କଟକ: ଆସନ୍ତା ନଭେମ୍ବର ୨୪ ତାରିଖରେ କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଗସ୍ତ ପାଇଁ କଟକରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଷ୍ଟ୍ରପତି ଡଙ୍ଗାରେ ବସି ବାଲିଯାତ୍ରା ପଡ଼ିଆକୁ ଆସିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ରାଷ୍ଟ୍ରପତି ବୋଟିଂ କ୍ଲବ୍ରୁ ଡଙ୍ଗାରେ ବସି ଯାତ୍ରା ଆରମ୍ଭ କରିବେ।
ସେଠାରୁ 'କଟକ ଇନ୍ କଟକ'ର ପଛପଟ ଗେଟ୍ ନିକଟରେ ତିଆରି ହେଉଥିବା ଅସ୍ଥାୟୀ ଗଡ଼ଗଡ଼ିଆ ଘାଟରେ ପହଞ୍ଚିବେ। ପରେ ସେଠାରୁ ନିର୍ଦ୍ଧାରିତ ରାସ୍ତାରେ ଓରମାସ୍ ଅଞ୍ଚଳକୁ ଯିବେ। ଶେଷରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ପହଞ୍ଚି ବାଲିଯାତ୍ରାର ଉଦ୍ଘାଟନ କରିବେ।
ଏହି ଅବସରରେ କଟକ ମହାନଗର ନିଗମ (କେଏମ୍ସି)ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯିବ।
ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ 'କଳିଙ୍ଗ ତାରିଣୀ' ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି। ତାଙ୍କ ସହ ଝିଅ, ଡାକ୍ତର ଓ ସୁରକ୍ଷାକର୍ମୀ ଡଙ୍ଗାରେ ରହିବେ। ରାଷ୍ଟ୍ରପତିଙ୍କ ଡଙ୍ଗା ସହ ଆଉ ୭ଟି ଡଙ୍ଗା ସୁରକ୍ଷା ପାଇଁ ଯିବ। ଏହାର ଆଗରେ ଭାରତୀୟ ନୌସେନାର ଏକ ଜାହାଜ ରହିବ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ର ଡଙ୍ଗା ମଧ୍ୟ ସୁରକ୍ଷା କାମରେ ନିୟୋଜିତ ହେବ।
କଟକ ଏଡିଏମ୍ ଦିବ୍ୟଲୋଚନ ମହାନ୍ତ କହିଛନ୍ତି, "ରାଷ୍ଟ୍ରପତି ବୋଟିଂ କ୍ଲବ୍ରୁ ଡଙ୍ଗାରେ ଯାଇ 'କଟକ ଇନ୍ କଟକ'ର ପଛପଟ ଗେଟ୍ ନିକଟରେ ଥିବା ଅସ୍ଥାୟୀ ଗଡ଼ଗଡ଼ିଆ ଘାଟରେ ପହଞ୍ଚିବେ। ସେଠାରୁ ବାଲିଯାତ୍ରା ପଡ଼ିଆକୁ ଆସି ନିର୍ଦ୍ଧାରିତ ରାସ୍ତାରେ ଓରମାସ୍ ଅଞ୍ଚଳକୁ ଯିବେ। ଏହାପରେ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ଯିବେ।"
ଡଙ୍ଗା ପରିଚାଳକ ଜିତେଶ ପ୍ରଧାନ କହିଛନ୍ତି, ରାଷ୍ଟ୍ରପତିଙ୍କ ଯାତ୍ରା ପାଇଁ ଡଙ୍ଗାକୁ ଭଲ ଭାବେ ପ୍ରସ୍ତୁତ କରାଯାଉଛି। ଏବେ ଡଙ୍ଗାର ରଙ୍ଗ କାମ ଚାଲିଛି। ଏହା ଶେଷ ହେବା ପରେ ନୌସେନା ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳ ଡଙ୍ଗାର ଯାଞ୍ଚ କରିବେ।
ଜିତେଶ କହିଛନ୍ତି, "ରାଷ୍ଟ୍ରପତିଙ୍କ ସହ ତାଙ୍କ ଝିଅ, ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ସମେତ ପ୍ରାୟ ୧୪ରୁ ୧୫ ଜଣ ଡଙ୍ଗାରେ ରହିବେ। ରଙ୍ଗ କାମ ସରିବା ପରେ ନୌସେନା ଓ ସୁରକ୍ଷା ଦଳ ଡଙ୍ଗା ଯାଞ୍ଚ କରିବେ। ଯଦି କିଛି ପରିବର୍ତ୍ତନ ଦରକାର ହୁଏ, ତେବେ ତାହା କରାଯିବ। ରାଷ୍ଟ୍ରପତି ଆମ ଡଙ୍ଗାରେ ଯାତ୍ରା କରିବେ ବୋଲି ଜାଣି ଆମେ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛୁ। ତାଙ୍କୁ ଆମ ଡଙ୍ଗାରେ ସ୍ୱାଗତ କରିବା ଆମ ପାଇଁ ବଡ଼ ସୌଭାଗ୍ୟ।"
ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ବାଲିଯାତ୍ରା ପଡ଼ିଆର କିଛି ଅଂଶ ନଷ୍ଟ ହୋଇଯାଇଛି। ଏହାକୁ ଠିକ୍ କରିବା ପାଇଁ ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରିଛି। ନଭେମ୍ବର ୨୪ରେ ବାଲିଯାତ୍ରା ଆରମ୍ଭ ହେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି କାମକୁ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଚାଲିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

