ମୁମ୍ବାଇ: ୨୦୨୬ ଏସିିଆନ୍ ଗେମ୍ସ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(ବିସିସିଆଇ) ସେପ୍ଟେମ୍ବର ଓ ଅକ୍ଟୋବରରେ ଜାପାନରେ ହେବାକୁ ଥିବା ଏସିଆନ୍ସ ଗେମ୍ସ ପାଇଁ ସମ୍ଭାବ୍ୟ ୩୦ ଜଣିଆ ଖେଳାଳି ତାଲିକ ଭାରତୀୟ ଅଲମ୍ପିକ ସଂଘ (ଆଇଓଏ)କୁ ଦେଇଛି। ଏହି ସମ୍ଭାବ୍ୟ ସୂଚୀରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ବିଷ୍ମୟ ବଳକ ବୈଭବ ସୂର୍ଯ୍ୟବଂଶୀ।
ଏଥିସହ ବିଶ୍ୱକପ ଜିତାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ବିଦା କରାଯାଇଥିବା ଜଣାପଡ଼ିଛି।
୨୦୨୬ ଆଇପିଏଲ୍ରେ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ତାଙ୍କ ନାଁ ଏସିଆନ୍ ଗେମ୍ସ ସମ୍ଭାବ୍ୟ ଖେଳାଳି ତାଲିକାରେ ରହିଛି। ଅନ୍ୟପକ୍ଷରେ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦିନିକିଆ-ଟେଷ୍ଟ ଟିମ୍ ଅଧିନାୟକ ଶୁଭମନ ଗିଲଙ୍କୁ ଏଥିରୁ ବାଦ ଦିଆଯାଇଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ; ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ସେପ୍ଟେମ୍ବର ୨୭ରୁ ଆକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ। ଯେଉଁଥିରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ। କିନ୍ତୁ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୪ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଚୟନ କମିଟି ଦୁଇଟି ଅଲଗା ଅଲଗା ଟି-୨୦ ଟିମ୍ ଚୟନ କରୁଥିବା ଆଲୋଚନା ହେଉଛି।
ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଶୁଭମନ ଗିଲ ଅଧିନାୟକ କରିବେ। ସେଥିପାଇଁ ତାଙ୍କୁ ଏସିଆନ ଗେମ୍ସରେ ଅଧିନାୟକ କରାଯାଇ ନାହିଁ। ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୂର୍ୟ୍ୟକୁମାର ଯାଦବଙ୍କୁ ୨୦୨୮ ଅଲିମ୍ପିକ୍ସ ଓ ଆଗାମୀ ଟି-୨୦ ବିଶ୍ୱକପରେ ଖେଳାଇବା ବିଚାର କରାଯାଉ ନାହିଁ। ସେଥିପାଇଁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ତାଙ୍କ ନାମ ରଖାଯାଇ ନାହିଁ। ତେବେ ଚର୍ଚ୍ଚା ହେଉଛି ଏସିଆନ ଗେମ୍ସରେ ଶ୍ରେୟସ ଆୟର ଅଧିନାୟକ ହୋଇପାରନ୍ତି। ଏହାଛଡ଼ା ସଞ୍ଜୁ ସାମସନ୍, ତିଳକ ବର୍ମା ଓ ଜସପ୍ରିତ ବୁମ୍ରାଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି।
ଆଇଓଏକୁ ବିସିସିଆଇ ପଠାଇଥିବା ସମ୍ଭାବ୍ୟ ତାଲିକାରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ୍ କିଶାନ, ସଞ୍ଜୁ ସାମସନ, ଶ୍ରେୟସ ଆୟାର, ଋଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ତିଳକ ବର୍ମା, ଜସପ୍ରିତ ବୁମ୍ରା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ପ୍ରଶିଦ୍ଧ କୃଷ୍ଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆୟୁଷ ବଦୌନୀ, ହର୍ଷ ଦୁବେ, ଧ୍ରୁବ ଜୁରେଲ, ଖଲୀଲ ଅହମଦ, ରୁତୁରାଜ ଗାୟକୱାଡ଼, ରବି ବିଷ୍ଣୋଇ, ଶାହବାଜ ଅହମଦ, ଶିବମ ଦୁବେ, ବିପରାଜ ନିଗମ, ହର୍ଷିତ ରାଣା, ୟଶ ଠାକୁର ଓ ୱାସିଂଟନ୍ ସୁନ୍ଦରରଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି।

