Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଛି..ଛି.. ପାକିସ୍ତାନ ସରକାର କରୁଛନ୍ତି ଦୁଷ୍କର୍ମକାରୀଙ୍କୁ ସୁରକ୍ଷା, ବିଦେଶୀ ମହିଳାଙ୍କୁ ଗ୍ୟାଙ୍ଗରେପ କରିଥିବା ଯୁବକଙ୍କୁ ଛାଡ଼ି ପୋଲିସଙ୍କୁ କଲେ ନିଲମ୍ବିତ

ଛି..ଛି.. ପାକିସ୍ତାନ ସରକାର କରୁଛନ୍ତି ଦୁଷ୍କର୍ମକାରୀଙ୍କୁ ସୁରକ୍ଷା, ବିଦେଶୀ ମହିଳାଙ୍କୁ ଗ୍ୟାଙ୍ଗରେପ କରିଥିବା ଯୁବକଙ୍କୁ ଛାଡ଼ି ପୋଲିସଙ୍କୁ କଲେ ନିଲମ୍ବିତ

DPM Ishaq Dar: ପାକିସ୍ତାନର ରାଜନୀତିକ ଏବଂ ପ୍ରଶାସନିକ ସ୍ତରରେ ଏକ ବଡ଼ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଦେଶର ଉପ-ପ୍ରଧାନମନ୍ତ୍ରୀ ଇଶାକ୍ ଡାର୍‌ଙ୍କ ଜଣେ ନିକଟ ସମ୍ପର୍କୀୟ ମୁହମ୍ମଦ ରଜା ଡାର୍ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଦେଶୀ ମହିଳାଙ୍କୁ ଗ୍ୟାଙ୍ଗରେପ୍ ଏବଂ ଅପହରଣ କରିବା ଅଭିଯୋଗରେ ଏଫ୍‌ଆଇଆର୍ ରୁଜୁ କରିଥିବା ଲାହୋରର ଡିଫେନ୍ସ ସି ଥାନାର ଏସଏଚଓଙ୍କ ସମେତ ୩ ଜଣ ପୋଲିସ ଅଫିସରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

କେବଳ ସେତିକି ନୁହେଁ, ପଞ୍ଜାବ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ SHO ଏବଂ ଅନ୍ୟ ଦୁଇ ପୋଲିସ ଅଫିସରଙ୍କୁ ଗିରଫ କରି ପୋଲିସ ହେପାଜତକୁ ନିଆଯାଇଛି ।

ସୂତ୍ର ଅନୁଯାୟୀ, ଏହି ପୋଲିସ ଅଫିସରମାନଙ୍କ ଉପରେ ଜୁଲାଇ ୧ ତାରିଖରେ ଲାହୋରର ଜଣେ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଜବରଦସ୍ତି ପଶି ଧମକ ଚମକ ଦେବା ଏବଂ ଡିଆଇଜିଙ୍କ ସହ ଫୋନରେ କଥା ହେବା ପାଇଁ ଚାପ ପକାଇବା ଭଳି ଗମ୍ଭୀର ଅଭିଯୋଗ ଅଣାଯାଇଛି ।

ରିପୋର୍ଟ ମୁତାବକ, ପାକିସ୍ତାନ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ତଥା ନୱାଜ ସରିଫ୍‌ଙ୍କ ଝିଅ ମରିୟମ ନୱାଜଙ୍କ କାର୍ଯ୍ୟାଳୟରୁ ସିଧାସଳଖ ନିର୍ଦ୍ଦେଶ ଆସିବା ପରେ ୩ ଦିନ ପୁରୁଣା ଏକ ମାମଲାକୁ ଆଧାର କରି ଏହି ତିନି ପୋଲିସ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କ'ଣ ରହିଛି ପାରିବାରିକ ସମ୍ପର୍କ?

ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର୍ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସମୁଦି । ନୱାଜ ସରିଫ୍‌ଙ୍କ ଝିଅ ଆସମା ସରିଫ୍‌ଙ୍କ ବିବାହ ଇଶାକ୍ ଡାର୍‌ଙ୍କ ପୁଅ ଅଲ୍ଲୀ ଡାର୍‌ଙ୍କ ସହ ହୋଇଛି । ଅଲ୍ଲୀ ଡାର୍ ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ।

ମାଜିଷ୍ଟ୍ରେଟ୍‌ଙ୍କ ଘରେ ପୋଲିସ ଅଫିସରମାନଙ୍କ ଜବରଦସ୍ତି ପ୍ରବେଶ ମାମଲାରେ ଏକ ନୂଆ ମୋଡ଼ ଆସିଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ସସପେଣ୍ଡ ହୋଇଥିବା SHO ଫରିୟାଦ୍ ଅଶରଫ୍ ଏବଂ ତାଙ୍କ ସହଯୋଗୀମାନଙ୍କୁ DIG ଅପରେସନ୍ ଫୈସଲ କାମ୍ରାନ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଅଜହର ମହମୁଦଙ୍କ ଘରକୁ ପଠାଇଥିଲେ, ଯେପରି ମାଜିଷ୍ଟ୍ରେଟ୍‌ଙ୍କ ଉପରେ ପରଦିନ ଏକ ନିର୍ଦ୍ଦିଷ୍ଟ ମାମଲାରେ ଚାପ ପ୍ରୟୋଗ କରାଯାଇପାରିବ ।

ବିଦେଶୀ ମହିଳାଙ୍କ ସହ ହୋଇଥିଲା ବର୍ବରତା

ଗ୍ୟାଙ୍ଗରେପ୍ ଭଳି ସଂଗୀନ ମାମଲାରେ ସାହସ ସହକାରେ ଏକ୍ସନ ନେଇଥିବା SHO ଫରିୟାଦ୍ ଅଶରଫ୍‌ଙ୍କୁ ଶେଷରେ ରାଜନୀତିକ ଚାପର ଶିକାର ହେବାକୁ ପଡ଼ିଛି । ଲାହୋର ପୋଲିସ ନେଦରଲ୍ୟାଣ୍ଡର ଷ୍ଟେଫାନି ଅଦନାନା ମାରୁନ୍ ଏବଂ ଭେନେଜୁଏଲାର ଏଷ୍ଟ୍ରିଡ୍ ରବିନ୍ସନ୍ ବ୍ରାଚୋ ନାମକ ଦୁଇ ବିଦେଶୀ ମହିଳାଙ୍କ ସହ ସାମୂହିକ ଦୁଷ୍କର୍ମ ଏବଂ ପରେ ଅପହରଣ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଉପ-ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କୀୟ ମୁହମ୍ମଦ ରଜା ଡାର୍‌ଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ମୁଖ୍ୟ ଅଭିଯୁକ୍ତ ‘ବସ୍’ ଏବେ ବି ଫରାର୍‌!

ଗତ ଶୁକ୍ରବାର ଦିନ ମୁଖ୍ୟ ଅଭିଯୁକ୍ତ ମୁହମ୍ମଦ ରଜା ଡାର୍‌ଙ୍କ ସମେତ ତାଙ୍କର ୩ ସହଯୋଗୀ ସିକନ୍ଦର ଅଜିଜ୍ ଖାନ୍, ହସନ ରଜା ଏବଂ ସାଜିଦ୍ ଅଲ୍ଲୀଙ୍କୁ ଗିରଫ କରାଯାଇ ଲାହୋର ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗ୍ୟାଙ୍ଗରେପ୍ ମାମଲାରେ ସଂଶ୍ଳିଷ୍ଟ ଥିବା “ବସ୍” ନାମକ ଜଣେ ବଡ଼ ଅଭିଯୁକ୍ତ ଏବେ ମଧ୍ୟ ପୋଲିସ ଗିରଫରୁ ବାହାରେ ଅଛି । ସୂତ୍ର ଅନୁଯାୟୀ, ପାକିସ୍ତାନର ଉଚ୍ଚ ରାଜନୀତିକ ମହଲରେ “ବସ୍” ଏକ ବହୁତ ବଡ଼ ନାମ ହୋଇଥିବାରୁ ପୋଲିସ ଜାଣିଶୁଣି ତାର ପ୍ରକୃତ ପରିଚୟ ସାର୍ବଜନୀନ କରୁନାହିଁ କିମ୍ବା ତାକୁ ଗିରଫ କରିବାକୁ ସାହସ କରୁନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar