Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗାଧେଇବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ଗାଧେଇବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା : ବନ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଦିନ ନଦୀରେ ଗାଧୋଉଥିବା ସମୟରେ ଏକ କୁମ୍ଭୀର ଟାଣି ନେବାରୁ ୪୬ ବର୍ଷ ବୟସ୍କା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ଗତ ଏକ ସପ୍ତାହ ହେବ ବନ୍ୟାଜଳରେ ଜଳବନ୍ଦୀ ହୋଇ ରହିଥିବା ଆଳପୁଆ ପଞ୍ଚାୟତର ଦାମଦରପାଟଣା ଗ୍ରାମରେ ଏହି ଅଘଟଣ ଘଟିଛି। ମହିଳା ଜଣକ ସୁଚିତ୍ରା ଦାସ ଭାବେ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା। ପରେ ନଦୀ କୂଳରୁ ତାଙ୍କ ଚପଲ, ଟର୍ଚ୍ଚ, ମୋବାଇଲ୍ ଫୋନ୍ ଏବଂ ସାବୁନ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଖବର ପାଇ ପଟ୍ଟାମୁଣ୍ଡାଇରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରେ ସର୍ଚ୍ଚ ଅପେରସନ୍ ଆରମ୍ଭ କରିଥିଲେ। ତେବେ ଏହି ରିପୋର୍ଟ ଲେଖାଯିବା ସମୟ ପର୍ଯ୍ୟନ୍ତ ମହିଳାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଅଞ୍ଚଳରେ ବାରମ୍ବାର ବନ୍ୟଜନ୍ତୁଙ୍କ ସାମ୍ନାକୁ ଆସିବା ଯୋଗୁଁ ସେମାନଙ୍କ ଜୀବନ ବିପଦରେ ପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରିବାରେ କିମ୍ବା ଯଥାଯୋଗ୍ୟ ପ୍ରତିଷେଧକ ପଦକ୍ଷେପ ନେବାରେ ବିଫଳ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଅଣାଯାଇଥିଲା ବୋଲି ସେମାନେ କହିଛନ୍ତି। କୁମ୍ଭୀର ଏବଂ ବନ୍ୟଜନ୍ତୁଙ୍କ ବିପଦ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସତକର୍ଷ କରିବା ପାଇଁ ବନ ବିଭାଗ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି ଜଣାପଡ଼ିଛି।

ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଚେତନତା ଅଭିଯାନ କରାଯାଇ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar