ନୂଆଦିଲ୍ଲୀ: ନେପାଳରେ ଆସିଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଯାଇଛି ଅନେକ ଜୀବନ। ନେପାଳ ସରକାର ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏପରି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦ୍ଗୁରୁ ଜଗଦୀଶ ବାସୁଦେବ। ସେ ନେପାଳ ପ୍ରଧାନମନ୍ତ୍ରୀଙ୍କ ବିପର୍ୟ୍ୟୟ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ହିମାଳୟ ଅଞ୍ଚଳରେ କ୍ରମାଗତ ଭାବେ ବଢ଼ୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତ, ଚୀନ୍, ପାକିସ୍ତାନ, ନେପାଳ ଓ ଭୁଟାନକୁ ସାମିଲ କରି ଏକ ମିଳିତ 'ହିମାଳୟ ବୋର୍ଡ' ଗଠନ କରିବାକୁ ସଦ୍ଗୁରୁ ପ୍ରସ୍ତାବ ଦେଇଛନ୍ତି। କାଠମାଣ୍ଡୁରେ ଆୟୋଜିତ 'ଇନ ସଲିଡାରିଟି ୱିଥ ନେପାଳ' କାର୍ଯ୍ୟକ୍ରମରେ ସଦ୍ଗୁରୁ ଯୋଗଦେଇ ଏହି ଘୋଷଣା କରିଛନ୍ତି।
ବନ୍ୟାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ: ପ୍ରଳୟଙ୍କରୀ ବନ୍ୟା ପରେ ଏହା ହେଉଛି ସଦ୍ଗୁରୁଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ। ଏଥିରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ।
ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତଥ୍ୟ ଅନୁସାରେ, ହଠାତ୍ ଆସିଥିବା ବନ୍ୟାରେ ମୃତକଙ୍କ ସଂଖ୍ୟା ୯୦୦ ଟପିଛି। ହଜାର ହଜାର ଲୋକ ଏବେ ମଧ୍ୟ ନିଖୋଜ ରହିଛନ୍ତି। ନିଖୋଜ ଲୋକଙ୍କ ମଧ୍ୟରେ ଈଶା ଫାଉଣ୍ଡେସନର କୈଳାସ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ଥିବା ୭୭ ଜଣ ମଧ୍ୟ ଅଛନ୍ତି। ବିପର୍ଯ୍ୟୟ ସମୟରେ ଏହି ଦଳ ଚୀନ ପଟେ ଥିବା ଗ୍ୟିରୋଙ୍ଗ ଇମିଗ୍ରେସନ ସେଣ୍ଟରରେ ଥିଲା।
ଈଶା ଫାଉଣ୍ଡେସନ ପ୍ରତିବର୍ଷ କୈଳାସ ମାନସରୋବର ଯାତ୍ରା ଆୟୋଜନ କରିଥାଏ। ଯାତ୍ରୀମାନେ କାଠମାଣ୍ଡୁରୁ ନେପାଳ ଦେଇ ତିବ୍ବତ ପହଞ୍ଚନ୍ତି। ଯାତ୍ରା ସମୟରେ କିଛି ସମୟ ପାଦରେ ଯାତ୍ରା କରିବାକୁ ପଡ଼ିଥାଏ।
ସଦ୍ଗୁରୁ କହିଛନ୍ତି; ହିମାଳୟ କୌଣସି ଗୋଟିଏ ଦେଶର ସୀମା ମଧ୍ୟରେ ବନ୍ଧା ହୋଇନାହିଁ। ଏହି ସମଗ୍ର ପର୍ବତୀୟ ଅଞ୍ଚଳ ସହ ଜଡ଼ିତ ଦେଶଗୁଡ଼ିକୁ ବିପର୍ୟ୍ୟୟ ପରିଚାଳନା ଓ ପରିବେଶ ସୁରକ୍ଷା ପ୍ରସଙ୍ଗରେ ମିଳିତ ଭାବେ କାମ କରିବାକୁ ପଡ଼ିବ। ସେ ଭାରତ, ଚୀନ୍, ପାକିସ୍ତାନ, ନେପାଳ ଓ ଭୁଟାନକୁ ସାମିଲ କରି ୫ଟି ଦେଶର ଏକ 'ହିମାଳୟ ବୋର୍ଡ' ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

