ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାରଠାରୁ ୪ ଦିନିଆ ଉଜବେକିସ୍ତାନ ଓ କିର୍ଗିଜ୍ ରିପବ୍ଲିକ୍ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ବୈଠକରେ ବୈଦେଶିକ ମନ୍ତ୍ରଣାଳୟର ସଚିବ ସିବି ଜର୍ଜ ଏହି କଥା ଜଣାଇଛନ୍ତି।
ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟ ଯିବେ।
ଉଜବେକିସ୍ତାନ ରାଷ୍ଟ୍ରପତି ଶଭକତ ମିର୍ଜିୟୋୟେଭଙ୍କ ନିମନ୍ତ୍ରଣକ୍ରମେ ସେ ଦୁଇ ଦିନିଆ ରାଜକୀୟ ଗସ୍ତ କରିବେ। ଏହି ସମୟରେ ମୋଦୀ ଓ ରାଷ୍ଟ୍ରପତି ମିର୍ଜିୟୋୟେଭଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ। ଏଥିରେ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହେବ।
ଏହି ଆଲୋଚନାରେ ଦୁଇ ଦେଶ ଭିତରେ ବେପାର-ବାଣିଜ୍ୟ, ପ୍ରତିରକ୍ଷା, ଡିଜିଟାଲ୍ ସଂଯୋଗ, ଶକ୍ତି, ପାଠପଢ଼ା ଏବଂ ପରସ୍ପର ଭିତରେ ଥିବା ସମ୍ପର୍କ ଭଳି ବିଭିନ୍ନ ବିଷୟରେ ହୋଇଥିବା କାମଗୁଡ଼ିକର ଆଲୋଚନା କରାଯିବ। ଏହା ସହ ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କକୁ କେଉଁ ଦିଗରେ ନିଆଯିବ, ସେନେଇ ମଧ୍ୟ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ।
ତାସକେଣ୍ଟ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ ଯିବେ। କିର୍ଗିଜ୍ ରିପବ୍ଲିକ୍ ରାଷ୍ଟ୍ରପତି ସାଦିର ଜାପାରୋଭଙ୍କ ନିମନ୍ତ୍ରଣରେ ସେ ଚଳିତ ମାସ ୩୧ ତାରିଖରେ ହେବାକୁ ଥିବା ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ।
ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତ ସମୟରେ ମୋଦୀ SCO ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହି ମଞ୍ଚରେ ସୁରକ୍ଷା, ସଂଯୋଗ ଓ ସୁଯୋଗକୁ ନେଇ ଭାରତର ପ୍ରାଥମିକତା ବିଷୟରେ ସେ ନିଜର ମତ ରଖିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ SCOର ବିଭିନ୍ନ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।
ଏହା ବ୍ୟତୀତ ମୋଦୀ ଷଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦଘାଟନୀ ସମାରୋହରେ ମଧ୍ୟ ଯୋଗଦେବେ। ମଧ୍ୟ ଏସିଆର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଚଳିତ ବର୍ଷର SCO ଶିଖର ସମ୍ମିଳନୀ ସଂଗଠନର ୨୫ତମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହେଉଛି। ଭାରତ ୨୦୧୭ ମସିହାରୁ ସାଂଘାଇ ସହଯୋଗ ସଂଗଠନର ପୂର୍ଣ୍ଣ ସଦସ୍ୟ ରହିଛି।

