ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତିନି ବର୍ଷର ନିରୀହ ଶିଶୁପୁତ୍ରକୁ ପୋଲ୍ ଉପରେ ଏକାକୀ ଛାଡ଼ି ତା'ର ପିତାମାତା ଗୁରୁବାର ବିଳମ୍ବିତ ରାତିରେ ଗୋଦାବରୀ ନଦୀକୁ ଡେଇଁ ପଡ଼ିଛନ୍ତି। ଆତ୍ମହତ୍ୟା କରିଥିବା ଏହି ଦମ୍ପତି ହେଲେ ଭେଲପୁରୁ ଗାଁର ବାସିନ୍ଦା ୨୯ ବର୍ଷୀୟ ଡୋଡ୍ଡା ସାଇ ଏବଂ ତାଙ୍କର ୨୮ ବର୍ଷୀୟା ପତ୍ନୀ ଶିରୀଷା।
ଅନ୍ଧାରରେ କାନ୍ଦୁଥିଲା ଶିଶୁ: ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଦମ୍ପତି ନିଜର ୩ ବର୍ଷିୟ ଶିଶୁ ସହିତ ସ୍କୁଟିରେ ନଦୀ ପୋଲ ନିକଟରେ ପହଞ୍ଚିଥିଲେ। ନଦୀକୁ ଡେଇଁବା ପୂର୍ବରୁ ସେମାନେ ଶିଶୁଟିକୁ ସ୍କୁଟର ଉପରେ ହିଁ ଛାଡ଼ି ଦେଇଥିଲେ। ପିତାମାତା ନଦୀକୁ ଡେଇଁବା ପରେ ୩ ବର୍ଷର ଶିଶୁଟି ଅନ୍ଧାରରେ ଏକାକୀ ଠିଆ ହୋଇ କାନ୍ଦୁଥିଲା। ସେଠାକର ସ୍ଥାନୀୟ ଲୋକମାନେ ପିଲାଟିକୁ କାନ୍ଦୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
ଆର୍ଥିକ ଅନଟନ ଓ ଋଣ ବୋଝ: ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପିତାଜଣକ ଜଣେ ଡ୍ରାଇଭର୍ ଭାବେ କାମ କରୁଥିଲେ । ପୋଲିସର କହିବାନୁଯାୟୀ, ସେମାନେ ବର୍ଷକୁ ବର୍ଷ ବଢ଼ିଚାଲିଥିବା ଋଣ ଏବଂ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିଲେ। ଏହି ଦମ୍ପତି ନିଜର ଘର ମଧ୍ୟ ବିକ୍ରି କରିସାରିଥିଲେ। ବର୍ତ୍ତମାନ ପୋଲିସ ସ୍ଥାନୀୟ ଉଦ୍ଧାରକାରୀ ଦଳ ଏବଂ ଡଙ୍ଗା ସାହାଯ୍ୟରେ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

