Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଲିଯାତ୍ରାରେ ବନ୍ଦ ହେବ ବିପଦପୂର୍ଣ୍ଣ ଦୋଳି, ମୀନ ବଜାର ଆସୋସିଏସନର କଡା ନିଷ୍ପତି

ବାଲିଯାତ୍ରାରେ ବନ୍ଦ ହେବ ବିପଦପୂର୍ଣ୍ଣ ଦୋଳି, ମୀନ ବଜାର ଆସୋସିଏସନର କଡା ନିଷ୍ପତି

ଟକ: ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଆସୁଥିବା ଲୋକଙ୍କୁ କିଛି ବିପଦପୂର୍ଣ୍ଣ ଦୋଳି ବନ୍ଦ ହୋଇପାରେ । ଚଳିତ ବର୍ଷଠାରୁ "ହାମର" ଏବଂ "ସିଙ୍ଗଲ ଟାୱାର" ଭଳି ବିପଦପୂର୍ଣ୍ଣ ଦୋଳିକୁ ଅନୁମତି ନଦେବାକୁ ମୀନା ବଜାର ଆସୋସିଏସନ୍‌ ନିଷ୍ପତ୍ତି ନେଇଛି।

ଗତବର୍ଷ ବାଲିଯାତ୍ରା ସମୟରେ ଘଟିଥିବା ଏକ ଅଘଟଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରାୟ ୭୦ ଫୁଟ୍ ଉଚ୍ଚ ସିଙ୍ଗଲ ଟାୱାର ରାଇଡ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୧୬ ଜଣ ଲୋକ କିଛି ଘଣ୍ଟା ଧରି ଉପରେ ଫସି ରହିଥିଲେ।

ଏହାସହ ବାଲିଯାତ୍ରାରେ ଅତ୍ୟଧିକ ପୁରୁଣା ଦୋଳିକୁ ମଧ୍ୟ ଅନୁମତି ନଦେବାକୁ ମୀନା ବଜାର ଆସୋସିଏସନ୍‌ ନିଷ୍ପତ୍ତି ନେଇଛି। ଅନ୍ୟ ଦୋଳିଗୁଡ଼ିକୁ ବସାଇବା ପୂର୍ବରୁ ସେଗୁଡ଼ିକର ସୁରକ୍ଷା ଓ ଅବସ୍ଥା ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଗଠନ କରାଯିବ। ଶନିବାର ଆସୋସିଏସନ୍‌ର ସମ୍ପାଦକ ଅଭିଷେକ ଜେନା ଏହି ସୂଚନା ଦେଇଛନ୍ତି।

ଚଳିତ ବର୍ଷର ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥରଠାରୁ ଅପର ବାଲିଯାତ୍ରା ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବା ପାଇଁ କଟକ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।

ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଥିବା କଟକ ଜିଲ୍ଲାପାଳ କହିଛନ୍ତି। ବାଲିଯାତ୍ରା ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି। ଗତବର୍ଷ ଦୋଳି ସମ୍ପର୍କିତ ଅଘଟଣକୁ ଦୃଷ୍ଟିରେ ରଖି ଏଥର ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି। ବିଭିନ୍ନ ଦୋଳୀ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ରଖାଯିବ। ଏହାସହ ସୁରକ୍ଷା ନିୟମ ଯେପରି ଠିକ୍‌ ଭାବେ ପାଳନ ହୁଏ, ସେନେଇ ଦୋଳୀ ମାଲିକ ସଂଘ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ବାଲିଯାତ୍ରା ସମୟରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ହେବାକୁ ଥିବାରୁ ଟ୍ରାଫିକ୍‌ ପରିଚାଳନା ପାଇଁ ମଧ୍ୟ ଏଥର ଅଧିକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ, ବାରବାଟୀ-କଟକ ବିଧାୟକ କହିଛନ୍ତି ଯେ, ଅପର ବାଲିଯାତ୍ରା ପଡ଼ିଆର ବାଲିଯାତ୍ରା ସହ ଐତିହାସିକ ସମ୍ପର୍କ ରହିଛି। ତେଣୁ ଅପର ବାଲିଯାତ୍ରା ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରାଯିବା ଉଚିତ ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar