ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୋର। ୧୦୪ ଡିଗ୍ରୀ ଡେମ୍ପରଚରରେ ଥରୁଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି ଅବିକାଙ୍କ ସ୍ୱାମୀ। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି।
ହସ୍ପିଟାଲରେ ଭର୍ତ୍ତି ହେଲେ ଅବିକା ଗୋର: 'ବାଲିକା ବଧୂ' ଫେମ ଅଭିନେତ୍ରୀ ଅବିକା ଗୋର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାମୀ ମିଲିନ୍ଦ ଚାନ୍ଦୱାନୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି; ଶୁଟିଂ ସମୟରେ ଅବିକା ଅସୁସ୍ଥ ହୋଇଥିଲେ। ତାଙ୍କୁ ଜ୍ୱର ହୋଇଥିଲା। ଗତ ୫ ଦିନ ଧରି ସେ ଜ୍ୱରରେ ପୀଡ଼ିତ ଅଛନ୍ତି। ତାପମାତ୍ରା ୧୦୩ରୁ ୧୦୪ ଡିଗ୍ରୀ ରହୁଥିଲା। ହେଲେ ସେ ନିଜ କାମ ବନ୍ଦ କରିନଥିଲେ। ଲଗାତାର ଶୁଟିଂ କରୁଥିଲେ। ତେବେ ଦେହ ଅତ୍ୟଧିକ ଖରାପ ହେବାରୁ ଦୁଇ ଦିନର ବ୍ରେକ ନେଇଥିଲେ। ଆଉ ବ୍ଲଡ ଟେଷ୍ଟ କରିଥିଲେ। ଡାକ୍ତରଙ୍କ ପରାମର୍ଶରେ ଘରେ ବିଶ୍ରାମ ନେଇଥିଲେ ଓ ନିୟମିତ ଔଷଧ ସେବନ କରୁଛନ୍ତି। ସେହି ସମୟରେ ଆସିଥିଲା ବ୍ଲଡ ଟେଷ୍ଟ ରିପୋର୍ଟ। ସେଥିରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା ବୋଲି ତାଙ୍କ ସ୍ୱାମୀ କହିଛନ୍ତି।
ମେଡିକାଲରେ ଭର୍ତ୍ତି ହେବା ପରେ ଅବିକା ମଧ୍ୟ ଏକ ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଫଟୋରେ ସେ ମେଡିକାଲ ବେଡ଼ରେ ବସିଥିବା ଦେଖିବାକୁୁ ମିଳିଛି। ସେ ମଜାଳିଆ ଅନ୍ଦାଜରେ ଲେଖିଛନ୍ତି; ପ୍ଲେଟଲେଟ୍ସ ରିପୋର୍ଟ ବ୍ୟତୀତ ମୋର ନୂଆ ଗୀତ ରିଲିଜକୁ ଅପେକ୍ଷା କରୁଛି।

