Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୁଢ଼ୀ ମାଉସୀଙ୍କୁ ଦେଖି ଅଟକିଗଲା CM ବିଜୟଙ୍କ କାରକେଡ୍‌, ଗିଫ୍ଟ କଲେ ନିଜେ ପିନ୍ଧିଥିବା ୪୦ ହଜାର ଟଙ୍କାର ଚଷମା

ବୁଢ଼ୀ ମାଉସୀଙ୍କୁ ଦେଖି ଅଟକିଗଲା CM ବିଜୟଙ୍କ କାରକେଡ୍‌, ଗିଫ୍ଟ କଲେ ନିଜେ ପିନ୍ଧିଥିବା ୪୦ ହଜାର ଟଙ୍କାର ଚଷମା

ତାମିଲନାଡୁ: ରାସ୍ତାରେ ଯାଉଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌। ହଠାତ୍ ରାସ୍ତାକଡ଼ରେ କିଛି ବୃଦ୍ଧା ମହିଳାଙ୍କୁ ଚାଷ ଜମିରେ କାମ କରୁଥିବାର ଦେଖିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ବିଜୟ। ଏହାପରେ ଯାହା ଘଟିଲା, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜୟ ନିଜର ସରଳତା ଓ ପ୍ରଶଂସକଙ୍କ ପ୍ରତି ଭଲପାଇବା ପାଇଁ ବେଶ୍ ପରିଚିଚ।

ଅଭିନେତାରୁ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ତାଙ୍କ ଏହି ଅନ୍ଦାଜରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଏବେ ଜଣେ ବୃଦ୍ଧା ମହିଳାଙ୍କ ସହ ତାଙ୍କର ଏକ ମୁହୂର୍ତ୍ତ ଲୋକଙ୍କ ମନ ଜିଣି ନେଇଛି।

ବାସ୍ତବରେ, ମେଟ୍ଟୁର ଡ୍ୟାମ୍‌ର ଗେଟ୍ ଖୋଲିବା ଏବଂ କାଭେରୀ ଡେଲ୍ଟା ଅଞ୍ଚଳରେ ସାମ୍ବା ଧାନ ଚାଷ ପାଇଁ ପାଣି ଛାଡ଼ିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜୟ ସେଲମ୍‌ରେ ପହଞ୍ଚିଥିଲେ। ମେଟ୍ଟୁର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର ଷ୍ଟେସନ୍ ନିରୀକ୍ଷଣ କରିବା ପରେ ସେ ବିମାନବନ୍ଦର ଅଭିମୁଖେ ଯାଉଥିଲେ।

ଏହି ସମୟରେ ରାସ୍ତାକଡ଼ରେ ଚାଷ ଜମିରେ କାମ କରୁଥିବା କିଛି ବୃଦ୍ଧା ମହିଳାଙ୍କ ଉପରେ ବିଜୟଙ୍କ ନଜର ପଡ଼ିଥିଲା। ସେ ତୁରନ୍ତ ନିଜ କାରକେଡ୍‌କୁ ଅଟକାଇ ଗାଡ଼ିରୁ ଓହ୍ଲାଇ ସେହି ବୁଢ଼ୀ ମାଉସୀଙ୍କ ପାଖକୁ ଯାଇଥିଲେ।

ବୃଦ୍ଧାଙ୍କ ହାତ ଧରି କଥା ହେଲେ ବିଜୟ: ବିଜୟଙ୍କୁ ନିଜ ସାମ୍ନାରେ ଦେଖି ଚେଲ୍ଲମ ନାମକ ଜଣେ ବୃଦ୍ଧା ମହିଳା ବେଶ୍ ଖୁସି ହୋଇଯାଇଥିଲେ। ବିଜୟ ତାଙ୍କ ହାତ ଧରି ନାଁ ପଚାରିବା ସହ ସେ ଖାଇଛନ୍ତି କି ନାହିଁ ବୋଲି ମଧ୍ୟ ପଚାରିଥିଲେ।

ଏହାର ଉତ୍ତରରେ ଚେଲ୍ଲମ କହିଥିଲେ ଯେ, ସେ ଏପର୍ଯ୍ୟନ୍ତ ଖାଇନାହିଁ। କାରଣ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିବାକୁ ଚାହୁଁଥିଲେ। ବୃଦ୍ଧାଙ୍କ ଏହି କଥା ଶୁଣିବା ପରେ ବିଜୟ ଯାହା କଲେ, ତାହା ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ବୃଦ୍ଧାଙ୍କୁ ଦେଇଦେଲେ ନିଜର ମହଙ୍ଗା ଚଷମା: ଚେଲ୍ଲମଙ୍କ କଥା ଶୁଣିବା ପରେ ବିଜୟ ନିଜେ ପିନ୍ଧିଥିବା Christian Diorର ଚଷମା ଖୋଲି ତାଙ୍କୁ ଦେଇଥିଲେ। କେବଳ ଚଷମା ଦେଇନଥିଲେ, ନିଜ ହାତରେ ବୃଦ୍ଧାଙ୍କ ଆଖିରେ ଚଷମା ପିନ୍ଧାଇ ଦେଇଥିଲେ।

ଆରମ୍ଭରେ ଚେଲ୍ଲମ ଟିକେ ଲାଜ କରିଥିଲେ। କିନ୍ତୁ ବିଜୟଙ୍କ ଭଲପାଇବା ଦେଖି ସେ ଚଷମା ପିନ୍ଧିଥିଲେ। ଏହି ସମୟରେ ଦୁହେଁ ହାତ ମିଳାଇଥିଲେ। ଚେଲ୍ଲମ ମଧ୍ୟ ବିଜୟଙ୍କୁ ବୁଲେଇ ନିଜ ଘର ଓ ଆଖପାଖ ଅଞ୍ଚଳ ଦେଖାଇଥିଲେ।

ବିଜୟ ଓ ବୃଦ୍ଧାଙ୍କ ଏହି ସାକ୍ଷାତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓ ଦେଖି ଲୋକେ ବିଜୟଙ୍କ ସରଳତା ଓ ମାନବିକତାକୁ ପ୍ରଶଂସା କରୁଛନ୍ତି।

ସୋସିଆଲ ମିଡିଆରେ ବିଜୟଙ୍କୁ ପ୍ରଶଂସା: ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ମଧ୍ୟ ଲୋକେ ଏହି ଭିଡିଓକୁ ସେୟାର କରି ବିଜୟଙ୍କ ପ୍ରଶଂସା କରୁଛନ୍ତି। ଜଣେ ୟୁଜର କହିଛନ୍ତି, ବୃଦ୍ଧା ମହିଳା ମହଙ୍ଗା ଚଷମା ପାଇ ଖୁସି ନୁହନ୍ତି, ବରଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କୁ ନିଜ ପୁଅ ଭଳି ଚଷମା ଦେଇଥିବାରୁ ସେ ଖୁସି। ଆଉ ଜଣେ ୟୁଜର ଲେଖିଛନ୍ତି, ବିଜୟଙ୍କ ଏହି ଅନ୍ଦାଜ ସତରେ ହୃଦୟ ଜିଣିନେବା ଭଳି।

ଧୋତି-ଶାଢ଼ୀ ମଧ୍ୟ ଦେଲେ: ଚେଲ୍ଲମ ପରେ କହିଥିଲେ ଯେ, ବିଜୟଙ୍କୁ ଦେଖି ତାଙ୍କୁ ଫିଲ୍ମରେ ଦେଖୁଥିବା ହିରୋଙ୍କ ଭଳି ଲାଗିଥିଲା। ପ୍ରାୟ ୧୫ ମିନିଟ୍‌ ଧରି ବିଜୟ ସେଠାରେ ରହିଥିଲେ।

ଏହି ସମୟରେ ସେ ସେଠାରେ ଥିବା ପରିବାରକୁ ଧୋତି ଓ ଶାଢ଼ୀ ମଧ୍ୟ ଉପହାର ଦେଇଥିଲେ। ଏହା ସହ ସ୍ଥାନୀୟ ଚାଷୀମାନଙ୍କ ସହ ଚାଷ ଓ କୃଷି ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଜୟଙ୍କ ଏହି ମାନବିକତା ଓ ସରଳ ବ୍ୟବହାର ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar