ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିଜେଡିରେ ମିଶିଲେ ଭିକେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଦଳରେ ସ୍ୱାଗତ କରିଛନ୍ତି। ଆଉ ଗଣମାଧ୍ୟମକୁ ନବୀନ କହିଛନ୍ତି, ଆସନ୍ତା ନିର୍ବାଚନରେ ମୁଁ ହିଁ ନେତୃତ୍ୱ ନେବି।
ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ହେବ।
ଶଙ୍କ ଭବନରେ ବିଜେଡି ନେତା ଓ କର୍ମୀଙ୍କ ଗହଳି ଜମିଥିଲା। ପ୍ରଥମେ ନିଜ ସହଯୋଗୀଙ୍କ ସହ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶଙ୍ଖ ଭବନକୁ ଆସିଥିଲେ। ଦଳର ମହିଳା ନେତ୍ରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନକୁ ଆସିିଥିଲେ। ଦଳୀୟ ନେତାମାନେ ତାଙ୍କୁ ଶଙ୍ଖ ଭବନ ଭିତରକୁ ପାଛୋଟି ନେଇଯାଇଥିଲେ। ତା'ପରେ ଆରମ୍ଭ ହେଲା ମିଶ୍ରଣ ପର୍ବ। ବିଧାୟକ ଓ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସୁଜାତାଙ୍କୁ ବିଜେଡିରେ ସାମିଲ କରାଇଥିଲେ ନବୀନ।
ମିଶ୍ରଣ ପର୍ବ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି; ବିଜୁ ଜନତା ଦଳ ପକ୍ଷରୁ ମୁଁ ସୁଜାତା ରାଉତଙ୍କୁ ସ୍ୱାଗତ କରୁଛି। ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସେ ଆଜି ଯୋଗଦେଇଛନ୍ତି। ଆପଣମାନେ ଜାଣିଛନ୍ତି ସେ ଜଣେ ଆଇଏଏସ୍ ଅଫିସର ଥିଲେ। ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ। ଆସନ୍ତା ନିର୍ବାଚନରେ ମୁଁ ହିଁ ନେତୃତ୍ୱ ନେବି ବୋଲି ନବୀନ କହିଛନ୍ତି।
କେନ୍ଦ୍ରାପଡ଼ାର ଝିଅ ଆଇଏଏସ୍ ଅଫିସର ସୁଜାତା ବିଜେଡି ସରକାର ସମୟରେ ସବୁଠାରୁ ପାୱାରଫୁଲ୍ ଅଫିସରଙ୍କ ଭିତରେ ରହିଥିଲେ। ବଡ଼ବଡ଼ ବିଭାଗର ଦାୟିତ୍ୱ ସମ୍ଭାଳୁ ଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ସେ ଚାକିରିରୁ ଅବସର ନେଇ ଯାଇଥିଲେ। ଆଉ ତାଙ୍କ ସ୍ୱାମୀ ଭି.କେ ପାଣ୍ଡିଆନ୍ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ଆଉ ରାଜନୀତି କରିବେ ନାହିଁ ବୋଲି ଘୋଷଣା କରିଥିଲେ।
ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କୁ ନବୀନ ନିବାସ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ପାଣ୍ଡିଆନ୍ ନବୀନ ନିବାସରେ ରହୁଛନ୍ତି ଓ ଦଳୀୟ କାର୍ଯ୍ୟ ସମ୍ଭାଳୁଛନ୍ତି। ପାଣ୍ଡିଆନଙ୍କ ହସ୍ତକ୍ଷେପକୁ କେତେକ ବିଜେଡି ନେତାଙ୍କ ମଧ୍ୟ ସ୍ୱୀକାର କରିଥିଲେ। ପରେ ସୁଜାତା ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶେଷରେ ଆଜି ସୁଜାତା ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି।

