ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ଆସିବେ। ସାଥୀରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଆଣିବେ। ସେଥିପାଇଁ ବଡ଼ଦାଣ୍ଡରେ ସଜେଇ ହେଉଛି ତିନି ରଥ। ଆଉ ରଥ ଉପରେ ମହାପ୍ରଭୁଙ୍କ ଟିକେ ଝଲକ ପାଇବା ପାଇଁ ଦେଶ ବିଦେଶରୁ ଧାଇଁ ଆସିବେ କୋଟି କୋଟି ଶ୍ରଦ୍ଧାଳୁ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଯାତ୍ରୀଙ୍କ ସୁବିଧା ଦେଖି ରଥଯାତ୍ରା ଓ ବାହାଡ଼ାରେ ଦିନ ରାତି ବସ୍ ଚାଲିବ। ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର।
ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଜୁଲାଇ ୧୬ ତାରିଖରେ ପଡ଼ିବ। ରଥଯାତ୍ରା ବେଳେ ସୁରକ୍ଷିତ ଯାତ୍ରାକୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ପରିବହନ କମିଶନର ଅମୀତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା, ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଯାତ୍ରା ସମୟରେ ଭିଡ଼କୁ ଦେଖି କେମିତି ବସ୍ ଚଳାଚଳ କରିିବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ବୈଠକରେ ନିଷ୍ପତ୍ତି ଅନୁସାରେ ଯାତ୍ରୀଙ୍କ ସୁବିଧାକୁ ଦେଖି ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍ ଗେଟ୍ରେ ଫି' ଆଦାୟ ହେବନି। ପିପିଲି ଟୋଲ୍ ଗେଟ୍ରେ ବସ୍, କାର୍ କିମ୍ବା କୌଣସି ଗାଡ଼ିକୁ ଫି ଆଦାୟ କରାଯିବ ନାହିଁ। ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ ପାଇଁ ନିଷ୍ପତ୍ତି। ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାଇଁ ପାର୍କିଂ ହେବ। ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍ ଚାଲିବ। ରାଜ୍ୟର ପ୍ରାୟ ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ୍ ଚାଲିବ ବୋଲି ନିଷ୍ପତ୍ତି ହୋଇଛି।

