Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଦେଶରେ ଚାକିରି ପାଇଁ ଯୁବପିଢ଼ିଙ୍କୁ ମିଳିବ ସ୍ପେଶାଲ୍ ସ୍କିଲ୍ ଓ ଲାଙ୍ଗୁଏଜ୍ ଟ୍ରେନିଂ, ସିଏମ୍ ଧାମୀଙ୍କ ନିର୍ଦ୍ଦେଶ

ବିଦେଶରେ ଚାକିରି ପାଇଁ ଯୁବପିଢ଼ିଙ୍କୁ ମିଳିବ ସ୍ପେଶାଲ୍ ସ୍କିଲ୍ ଓ ଲାଙ୍ଗୁଏଜ୍ ଟ୍ରେନିଂ, ସିଏମ୍ ଧାମୀଙ୍କ ନିର୍ଦ୍ଦେଶ

ତ୍ତରାଖଣ୍ଡ: ଦେଶ ବାହାରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ। ଏଣିକି ବିଦେଶରେ କେଉଁ କ୍ଷେତ୍ରରେ ଅଧିକ ଚାକିରି ରହିଛି, କେଉଁ ଦେଶରେ କେଉଁ କୌଶଳର ଚାହିଦା ଅଧିକ ଏବଂ ସେହି ଚାକିରି ପାଇଁ କେଉଁ ଭାଷା ଜାଣିବା ଆବଶ୍ୟକ- ଏସବୁ ସୂଚନା ଏବେ ଯୁବପିଢ଼ିଙ୍କୁ ଦିଆଯିବ।

କେବଳ ସୂଚନା ନୁହେଁ, ବିଦେଶର ଚାକିରି ଆବଶ୍ୟକତା ଅନୁସାରେ ଯୁବକ-ଯୁବତୀଙ୍କୁ କୌଶଳ ଓ ଭାଷା ପ୍ରଶିକ୍ଷଣ ମଧ୍ୟ ଦିଆଯିବ।

ଉତ୍ତରାଖଣ୍ଡର ଯୁବପିଢ଼ିଙ୍କୁ ବିଶ୍ୱସ୍ତରରେ ଭଲ ରୋଜଗାର ସୁଯୋଗ ଦେବା ପାଇଁ ଏଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ବିଦେଶରେ କୁଶଳ ମାନବ ସମ୍ବଳର ଚାହିଦା ଏବଂ ଚାକିରି ସୁଯୋଗକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରାଯିବ।

ସୋମବାର ମୁଖ୍ୟମନ୍ତ୍ରୀ ଆବାସରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଜାମାଇକାରେ ଭାରତର ହାଇକମିଶନର ମୟଙ୍କ ଯୋଶୀ, ଇଥିଓପିଆରେ ଭାରତର ରାଷ୍ଟ୍ରଦୂତ ଦେବେଶ ଉତ୍ତମ ଏବଂ ଜାମ୍ବିଆରେ ଭାରତର ହାଇକମିଶନର ଆଲୋକ ରଞ୍ଜନ ଝା ସାକ୍ଷାତ କରିଥିଲେ।

ଏହି ସାକ୍ଷାତ ସମୟରେ ତିନୋଟି ଦେଶରେ ଚାକିରି ସୁଯୋଗ, କୁଶଳ ମାନବ ସମ୍ବଳର ଚାହିଦା ଏବଂ ଉତ୍ତରାଖଣ୍ଡର ଯୁବକ-ଯୁବତୀଙ୍କ ପାଇଁ ରହିଥିବା ସୁଯୋଗ ନେଇ ଆଲୋଚନା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ବିଦେଶରେ କେଉଁ କ୍ଷେତ୍ରରେ ଅଧିକ ଚାକିରି ରହିଛି ଏବଂ କେଉଁଠାରେ କୁଶଳ ମାନବ ସମ୍ବଳର ଅଧିକ ଆବଶ୍ୟକତା ରହିଛି, ସେ ସମ୍ପର୍କରେ ସମ୍ପୃକ୍ତ ଭାରତୀୟ ମିଶନଗୁଡ଼ିକ ସହ ନିୟମିତ ଯୋଗାଯୋଗ ରଖି ସୂଚନା ସଂଗ୍ରହ କରାଯାଉ।

ଏହାପରେ ବିଦେଶର ଆବଶ୍ୟକତା ଅନୁସାରେ ଯୁବପିଢ଼ିଙ୍କୁ କୌଶଳ ସହିତ ଆବଶ୍ୟକ ଭାଷା ପ୍ରଶିକ୍ଷଣ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜାମ୍ବିଆରେ ଶିକ୍ଷା-କୃଷିରେ ସୁଯୋଗ: ଜାମ୍ବିଆରେ ଭାରତର ହାଇକମିଶନର ଆଲୋକ ରଞ୍ଜନ ଝା କହିଛନ୍ତି ଯେ, ଜାମ୍ବିଆରେ କୁଶଳ ମାନବ ସମ୍ବଳର ବଡ଼ ଚାହିଦା ରହିଛି। ବିଶେଷକରି ଶିକ୍ଷା ଓ କୃଷି କ୍ଷେତ୍ରରେ ଭାରତୀୟ ଯୁବକ-ଯୁବତୀଙ୍କ ପାଇଁ ଅନେକ ସୁଯୋଗ ରହିଛି।

କେଉଁ କ୍ଷେତ୍ରରେ କେତେ ମାନବ ସମ୍ବଳ ଆବଶ୍ୟକ, ସେନେଇ ରାଜ୍ୟ ସରକାରଙ୍କୁ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

ଜାମାଇକାରେ ନର୍ସିଂ ପାଇଁ ଚାହିଦା: ଜାମାଇକାରେ ଭାରତର ହାଇକମିଶନର ମୟଙ୍କ ଯୋଶୀଙ୍କ ଅନୁସାରେ, ସେଠାରେ ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଓ କୃଷି କ୍ଷେତ୍ରରେ ଭଲ ରୋଜଗାର ସୁଯୋଗ ରହିଛି।

ବିଶେଷକରି ନର୍ସିଂ କ୍ଷେତ୍ରରେ ପ୍ରଶିକ୍ଷିତ ମାନବ ସମ୍ବଳର ଚାହିଦା ଅଧିକ ରହିଛି। ତେଣୁ ଏହି କ୍ଷେତ୍ରଗୁଡ଼ିକ ଅନୁସାରେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେଇ ଚାକିରି ସୁଯୋଗ ସହ ଯୋଡ଼ାଯାଇପାରିବ।

ଇଥିଓପିଆରେ ମ୍ୟାନେଜମେଣ୍ଟ ଓ ଲଜିଷ୍ଟିକ୍ସ ସୁଯୋଗ: ଇଥିଓପିଆରେ ଭାରତର ରାଷ୍ଟ୍ରଦୂତ ଦେବେଶ ଉତ୍ତମ କହିଛନ୍ତି ଯେ, ସେଠାରେ ମ୍ୟାନେଜମେଣ୍ଟ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଅନେକ ରୋଜଗାର ସୁଯୋଗ ରହିଛି। ଏହାସହ ଫାର୍ମାସ୍ୟୁଟିକାଲ୍ ଏବଂ ଫ୍ଲୋରିକଲଚର୍ କ୍ଷେତ୍ରରେ ମଧ୍ୟ ଭଲ ସୁଯୋଗ ଉପଲବ୍ଧ ଥିବା ସେ କହିଛନ୍ତି।

ଉତ୍ତରାଖଣ୍ଡର ହୋମ୍‌ଷ୍ଟେ ମଡେଲ୍‌କୁ ବିଦେଶରେ ପ୍ରଚାର: ଏହି ଆଲୋଚନା ସମୟରେ ଉତ୍ତରାଖଣ୍ଡର ହୋମ୍‌ଷ୍ଟେ ମଡେଲ୍‌ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିମଣ୍ଡଳୀଙ୍କୁ ରାଜ୍ୟର ହୋମ୍‌ଷ୍ଟେ ମଡେଲ୍‌ ଦେଖାଇବା ସହ ଫାର୍ମା, ଶିଳ୍ପ, ଆୟୁର୍ବେଦ ଓ ୱେଲ୍‌ନେସ୍‌ କ୍ଷେତ୍ରରେ ଥିବା ସମ୍ଭାବନାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ତରାଖଣ୍ଡର ଯୁବପିଢ଼ିଙ୍କ ମଧ୍ୟରେ ପ୍ରତିଭା ଓ କ୍ଷମତାର କୌଣସି ଅଭାବ ନାହିଁ। ବିଶ୍ୱ ବଜାରର ଚାହିଦା ଅନୁସାରେ ଆବଶ୍ୟକ କୌଶଳ ଓ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଭଲ ରୋଜଗାର ସୁଯୋଗ ସହ ଯୋଡ଼ାଯାଇପାରିବ।

ବିଦେଶରେ ଥିବା ଚାକିରି ସୁଯୋଗର ସୂଚନା ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ପାଇଁ ଭାରତୀୟ ମିଶନଗୁଡ଼ିକ ସହ ସମନ୍ୱୟ ରଖି ଯୋଜନାବଦ୍ଧ ଭାବେ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar