Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦେଶ ପାଇଁ ଆସିଲା ଭଲ ଖବର: ଏହି ରାଜ୍ୟର ମାଟି ତଳେ ଗଚ୍ଛିତ ଅଛି ପ୍ରଚୁର ସୁନା!

ଦେଶ ପାଇଁ ଆସିଲା ଭଲ ଖବର: ଏହି ରାଜ୍ୟର ମାଟି ତଳେ ଗଚ୍ଛିତ ଅଛି ପ୍ରଚୁର ସୁନା!

ବାଙ୍ଗାଲୁରୁ: ମାଟି ତଳେ ଅଛି ପ୍ରଚୁର ପରିମାଣର ସୁନା ଓ ଅନ୍ୟାନ୍ୟ ଧାତୁ। ଭାରତୀୟ ଭୂବୈଜ୍ଞାନିକ ସର୍ଭେ (ଜିଏସ୍‌ଆଇ)ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକର ହାଭେରୀ ଜିଲ୍ଲା ସାଲୁଗୁଡ୍ଡା ଓ ହାନାଗଲ ସଂକ୍ରିକୋପ୍ପାରେ ପ୍ରଚୁର ପରିମାଣର ଖଣିଜ ଭଣ୍ଡାର ରହିଛି।

ସୁନା ଖଣିର ସନ୍ଧାର ପାଇଁ ପ୍ରଥମେ ହେବ ଡ୍ରିଲିଂ।

ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏହା ପରେ କୁନ୍ଦନ ଗୋଲ୍ଡ ମାଇନ୍ସ କମ୍ପାନୀ ପକ୍ଷରୁ ୩୪୭ ହେକ୍ଟର ଜଙ୍ଗଲ ଅଞ୍ଚଳରେ ୭୮ଟି ସ୍ଥାନରେ ଡ୍ରିଲିଂ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସ୍ଥାନ ଗୁଡ଼ିକରୁ ବାହାରିବାକୁ ଥିବା ଖଣିଜ ନମୁନାର ବୈଜ୍ଞାନିକ ପରୀକ୍ଷା କରାଯିବ। ନିର୍ଦ୍ଧାରିତ ପରିମାଣରେ ସୁନା ମିଳିଲେ ଆଗକୁ ଖଣି ଖନନ ପାଇଁ ଅନୁମତି ଲାଗି ଆବେଦନ କରିବ କମ୍ପାନୀ।

ଖଣିଜ ଓ ଭୂବିଜ୍ଞାନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ କମ୍ପାନୀ ପ୍ରଥମେ ଭୂପୃଷ୍ଠ ସର୍ଭେ ଆଧାରରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରସ୍ତୁତ କରିଛି। ଏହାପରେ ଭୂତଳରେ ଥିବା ଖଣିଜ ସଂପଦର ଯାଞ୍ଚ ପାଇଁ ଡ୍ରିଲିଂର ଅନୁମତି ମିଳିଛି। ଜଙ୍ଗଲ ଅଞ୍ଚଳରେ କାମ କରିବା ପାଇଁ ବନ ବିଭାଗର ଅନୁମତି ମଧ୍ୟ ମିଳିସାରିଛି।

ହାଭେରୀ ଉପଖଣ୍ଡର ଗଣଜୁରରେ ଡେକାନ ଗୋଲ୍ଡ ମାଇନିଂ କମ୍ପାନୀ ଅଧୀନରେ ଡେକାନ ଏକ୍ସପ୍ଲୋରେସନ ସର୍ଭିସେସ ପୂର୍ବରୁ ସର୍ଭେ କରିଥିଲା। ରିପୋର୍ଟ ଅନୁସାରେ, ସେଠାରେ ପ୍ରାୟ ୨୭ ଲକ୍ଷ ଟନ ଅକ୍ସାଇଡ ଓ ସଲଫାଇଡ ଖଣିଜ ସମ୍ପଦ ରହିଛି। ଏହାଛଡ଼ା ପ୍ରତି ଟନ୍ ଖଣିଜରୁ ପ୍ରାୟ ୩.୪୦ ଗ୍ରାମ ସୁନା ମିଳିବାର ସମ୍ଭାବନା ରହିଛି।

ତଥ୍ୟ ଅନୁସାରେ, ଏଠାରେ ପ୍ରାୟ ୯୧୮୦ କିଲୋଗ୍ରାମ ସୁନା ଥିବାର ସମ୍ଭାବନା ରହିଛି। ରଟ୍ଟିହଲ୍ଲୀର ନାଗଭନ୍ଦ, ରାଣେବେନ୍ନୁରର କାକୋଲ, ବାଡଗୀର ଚିନ୍ନିକଟ୍ଟି ଓ ଚିନ୍ନମୁଲଗୁନ୍ଦ ସମେତ ଅନେକ ଅଞ୍ଚଳରେ ମଧ୍ୟ ସୁନାର ସମ୍ଭାବ୍ୟ ଭଣ୍ଡାର ଥିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି। କୁନ୍ଦନ ଗୋଲ୍ଡ ମାଇନ୍ସ କମ୍ପାନୀ ତୁମକୁରୁ ଜିଲ୍ଲାର ଅଞ୍ଜନହଲ୍ଲୀରେ ୯୪୯ ହେକ୍ଟର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନ ମଧ୍ୟ କରୁଛି।

ଏକ ରିପୋର୍ଟ ଅନୁସାରେ, ସୁନାର ମୁଖ୍ୟ ଭଣ୍ଡାର ବନ୍ନେଗୁଡ୍ଡାର ଠିକ୍ ତଳେ ରହିଛି। ଖଣିଜ ପ୍ରାୟ ୭୨ ଏକର ଅଞ୍ଚଳରେ ବ୍ୟାପି ରହିଛି। ଏଠାରେ ସାଧାରଣ ଆକାରର ଗାତ ଖୋଳି ସୁନା ଖନନ କରାଯାଇପାରିବ।

ଖଣିଜ ଅନୁସନ୍ଧାନକାରୀ ଦଳ ୪୮୦ ଏକର ଜମିରେ ୨୦୦ଟି ସ୍ଥାନରେ ବୋରୱେଲ୍ କରିଥିଲେ। ଭୂତଳ ଜଳଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଖଣିଜଯୁକ୍ତ ପଥର ମିଳିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଖଣିଜ ଭଣ୍ଡାର ଜାତୀୟ ରାଜପଥ, ରେଳ ଷ୍ଟେସନ, ବରଦା ନଦୀ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନିକଟରେ ଅବସ୍ଥିତ। ଏହି କାରଣରୁ ଏହି ଅଞ୍ଚଳକୁ ଖଣି ଖନନ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଛି।

ହାଭେରୀ ଜିଲ୍ଲାର ୩୪୭ ହେକ୍ଟର ଜଙ୍ଗଲ ଅଞ୍ଚଳରେ ଏକ ଘରୋଇ କମ୍ପାନୀକୁ ଖଣିଜ ଅନୁସନ୍ଧାନ ପାଇଁ ଅନୁମତି ଦିଆଯାଇଛି। ବୋରୱେଲ ମେସିନ୍ ମାଧ୍ୟମରେ ଡ୍ରିଲିଂ କାର‌୍ୟ୍ୟ ଆରମ୍ଭ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar