Limitedର କୁଆଲାଲାମ୍ପୁର ପ୍ରକଳ୍ପରେ ପ୍ରୋଜେକ୍ଟ ଫାଇନାନ୍ସ ହେଡ୍‌ ଭାବେ କାମ କରିଥିଲେ। ସେଠାରେ ଆନ୍ତର୍ଜାତୀୟ ସ୍ତରର ବୃହତ୍ ରେଳ ପ୍ରକଳ୍ପର ଆର୍ଥିକ ପରିଚାଳନାରେ ନେତୃତ୍ୱ ଦେଇଥିଲେ।

ଶିକ୍ଷାଗତ ଯୋଗ୍ୟତା:

ଶ୍ରୀ ମିଶ୍ର ଆଇଆଇଟି (ISM), ଧନବାଦରୁ ଆପ୍ଲାଏଡ୍ ଜିଓଲୋଜିରେ ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛନ୍ତି। ଏହାସହ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟିର ଲି କୁଆନ୍ ୟୁ ସ୍କୁଲ୍ ଅଫ୍ ପବ୍ଲିକ ପଲିସିରୁ ପବ୍ଲିକ ପଲିସିରେ ମାଷ୍ଟର୍ସ (MPP) ଡିଗ୍ରୀ ହାସଲ କରିଛନ୍ତି।

ଏହା ବ୍ୟତୀତ ଲଣ୍ଡନ ଓ ପ୍ୟାରିସର ୟୁରୋପୀୟ ସ୍କୁଲ୍ ଅଫ୍ ବିଜନେସରେ ଆର୍ଥିକ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ନେଇଥିବା ବେଳେ ଚୀନର ବେଜିଂ ଜିଆଓଟୋଙ୍ଗ ବିଶ୍ୱବିଦ୍ୟାଳୟରେ ହେଭି ହଲ୍ ରେଳ ଟେକ୍ନୋଲୋଜି ଉପରେ ମଧ୍ୟ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ରେଳ ପ୍ରଶାସନ, ଆର୍ଥିକ ପରିଚାଳନା, ବୃହତ୍ ରେଳ ପ୍ରକଳ୍ପ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ତାଙ୍କର ଏହି ଅଭିଜ୍ଞତା ପୂର୍ବତଟ ରେଳପଥର କାର୍ଯ୍ୟକ୍ଷମତା, ଆର୍ଥିକ ପରିଚାଳନା ଓ ପ୍ରଶାସନିକ ଦକ୍ଷତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar