Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗାଡ଼ି ମାଲିକଙ୍କୁ ବଡ଼ ଝଟକା! ୨୦ ଲକ୍ଷ RC ବାତିଲ୍, ୩୦ ଲକ୍ଷ ଉପରେ ଝୁଲୁଛି ଖଣ୍ଡା

ଗାଡ଼ି ମାଲିକଙ୍କୁ ବଡ଼ ଝଟକା! ୨୦ ଲକ୍ଷ RC ବାତିଲ୍, ୩୦ ଲକ୍ଷ ଉପରେ ଝୁଲୁଛି ଖଣ୍ଡା

ଭୁବନେଶ୍ୱର: ଓଡ଼ିଶାର ୨୦ ଲକ୍ଷରୁ ଅଧିକ ଗାଡ଼ି ଏବେ ପରିବହନ ବିଭାଗର ସ୍କାନରରେ ରହିଛି। ଦୀର୍ଘଦିନ ଧରି ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଯଥା ବୀମା, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଟ୍ୟାକ୍ସ କାଗଜପତ୍ର ଅପଡେଟ୍ ନକରିଥିବା ଗାଡ଼ିଗୁଡ଼ିକ ବିରୋଧରେ ଏବେ ପରିବହନ ବିଭାଗ ପଦକ୍ଷେପ ନେଉଛି।

ଯେଉଁ ଗାଡ଼ି ମାଲିକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାଗଜପତ୍ର ଠିକ୍ ନକରିବେ କିମ୍ବା ପରିବହନ ବିଭାଗର ଶୋ-କଜ୍ ନୋଟିସ୍‌ର ଜବାବ ନଦେବେ, ସେମାନଙ୍କ ଗାଡ଼ି ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ।

ଏଭଳି ଗାଡ଼ିକୁ 'ଟେମ୍ପୋରାରୀ ଆର୍କାଇଭ୍‌'ରୁ 'ପରମାନେଣ୍ଟ ଆର୍କାଇଭ୍‌' ବର୍ଗକୁ ସ୍ଥାନାନ୍ତର କରାଯାଇପାରେ।

ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି ଯେ, ଆବଶ୍ୟକୀୟ କାଗଜପତ୍ର ନଥିବା ଗାଡ଼ିଗୁଡ଼ିକୁ ନିୟମ ନମାନୁଥିବା ଗାଡ଼ି ଭାବେ ବିବେଚନା କରାଯାଉଛି। ଗାଡ଼ି ମାଲିକଙ୍କୁ ଶୋ-କଜ୍ ନୋଟିସ୍ ଜରିଆରେ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଉଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଜବାବ ନଦେଲେ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଅମିତାଭ ଠାକୁର କହିଛନ୍ତି, "କୌଣସି ଗାଡ଼ିର ପରମିଟ୍, ଫିଟନେସ୍ କିମ୍ବା ବୀମା ନଥିଲେ, ତାହାକୁ ନିୟମ ନମାନୁଥିବା ଗାଡ଼ି ଭାବେ ଧରାଯିବ। ମାଲିକମାନଙ୍କୁ ଶୋ-କଜ୍ ନୋଟିସ୍ ଦିଆଯାଇ ଜବାବ ଦେବାକୁ ସୁଯୋଗ ଦିଆଯାଉଛି। ନିର୍ଦ୍ଧାରିତ ସମୟରେ ଜବାବ ନଦେଲେ ଗାଡ଼ିକୁ ଟେମ୍ପୋରାରୀ ଆର୍କାଇଭ୍‌ରୁ ପରମାନେଣ୍ଟ ଆର୍କାଇଭ୍‌କୁ ପଠାଯାଇପାରେ।"

ତିନି ବର୍ଷରୁ ଅଧିକ ସମୟ ଧରି ବୀମା ନଥିବା ଗାଡ଼ି ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା ଗାଡ଼ି ଉପରେ ବିଶେଷ ନଜର ରହିଛି। ସେହିପରି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ଆବଶ୍ୟକୀୟ ଫିଟନେସ୍ ପ୍ରମାଣପତ୍ର ନଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ବୈଧ ପ୍ରଦୂଷଣ ପ୍ରମାଣପତ୍ର ଏବଂ ଟ୍ୟାକ୍ସ କାଗଜପତ୍ର ନଥିବା ଗାଡ଼ି ମଧ୍ୟ ଏହି ଯାଞ୍ଚରେ ରହିଛି।

ପରିବହନ କମିଶନର କହିଛନ୍ତି ଯେ, ଏହି ଅଭିଯାନର ଉଦ୍ଦେଶ୍ୟ ଜରିମାନା ଆଦାୟ କରି ରାଜସ୍ୱ ବଢ଼ାଇବା ନୁହେଁ। ବରଂ ଗାଡ଼ି ମାଲିକ ଏବଂ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ଗାଡ଼ି ଦୁର୍ଘଟଣାରେ ପଡ଼ିଲେ ଥାର୍ଡ ପାର୍ଟି ବୀମା ବହୁତ ଗୁରୁତ୍ୱପୂର୍ଣ୍ଣ।

ସେ କହିଛନ୍ତି, "ବୀମା ମୁଖ୍ୟତଃ ଗାଡ଼ି ମାଲିକଙ୍କ ସୁରକ୍ଷା ପାଇଁ ରହିଥାଏ। ବୀମା ନଥିବା ଗାଡ଼ି ଦୁର୍ଘଟଣାରେ ପଡ଼ିଲେ ବୀମା କମ୍ପାନୀଠାରୁ ମାଲିକଙ୍କୁ କ୍ଷତିପୂରଣ ମିଳିନପାରେ। ଏଭଳି ସ୍ଥିତିରେ ଦୁର୍ଘଟଣାରୁ ସୃଷ୍ଟି ହେଉଥିବା ସମସ୍ତ ଆର୍ଥିକ ଦାୟିତ୍ୱ ଗାଡ଼ି ମାଲିକଙ୍କୁ ନିଜେ ବହନ କରିବାକୁ ପଡ଼ିପାରେ।"

ରୋଡ୍ ସେଫ୍ଟି ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି ଯେ, କେବଳ ଜରିମାନା ଆଦାୟ କରି ଏହି ଅଭିଯାନକୁ ସୀମିତ ରଖିବା ଉଚିତ ନୁହେଁ। ଏହା ସହିତ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଆବଶ୍ୟକ। ଗାଡ଼ିର କାଗଜପତ୍ର ଠିକ୍ ନଥିଲେ ଏହାର ପରିଣାମ କ'ଣ ହୋଇପାରେ ଏବଂ ଏହା ଦ୍ୱାରା ନିଜ ସହ ଅନ୍ୟମାନଙ୍କୁ କିପରି ବିପଦରେ ପକାଉଛନ୍ତି, ସେ ବିଷୟରେ ଗାଡ଼ି ମାଲିକଙ୍କୁ ବୁଝାଇବା ଦରକାର ବୋଲି ସେ କହିଛନ୍ତି।

ସୁବ୍ରତ ନନ୍ଦ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏହି ଯାଞ୍ଚ ଅଭିଯାନ ଚାଲିଛି। ଗାଡ଼ିର ବୀମା, ଫିଟନେସ୍, ପ୍ରଦୂଷଣ ପ୍ରମାଣପତ୍ର, ଟ୍ୟାକ୍ସ ଏବଂ ପୁନଃ ପଞ୍ଜୀକରଣ ଭଳି ସମସ୍ତ ତଥ୍ୟ ଜାଣିବା ଓ ଯାଞ୍ଚ କରିବା ପାଇଁ ଏକ ଡିଜିଟାଲ୍ ଯାନବାହନ ଡାଟାବେସ୍ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar