Dailyhunt
ବଜାରକୁ ଆସିବ ଅଧିକ ତେଲ; କଣ ଭାରତରେ ଦୂର ହେବ ସଙ୍କଟ?

ବଜାରକୁ ଆସିବ ଅଧିକ ତେଲ; କଣ ଭାରତରେ ଦୂର ହେବ ସଙ୍କଟ?

ନୂଆଦିଲ୍ଲୀ: ତେଲ ଉତ୍ପାଦକୁ ବଢ଼ାଇବ ତେଲ ଉତ୍ପାଦକ ଗୋଷ୍ଠୀ OPEC+ । ଜୁନ୍ ମାସ ପାଇଁ କଚ୍ଚା ତେଲ ଉତ୍ପାଦନ ବୃଦ୍ଧି କରିିବା ଆଜି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି, ଯେତେବେଳେ ୟୁଏଇ ଏହି ସଂଗଠନରୁ ବାହାରିଯାଇଛି। OPEC+ ର ୭ଟି ସଦସ୍ୟ ଦେଶ ଯଥା: ଅଲଜିରିଆ, ଇରାକ, କାଜାକିସ୍ତାନ, କ୍ୱେତ, ଓମାନ, ରୁଷ ଓ ସାଉଦି ଆରବ ଜୁନ ମାସରେ ପ୍ରତିଦିନ ୧.୮୮ ଲକ୍ଷ ବ୍ୟାରେଲ୍ ତେଲ ଉତ୍ପାଦନ ବଢ଼ାଇବାକୁ ଘୋଷଣା କରିଛନ୍ତି।

ଏଥିରୁ ଭାରତରେ ମଧ୍ୟ ତେଲ ଆମଦାନି ବଢ଼ିପାରେ।

OPEC+ ଅନୁସାରେ, ତେଲ ଉତ୍ପାଦନ ବୃଦ୍ଧି ହେଲେ ବଜାରର ସ୍ଥିରତା ରକ୍ଷା ପାଇଁ ସମୁହିକ ଉଦ୍ୟମ କରାଯିବ। ଗତ ସପ୍ତାହରେ ୟୁଏଇ ଉତ୍ପାଦନ କୋଟାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଅସମ୍ମତି ପରେ ଓପିଇସି ଓ ଓପିଇସି + ରୁ ବାହାରିଯାଇଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ତେଲ ଉତ୍ପାଦନ ବୃଦ୍ଧି ପୂର୍ବରୁ ଅନୁମାନ କରାଯାଇଥିଲା। ୟୁଏଇର ଅଂଶକୁ ଛାଡ଼ି ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ମଧ୍ୟ ଏପରି ପ୍ରାୟ ୨ ଲକ୍ଷ ବ୍ୟାରେଲ ପ୍ରତିଦିନ ବୃଦ୍ଧି କରାଯାଇଥିଲା। ଉତ୍ପାଦନ କୋଟାରେ ଏହି ବୃଦ୍ଧି କାଗଜରେ ମାତ୍ର ସୀମିତ ରହିପାରେ। କାରଣ ଅନେକ ସଦସ୍ୟ ଦେଶ ପୂର୍ବରୁ ନିର୍ଦ୍ଧାରିତ ସ୍ତରଠାରୁ କମ୍ ଉତ୍ପାଦନ କରୁଛନ୍ତି।

୨୮ ଫେବୃଆରୀରେ ଇରାନ ଉପରେ ଆମେରିକା ଆକ୍ରମଣ କରିଥିଲା। ଯେଉଁଥିପାଇଁ ଇରାନ ହୋର୍ମୁଜ ଉପରେ ନାକାବନ୍ଦୀ ଲଗାଇଥିଲା। ଏହି ନାକାବନ୍ଦୀ ଫଳରେ ତେଲ ରପ୍ତାନି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଖାଡ଼ି ଦେଶ ଅତିରିକ୍ତ ଉତ୍ପାଦନ କ୍ଷମତାର ବଡ଼ ଅଂଶ ବିଶ୍ୱ ବଜାରକୁ ପହଞ୍ଚି ପାରୁନାହାନ୍ତି।

OPEC+ ଦ୍ୱାରା ଉତ୍ପାଦନ ବଢ଼ାଇବା ଓ ୟୁଏଇ ବାହାରିବାର ନିଷ୍ପତ୍ତି ଭାରତ ଉପରେ ମିଶ୍ର ପ୍ରଭାବ ପକାଇପାରେ। ଭାରତ ନିଜ ତେଲ ଆବଶ୍ୟକତାର ପ୍ରାୟ ୮୫% ଆମଦାନି କରେ। ତେଣୁ ଖାଡ଼ି ଦେଶମାନଙ୍କର ଯେ କୌଣସି ପରିବର୍ତ୍ତନ ଭାରତର ଅର୍ଥନୀତି ଉପରେ ସିଧା ପ୍ରଭାବ ପଡ଼ିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar