ନୂଆଦିଲ୍ଲୀ: ଭାରତରେ ହ୍ୱାଟ୍ସଆପ୍ର ଏକ ନୂଆ ସୁବିଧା 'ୟୁଜରନେମ୍' (Username) କୁ ନେଇ କେନ୍ଦ୍ର ସରକାର ବୁଧବାର ଦିନ ମେଟା କମ୍ପାନୀକୁ ନୋଟିସ୍ ପଠାଇଛନ୍ତି। ଏହି ନୂଆ ଫିଚର ଯୋଗୁଁ ଅନ୍ୟ କାହା ନାଁରେ ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ଠକିବାର ଆଶଙ୍କା ରହିଛି। ଭାରତରେ ଏହି ଫିଚରର ଶୁଭାରମ୍ଭ ନକରିବା ପାଇଁ ସରକାର ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହିତ ଏହି ସୁବିଧା ବିଷୟରେ ୩ ଦିନ ଭିତରେ ପୂରା ତଥ୍ୟ ଓ ପ୍ରମାଣ ସହ ଜବାବ ରଖିବାକୁ ମେଟାକୁ କୁହାଯାଇଛି।
ସରକାରଙ୍କ କହିବା କଥା ହେଲା, ହ୍ୱାଟ୍ସଆପ୍ର ଏହି ନୂଆ ସୁବିଧା ଯୋଗୁଁ ସାଇବର ଅପରାଧୀମାନେ ସହଜରେ ଲୋକଙ୍କୁ ମେସେଜ୍ କରି ନିଜ ଜାଲରେ ଫସାଇ ପାରିବେ। ଏହାଦ୍ୱାରା ଅନଲାଇନ୍ ଠକେଇ, ଫେକ୍ ମେସେଜ୍, ଡିଜିଟାଲ୍ ଆରେଷ୍ଟ ଏବଂ ପରିଚୟ ଚୋରି ଭଳି ସ୍କାମ୍ ବହୁତ ବଢ଼ିଯିବ। ସାଇବର କ୍ରାଇମ୍ ବଢ଼ାଉଥିବା ଏହି ଫିଚର ପାଇଁ ହ୍ୱାଟ୍ସଆପ୍ ବିରୋଧରେ ଆଇଟି ଆଇନ ଅନୁସାରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ, ସରକାର ତାର ଜବାବ ମାଗିଛନ୍ତି। ଏକ ବଡ଼ ସୋସିଆଲ ମିଡିଆ କମ୍ପାନୀ ଭାବେ ନିୟମ ମାନିବା ହ୍ୱାଟ୍ସଆପ୍ର ଦାୟିତ୍ୱ ବୋଲି ସରକାର ମନେ ପକାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଭାରତ ହେଉଛି ହ୍ୱାଟ୍ସଆପ୍ର ସବୁଠାରୁ ବଡ଼ ମାର୍କେଟ୍, ଏଠାରେ ୫୦ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରନ୍ତି।
ହ୍ୱାଟ୍ସଆପ୍ ଇଣ୍ଡିଆର ମୁଖ୍ୟ ଅଫିସରଙ୍କୁ ପଠାଯାଇଥିବା ନୋଟିସ୍ରେ ଲେଖାଅଛି ଯେ, ଏହି ଫିଚର ଆସିଲେ ଖରାପ ଲୋକମାନେ ସାଧାରଣ ଜନତା, ସରକାରୀ ବାବୁ, ବ୍ୟାଙ୍କ କିମ୍ବା ସରକାରୀ ସଂସ୍ଥା ନାଁରେ ଅବିକଳ ନକଲି ଆକାଉଣ୍ଟ ଖୋଲିପାରିବେ। ଏହାଦ୍ୱାରା ପରିଚୟ ଚୋରି ଓ ଠକେଇ ସହଜ ହୋଇଯିବ। ଏଥିପାଇଁ ଆଇଟି ଆକ୍ଟର ବିଭିନ୍ନ ଧାରା (ଧାରା ୭୯, ନିୟମ ୩ ଓ ୪, ଏବଂ 66C ଓ 66D) ର ଉଲ୍ଲେଖ କରାଯାଇଛି, ଯାହା ପରିଚୟ ଚୋରି ଓ ଅନଲାଇନ୍ ଠକେଇ ସହ ଜଡ଼ିତ।
ଅନ୍ୟପଟେ, ହ୍ୱାଟ୍ସଆପ୍ ନିଜର ଏହି ନୂଆ ସୁବିଧାକୁ ସୁରକ୍ଷିତ ବୋଲି କହିଛି। ବୁଧବାର ଦିନ କମ୍ପାନୀ ସ୍ପଷ୍ଟ କରିଛି ଯେ, ଠକେଇ ରୋକିବା ପାଇଁ ସେମାନେ ଆଗୁଆ ବ୍ୟବସ୍ଥା କରିଛନ୍ତି। ହ୍ୱାଟ୍ସଆପ୍ ପ୍ରବକ୍ତା କହିଛନ୍ତି ଯେ ଏହି ସୁବିଧା ଏବେ ଯାଏଁ ଚାଲୁ ହୋଇନି ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ଏହାକୁ ଧୀରେ ଧୀରେ ଅଣାଯିବ। ନକଲି ଆକାଉଣ୍ଟ ରୋକିବା ପାଇଁ ବଡ଼ ବଡ଼ ନେତା, ସରକାରୀ ସଂସ୍ଥା, ସେଲିବ୍ରିଟି ଏବଂ ଭେରିଫାଏଡ୍ ଆକାଉଣ୍ଟଗୁଡ଼ିକର ନାମକୁ ପୂର୍ବରୁ ସୁରକ୍ଷିତ (Hold) ରଖାଯାଇଛି, ଯେମିତି ସେହି ନାଁରେ କେହି ନକଲି ଆକାଉଣ୍ଟ ଖୋଲିପାରିବେ ନାହିଁ।
ମେଟା କହିଛି ଯେ ୟୁଜରନେମ୍ ଆସିଲେ ବି ହ୍ୱାଟ୍ସଆପ୍ ପାଇଁ ଫୋନ୍ ନମ୍ବର ଦରକାର ହେବ। ଜଣକୁ ମେସେଜ୍ କରିବାକୁ ହେଲେ ତାର ସଠିକ୍ ୟୁଜରନେମ୍ ଜାଣିବାକୁ ପଡ଼ିବ। କମ୍ପାନୀ ଏମିତି ସିଷ୍ଟମ୍ କରିଛି ଯେଉଁଥିରେ କେହି ବାରମ୍ବାର କାହାର ୟୁଜରନେମ୍ ଅନୁମାନ କରି ମେସେଜ୍ କରିପାରିବେ ନାହିଁ ଏବଂ ଗୋଟିଏ ଆକାଉଣ୍ଟରୁ ଅଧିକ ନୂଆ ଲୋକଙ୍କୁ ମେସେଜ୍ ପଠାଇବା ଉପରେ ବି ରୋକ୍ ଲାଗିବ। ଏହାସହ, ପ୍ରଥମ ଥର ପାଇଁ କେହି ମେସେଜ୍ କଲେ, ସେହି ଆକାଉଣ୍ଟଟି ନୂଆ କି ପୁରୁଣା, ସେ ଆପଣଙ୍କ କଣ୍ଟାକ୍ଟରେ ଅଛନ୍ତି କି ନାହିଁ, ଆପଣ ଦୁହେଁ କୌଣସି ଗ୍ରୁପ୍ରେ ଅଛନ୍ତି କି ନାହିଁ କିମ୍ବା ସେ ଅନ୍ୟ ଦେଶର କି ନାହିଁ, ସେସବୁ ତଥ୍ୟ ହ୍ୱାଟ୍ସଆପ୍ ଆପଣଙ୍କୁ ଦେଖାଇବ।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଯଦି ଏହି ଫିଚର ଯୋଗୁଁ ସାଧାରଣ ଲୋକଙ୍କ ସୁରକ୍ଷା କିମ୍ବା ଦେଶର ସୁରକ୍ଷା ପ୍ରତି କିଛି ବିପଦ ଆସେ, ତେବେ ଏହାକୁ ରୋକିବା ପାଇଁ ସରକାର ଆଇନଗତ ଯାଞ୍ଚ କରିବେ। ହ୍ୱାଟ୍ସଆପ୍ର ଯୋଜନା ଥିଲା ଯେ ଫୋନ୍ ନମ୍ବର ସେୟାର ନକରି ମଧ୍ୟ ଲୋକେ ଯେମିତି କଥା ହୋଇପାରିବେ, ସେଥିପାଇଁ ଏହି ଫିଚର ଅଣାଯିବ ଏବଂ ଏଥିପାଇଁ ୟୁଜରନେମ୍ ବୁକ୍ କରିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। କିନ୍ତୁ ସାଇବର ବିଶେଷଜ୍ଞ ଏବଂ ଷ୍ଟାର୍ଟଅପ୍ ମାଲିକମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପେଟିଏମ୍ (Paytm) ର ମାଲିକ ବିଜୟ ଶେଖର ଶର୍ମା ସୋସିଆଲ ମିଡିଆ ‘ଏକ୍ସ’ (ଟ୍ୱିଟର) ରେ ଲେଖିଛନ୍ତି ଯେ, ଏକା ଭଳି ଶୁଭୁଥିବା ନାଁ ଗୁଡ଼ିକ ଯୋଗୁଁ ଠକେଇ ବହୁତ ବଢ଼ିଯାଇପାରେ। ସେହିପରି ‘KnotDating’ ର ଯଶବୀର ସିଂ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ହ୍ୱାଟ୍ସଆପ୍ ଏଥିରେ ଲୋକଙ୍କ ପ୍ରାଇଭେସି (ଗୋପନୀୟତା) ଏବଂ ସୁରକ୍ଷା ମଧ୍ୟରେ କିପରି ସନ୍ତୁଳନ ରଖିବ।

