ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନନ୍ଦ ସେଣ୍ଟ୍ ଲୁଇସ୍ରେ ଇତିହାସ ରଚି ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ଏହି ଟ୍ରଫି ଜିତିବାରେ ସେ ପ୍ରଥମ ଭାରତୀୟ ଚେସ୍ ଖେଳାଳି ହୋଇଛନ୍ତି।
ଫାଇନାଲ୍ ମୁକାବିଲାର ଶେଷ ଦିନରେ ବର୍ତ୍ତମାନର ଚାମ୍ପିୟନ୍ ଫାବିଆନୋ କାରୁଆନାଙ୍କଠାରୁ ୬ ପଏଣ୍ଟ ପଛରେ ଥିଲେ ମଧ୍ୟ ପ୍ରଜ୍ଞାନନନ୍ଦ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି।
୩-୯ ସ୍କୋରରୁ ବିଜୟ ପର୍ଯ୍ୟନ୍ତ: କ୍ଲାସିକାଲ୍ ମ୍ୟାଚ୍ ପରେ ପ୍ରଜ୍ଞାନନନ୍ଦ ୩-୯ ସ୍କୋରରେ ପଛରେ ଥିଲେ। ଏହାପରେ ଟାଇଟଲ୍ ଜିତିବାର ତାଙ୍କ ଆଶା ପ୍ରାୟ ଶେଷ ହୋଇଯାଇଥିଲା। କିନ୍ତୁ ପ୍ରଜ୍ଞାନନ୍ଦ ହାର ମାନିନଥିଲେ ଏବଂ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ।
ସେ ଲଗାତାର ଦୁଇଟି ରାପିଡ୍ ଗେମ୍ ଜିତି ସ୍କୋରକୁ ୧୧-୯ କରିଦେଇଥିଲେ। ଏହାପରେ କାରୁଆନା ବ୍ଲିଟ୍ଜର ଦ୍ୱିତୀୟ ମୁକାବିଲା ଜିତି ସ୍କୋରକୁ ୧୨-୧୨ରେ ସମାନ କରିଥିଲେ। କିନ୍ତୁ ପ୍ରଜ୍ଞାନନ୍ଦ ତୃତୀୟ ବ୍ଲିଟ୍ଜ ମ୍ୟାଚ୍ ଜିତି ପୁଣିଥରେ ଆଗୁଆ ହୋଇଥିଲେ।
ଶେଷ ମୁକାବିଲାରେ ପ୍ରଜ୍ଞାନନ୍ଦଙ୍କୁ କେବଳ ଡ୍ର'ର ଆବଶ୍ୟକତା ଥିଲା। ସେ ଥ୍ରୀ-ଫୋଲ୍ଡ ରିପିଟିସନ୍ ମାଧ୍ୟମରେ ଡ୍ର' ହାସଲ କରି ଟାଇଟଲ୍ ନିଜ ନାମରେ ପକ୍କା କରିଥିଲେ।
ଫାଇନାଲ୍ର ୬ଟି ମୁକାବିଲାରେ ପ୍ରଜ୍ଞାନନ୍ଦ ୩ଟିରେ ବିଜୟ, ୨ଟି ଡ୍ର' ଏବଂ ମାତ୍ର ଗୋଟିଏ ମ୍ୟାଚ୍ରେ ପରାଜୟ ବରଣ କରିଥିଲେ।
ଏହି ଐତିହାସିକ ବିଜୟ ପରେ ପ୍ରଜ୍ଞାନନ୍ଦ କହିଛନ୍ତି ଯେ ୬ ପଏଣ୍ଟର ବ୍ୟବଧାନକୁ ପୂରଣ କରିବା ସହଜ ନଥିଲା। କିନ୍ତୁ ଗତ ବର୍ଷ ତୁଳନାରେ ତାଙ୍କ ରାପିଡ୍ ଏବଂ ବ୍ଲିଟ୍ଜ ଖେଳରେ ଆସିଥିବା ସୁଧାର ଏହି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି।
ଆର୍. ପ୍ରଜ୍ଞାନନ୍ଦଙ୍କୁ ମିଳିଲା କେତେ ଟଙ୍କା: ଏହି ଟାଇଟଲ୍ ବିଜୟ ୨୦୨୬ରେ ପ୍ରଜ୍ଞାନନ୍ଦଙ୍କ ପାଇଁ ଆଉ ଏକ ବଡ଼ ସଫଳତା। ଗ୍ରାଣ୍ଡ ଚେସ୍ ଟୁର୍ ଟାଇଟଲ୍ ଜିତିବା ପରେ ତାଙ୍କୁ ବିଜେତା ଭାବେ ୨ ଲକ୍ଷ ଡଲାର, ଅର୍ଥାତ୍ ପ୍ରାୟ ୧ କୋଟି ୯୧ ଲକ୍ଷ ଟଙ୍କା ପୁରସ୍କାର ମିଳିଛି।
ଏହା ସହିତ ସେ ୨୦୨୭ ଗ୍ରାଣ୍ଡ ଚେସ୍ ଟୁର୍ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ଏହା ବ୍ୟତୀତ ୨୦୨୬ର ସମ୍ପୂର୍ଣ୍ଣ ସର୍କିଟ୍ରେ ପ୍ରଜ୍ଞାନନ୍ଦ ମୋଟ ୪,୦୪,୩୫୪ ଡଲାର, ଅର୍ଥାତ୍ ପ୍ରାୟ ୪ କୋଟି ଟଙ୍କା ପ୍ରାଇଜ୍ ମନି ଜିତିଛନ୍ତି।

