ଧାନବାଦ: ଅଚାନକ ମାଟି ତଳକୁ ଧସି ଗଲା ବଡ଼ବଡ଼ କୋଠା। ଗୋଟେ କି ଦୁଇଟି ନୁହେଁ, ୧୨ରୁ ଅଧିକ କୋଠା ମାଟି ତଳକୁ ଧସି ହୋଇଯାଉଛି। ଏହାଛଡ଼ା ଅନେକ କୋଠା ଗୋଟିଏ ପାଶ୍ୱର୍କୁ ଢଳି ହୋଇ ରହିଛି। ଗାଁ ଲୋକମାନେ ଜୀବନ ବିକଳରେ ଘରଦ୍ୱାର ଛାଡ଼ି ବାହାରକୁ ପଳାଇ ଆସିଛନ୍ତି। ବର୍ତ୍ତମାନ ଖୋଲା ଆକାଶ ତଳେ ଜୀବନ ଅତି ବାହିତ କରୁଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଧାନବାଦରେ।
ପୂରା ଘଟଣା ଏମିତି। ଗତ ଶୁକ୍ରବାର ସନ୍ଧ୍ୟା ବେଳେ ବାଘମାରା ଥାନା ଛାତାବାଦ ଗାଁରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ତା'ର କିଛି ସମୟ ପରେ ରାସ୍ତା ଦୁଇ ଫାଳ ହୋଇଗଲା। ବଡ଼ବଡ଼ ପକ୍କା ଘର ଗୁଡ଼ିକ ମାଟି ତଳେ ପଶି ଯାଇଥିଲା।
ଆଉ କିଛି ଘର ଗୋଟିଏ ସାଇଡ୍କୁ ଢ଼ଳି ଯାଇଥିଲେ। ଲୋକଙ୍କ ଭିତରେ ହାହାକାର ପଡ଼ିଯାଇଥିଲା। ଲୋକଙ୍କ ଚିତ୍କାରରେ ପରିବେଶ ପ୍ରକମ୍ପିତ ହୋଇଥିଲା। ଯେଉଁଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ମାଟି ତଳୁ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ସାଂସଦଙ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ: ଘଟଣା ସମ୍ପର୍କରେ ଖବର ପାଇ ଧନବାଦ ସାଂସଦ ଢୁଲ୍ଲୁ ମହତୋ ଭୂ-ଧସ ଘଟିଥିବା ସ୍ଥାନରେ ପହଞ୍ଚିଥିଲେ। ଦୁଇ ଦିନ ପରେ ସାଂସଦ ଆସିଥିବାରୁ ପ୍ରଭାବିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସାଂସଦ ସେଠାରେ ପହଞ୍ଚିବା ମାତ୍ରେ ଗାଁର ମହିଳା ଓ ପୁରୁଷମାନେ ଏକାଠି ହୋଇ ତାଙ୍କୁ ବିରୋଧ କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏହି ଅଞ୍ଚଳରେ ଦୀର୍ଘଦିନ ଧରି ମାଟି ଧସିବାର ବିପଦ ରହିଛି। କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗମ୍ଭୀରତାର ସହ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସାଂସଦ ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଗାଁ ଲୋକଙ୍କୁ ବୁଝାଇଥିଲେ ସାଂସଦ।
ସାଂସଦ ଢୁଲ୍ଲୁ ମହତୋ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାର ଗୁଡ଼ିକ ସହ ଆଲୋଚନା କରିଥିଲେ। ସେହି ଅଞ୍ଚଳରେ ହେଉଥିବା କୋଇଲା ଚୋରିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସାଂସଦ କହିଛନ୍ତି; ଭୂ-ଧସ ପଛରେ ଥିବା ପରିସ୍ଥିତିର ତଦନ୍ତ କରିବା ସହ ପ୍ରଭାବିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ।
ଢୁଲ୍ଲୁ ମହତୋ ଛାତାବାଦର ଭୂ-ଧସ ସ୍ଥଳ ପରିଦର୍ଶନ କରି ଘଟଣାକୁ ଗମ୍ଭୀର ବୋଲି କହିଛନ୍ତି। ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ରିଲିଫ ବ୍ୟବସ୍ଥା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

