ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ହୋଇଥିବା ବିଜେପି ସାଂସଦ କଙ୍ଗନା ରଣାୱାତଙ୍କ ୟୁ-ଟର୍ଣ୍ଣ। Gen Zଙ୍କୁ ଟାର୍ଗେଟ କରି 'ଗଟର' କହୁଥିବା କଙ୍ଗନା ଆଜି ବନ୍ଧୁତା ଦିବସରେ ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି। ଏଥିସହ ସମାଲୋଚନକଙ୍କୁ 'ଜିମ କାହାଣୀ' ଶୁଣାଇଛନ୍ତି। କଙ୍ଗନାଙ୍କ ଏହି ସୋସିଆଲ ମିଡିଆ ପୋର୍ଷ୍ଟକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।
ରବିବାର କଙ୍ଗନା ରଣାୱତ ନିଜ ସୋସିଆଲ ମିଡିଆରେ “ମୋର Gen Z ବନ୍ଧୁମାନଙ୍କୁ” ଫ୍ରେଣ୍ଡଶିପ୍ ଡେର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି; ଆଜି ଜିମରେ ମୋର Gen Zର ଦୁଇଜଣ ଝିଅଙ୍କ ସହ ଦେଖାହୋଇଥିଲା। ସେମାନେ ମୋତେ ପଚାରିଲେ, କଙ୍ଗନା ଦିଦି ଆମେ ଡିଜିଟାଲ ଯୁଗରେ ଜନ୍ମ ନେଇଛୁ। ସୋସିଆଲ ମିଡିଆ, ଇନଷ୍ଟାଗ୍ରାମ, ଡେଟିଂ ଆପ, ଏଆଇ ଆଦି ଆମ ଜୀବନର ଏକ ଅଂଶ ହୋଇଛି। ଆମ ମଧ୍ୟରୁ ଅଧିକାଂଶ ଏ ଗୁଡ଼ିକ ବ୍ୟବହାର କରୁଛୁ। କେତେକ ତ ଏଗୁଡ଼ିକ ବିନା ରହିପାରୁ ନାହାନ୍ତି। ପ୍ରତ୍ୟେକେ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବାକୁ ସ୍ୱାଧୀନତା ଚାହୁଁଛନ୍ତି।'”
କଙ୍ଗନା ଆହୁରି ଲେଖିଛନ୍ତି, "ମୁଁ ସେହି ଝିଅମାନଙ୍କୁ କହିଲି, ହଁ, ତୁମେ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବାକୁ ସ୍ୱାଧୀନ। କିନ୍ତୁ ଅନ୍ୟର ପିଲାଙ୍କୁ ପାହାଡ଼ରୁ ତଳକୁ ଫିଙ୍ଗିବ ନାହିଁ କିମ୍ବା ସେମାନଙ୍କୁ ଖଣ୍ଡଖଣ୍ଡ କରିବ ନାହିଁ। ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁଠାରେ ଉଦାରବାଦୀ ଓ ରକ୍ଷଣଶୀଳ ଜୀବନଶୈଳୀ ମଧ୍ୟରେ ସଂଘର୍ଷ ହେଉଛି। ଅନେକ ନିର୍ଦ୍ଦୋଷ ଶିଶୁ ପ୍ରାଣ ହରାଉଛନ୍ତି। ଏହା ଆମ ପାଇଁ ବଡ଼ ଚିନ୍ତାର ବିଷୟ। ତେଣୁ ସେମାନେ ସହମତ ହେଲେ ଯେ ସ୍ୱାଧୀନତା ସହ ଦାୟିତ୍ୱ ମଧ୍ୟ ଜରୁରୀ। ମୋର Gen Z ବନ୍ଧୁମାନଙ୍କୁ ଫ୍ରେଣ୍ଡଶିପ ଡେର ଶୁଭେଚ୍ଛା। ଶାନ୍ତି ଓ ଭଲପାଇବା।”
ସପ୍ତାହେ ତଳେ ଦେଇଥିଲେ ବିବାଦୀୟ ବୟାନ: କଙ୍ଗନାଙ୍କ ଏହି ନରମ ଆଭିମୁଖ୍ୟ ତାଙ୍କ ପୂର୍ବ ବିବାଦୀୟ ବୟାନର ମାତ୍ର ଏକ ସପ୍ତାହ ପରେ ସାମ୍ନାକୁ ଆସିଛି। ସେତେବେଳେ ସେ ପ୍ରଶ୍ନପତ୍ର ଲିକ୍ ବିରୋଧରେ କକରୋଚ୍ ଜନତା ପାର୍ଟି (ସିଜେପି) ବ୍ୟାନର ତଳେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମାଲୋଚନା କରିଥିଲେ।
ସେ ସେହି ପ୍ରଦର୍ଶନର ଭିଡିଓକୁ “ବାନ୍ତି ଆସିବା ଭଳି” ବୋଲି କହିଥିଲେ। ପ୍ରଦର୍ଶନକାରୀ ଯୁବପିଢ଼ିଙ୍କ ଭାଷାକୁ ନେଇ ପ୍ରଶ୍ନ ଉଠାଇ ସେମାନଙ୍କୁ “ଜେନେରେସନ୍ ଗଟର” ବୋଲି ସମ୍ବୋଧନ କରିଥିଲେ। ସେ ଅଭିଯୋଗ କରିଥିଲେ; କେତେକ ଯୁବକ-ଯୁବତୀ କୌଣସି ଦାୟିତ୍ୱ ନନେଇ କେବଳ ସ୍ୱାଧୀନତା ଚାହୁଁଛନ୍ତି। ନିଶା ଓ ହିଂସା ପରି ପ୍ରବୃତ୍ତିକୁ ପ୍ରୋତ୍ସାହନ ଦେଉଛନ୍ତି।
କଙ୍ଗନାଙ୍କ ସେହି ପୋଷ୍ଟ ପରେ ପ୍ରତିକ୍ରୟା ପ୍ରକାଶ ପାଇଥିଲା। ଅନେକ ସେଲିବ୍ରିଟି ଓ ବୁଦ୍ଧିଜୀବୀ ସମାଲୋଚନା କରିଥିଲେ। ଏପରିକି ନିଜ ଦଳର କେତେକ ନେତା ମାଧ୍ୟ କଙ୍ଗନାକୁ ପରୋକ୍ଷରେ ସମାଲୋଚନା କରିଥିଲେ। ଆଗକୁ ସ୍ଥିତି ଭୟଙ୍କର ହେବା ପୂର୍ବରୁ କଙ୍ଗନା ଏପରି ପୋଷ୍ଟ କରି ବିବାଦର ସମାଧାନ ପାଇଁ ପ୍ରୟାସ କରୁଥିବା ଆଲୋଚନା ହେଉଛି।

