Accident: ସକାଳୁ ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଚମ୍ବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଚମ୍ବା ଜିଲ୍ଲାର ଚୁରାହ ସବ୍-ଡିଭିଜନ ଅନ୍ତର୍ଗତ ବୈରଗଢ଼-ସଚ୍ ପାସ୍-କିଲର ମାର୍ଗରେ ଏହି ଭୟଙ୍କର ଦୁର୍ଘଟଣା ଘଟି ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ କାର୍ ନିୟନ୍ତ୍ରଣ ହରାଇ ପ୍ରାୟ ୫୦୦ ମିଟର ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା, ଯାହା ଫଳରେ ଗାଡ଼ିରେ ଥିବା ସମସ୍ତ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।
ମିଳିଥିବା ସୂଚନା ମୁତାବକ, ଯେତେବେଳେ ପର୍ଯ୍ୟଟକମାନେ ବରଫାବୃତ 'ସଚ୍ ପାସ୍' ଅଞ୍ଚଳ ଆଡ଼କୁ ବୁଲିବାକୁ ଯାଇଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ପାହାଡ଼ିଆ ରାସ୍ତାଟି ହିମାଚଳ ପ୍ରଦେଶର ସବୁଠାରୁ କଠିନ ଏବଂ ବିପଜ୍ଜନକ ମାର୍ଗ ମଧ୍ୟରେ ଗଣାଯାଏ। ସ୍ଥାନୀୟ ଲୋକମାନେ ଶନିବାର ଦିନ ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ।
ବେଙ୍ଗାଲୁରୁରୁ ଡଲହୌସି ବୁଲିବାକୁ ଆସିଥିଲା ପରିବାର
ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରୁ ଆସିଥିବା ଏକ ପରିବାର ଡଲହୌସି ବୁଲିବା ପାଇଁ ଏକ ଟ୍ୟାକ୍ସି ବୁକ୍ କରିଥିଲେ। ଏହି ପରିବାରଟି ଡଲହୌସିରେ ରହୁଥିବା ଅନ୍ୟ ଏକ ପର୍ଯ୍ୟଟକ ପରିବାର ସହିତ ଗାଡ଼ିଟିକୁ ଶେୟାର କରିଥିଲେ ଏବଂ ସମସ୍ତେ ମିଶି ସଚ୍ ପାସ୍ ଅଞ୍ଚଳର ବରଫ ପାହାଡ଼ର ଆନନ୍ଦ ନେବାକୁ ବାହାରିଥିଲେ। ଗାଡ଼ିରେ ଚାଳକଙ୍କ ସମେତ ମୋଟ ୯ ଜଣ ବସି ଥିବା ସୂଚନା ମିଳିଛି, ଯେଉଁଥିରେ ଦୁଇଟି ଶିଶୁ ମଧ୍ୟ ସାମିଲ ଥିଲେ।
ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ, ଗାଡ଼ିଟି ଗଭୀର ଖାଇରେ ପଡ଼ି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଛି। ଦୁର୍ଗମ ସ୍ଥାନ ଏବଂ ସିଧା ଢାଲୁ ପାହାଡ଼ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଖାଇ ଭିତରୁ ଶବଗୁଡ଼ିକୁ ବାହାର କରାଯାଇ ପାରିନଥିଲା। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳର ସହାୟତାରେ ରବିବାର ସକାଳୁ ପୁଣି ଶବ ବାହାର କରିବା ଅଭିଯାନ ଆରମ୍ଭ କରାଯାଇଛି।
ତଦନ୍ତ କରୁଛି ପୋଲିସ
ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଚମ୍ବା ଏସପି ବିଜୟ କୁମାର ସକଲାନୀ ଏହି ସୋଚନୀୟ ଦୁର୍ଘଟଣାକୁ ନେଇ କହିଛନ୍ତି ଯେ, ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛି। ଗାଡ଼ିରେ ଦୁଇଟି ପରିବାରର ଲୋକ ଥିଲେ। ବର୍ତ୍ତମାନ ସୁଦ୍ଧା ଗାଡ଼ିରେ ୮ ଜଣ ଥିଲେ ନା ୯ ଜଣ, ତାର ସ୍ପଷ୍ଟ ପୁଷ୍ଟି ହୋଇନାହିଁ। ମୃତକମାନେ ସମସ୍ତେ ବେଙ୍ଗାଲୁରୁର ନା ସେମାନଙ୍କ ମଧ୍ୟରେ ଛତିଶଗଢ଼ର ଲୋକ ବି ସାମିଲ ଥିଲେ, ସେ ନେଇ ଯାଞ୍ଚ ଚାଲିଛି।

