ନୂଆଦିଲ୍ଲୀ: ଜନ୍ତର-ମନ୍ତରରେ ବିକ୍ଷୋଭ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଓ ଅଶାଳୀନ ଭାଷା କହିଥିଲେ ୧୫ ବର୍ଷୀୟା ଛାତ୍ରୀ। ସେହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ରୀଙ୍କୁ ଟ୍ରୋଲ କରାଯାଇଥିଲା। ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଛାତ୍ରୀଙ୍କୁ କଟାକ୍ଷ କରିଥିଲେ। ଏହା ପରେ ସାମ୍ନାକୁ ଆସିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ।
ଭିଡିଓ ଜାରି କରି ଗାଳି ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଷମା ଦେଇଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ୧୫ ବର୍ଷୀୟା ଛାତ୍ରୀଙ୍କ ମାଆ।
କ୍ଷମା ଦେବା ପରେ ଛାତ୍ରୀଙ୍କ ମାଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି; ପ୍ରଧାନମନ୍ତ୍ରୀ ମୋ' ଝିଅକୁ 'ନୂଆ ଜୀବନ' ଦେଇଛନ୍ତି। ସେହି କ୍ଷମା ଝିଅ ଜନ୍ମଦିନର ସବୁଠାରୁ ବଡ଼ ଉପହାର। ପ୍ରତିଶୋଧ ବଦଳରେ କ୍ଷମାର ପଥ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରୀଙ୍କ ମାଆ।
ଛାତ୍ରୀଙ୍କ ମାଆ କହିଛନ୍ତି; "ପ୍ରଧାନମନ୍ତ୍ରୀ ମୋଦୀ ଅଶାଳୀନ ଓ ଅଭଦ୍ର ଭାଷା ବ୍ୟବହାର କରିଥିବା ଜଣେ ଛୋଟ ଝିଅକୁ କ୍ଷମା କରି ନିଜର ମହାନତା ଦେଖାଇଛନ୍ତି। ଆଜି ତା’ର ଜନ୍ମଦିନ, ଆଉ ପ୍ରଧାନମନ୍ତ୍ରୀ ତାକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଆଜି ମୋ' ଝିଅର ପୁନର୍ଜନ୍ମ ପାଇଛି।”
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲୋକଙ୍କୁ ସଂଯମ ରକ୍ଷା କରିବାକୁ ଆହ୍ୱାନ କରିଥିଲେ। ଏହି ଘଟଣା ଜନ୍ତର-ମନ୍ତରରେ NEET-UG ପେପର ଲିକ ବିରୋଧରେ ସିଜେପି ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଗା ଯାଇଥିବା କଥିତ ଆପତ୍ତିଜନକ ସ୍ଲୋଗାନ ସହ ଜଡ଼ିତ।
ପ୍ରଧାନମନ୍ତ୍ରୀ ମୋଦୀ ଅଶାଳୀନ ଭାଷା ବ୍ୟବହାର କରିଥିବା ଲୋକଙ୍କୁ 'ବାଟବଣା ହୋଇଥିବା' ବୋଲି କହିଥିଲେ। ଏହାର ଉତ୍ତର ରାଗ କିମ୍ବା ପ୍ରତିଶୋଧ ମନୋଭାବରେ ଦେବା ଉଚିତ ନୁହେଁ ବୋଲି ମତ ରଖିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଭିଡିଓ ପରେ ଛାତ୍ରୀ ଜଣକ କ୍ଷମା ପ୍ରାର୍ଥନା କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେହି ଭିଡିଓରେ ସେ ନିଜକୁ ୧୫ ବର୍ଷ ବୟସର ବୋଲି କହିଥିଲେ। ନିଜ ଭୁଲର ଗୁରୁତ୍ୱ ବୁଝି ପାରିଥିବା କଥା କହିଥିଲେ।
ଝିଅଟି କହିଥିଲେ, ମୁଁ ଯାହା କରିଛି, ତାହା କ୍ଷମାଯୋଗ୍ୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନେକ ଭୁଲ କଥା କହିଥିଲି। ସାଙ୍ଗମାନଙ୍କ ସହ ବୁଲିବା ପରେ ମୁଁ ଆନ୍ଦୋଳନ ସ୍ଥଳକୁ ଯାଇଥିଲି। ସେଠାରେ ଅନ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଉଥିବା ଦେଖି ମୁଁ ମଧ୍ୟ ପ୍ରଭାବିତ ହୋଇ ଯାଇଥିଲି। ଏହାକୁ ନିଜର 'ପ୍ରଥମ ଓ ଶେଷ ଭୁଲ' ବୋଲି କହି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଥିଲେ ଛାତ୍ରୀ।
ଝିଅ ବିରୋଧରେ ଏଫ୍ଆଇଆର୍ ମଧ୍ୟ ରୁଜୁ: କ୍ଷମା ମାଗିବା ସତ୍ତ୍ୱେ ମଧ୍ୟ ୨୩ ଜୁଲାଇର ଆନ୍ଦୋଳନ ସମୟରେ କଥିତ ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଅଭିଯୋଗରେ ଛାତ୍ରୀଙ୍କ ବିରୋଧରେ ନୋଏଡାର ଏକ ଥାନାରେ ପୂର୍ବରୁ ଅଭିଯୋଗ ରୁଜୁ ହୋଇ ସାରିଥିଲା। ନୋଏଡା ପୋଲିସ ଜିରୋ ଏଫ୍ଆଇଆର୍ ରୁଜୁ କରି ପରେ ଏହାକୁ ନୂଆଦିଲ୍ଲୀର ସଂସଦ ମାର୍ଗ ଥାନାକୁ ସ୍ଥାନାନ୍ତର କରିଥିଲା।
ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, ଝିଅଟିର ମନ୍ତବ୍ୟ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛି। ଏହା ଫଳରେ ସାମାଜିକ ସଦ୍ଭାବ ଓ ସାର୍ବଜନୀନ ଶାନ୍ତି ବିଘ୍ନିତ ହେବାର ଆଶଙ୍କା ରହିଛି।
ଛାତ୍ରୀଙ୍କ ମାଆ କହିଛନ୍ତି; ମୁଁ ଓ ମୋ' ଝିଅ ଅନେକ ଥର କ୍ଷମା ପ୍ରାର୍ଥନା କରିଛୁ। ଏଫ୍ଆଇଆର୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛୁ। ଏଫ୍ଆଇଆର୍ରେ ଝିଅର ବୟସ ଭୁଲ ବଶତଃ ୨୫ ବର୍ଷ ଲେଖାଯାଇଛି। ଯେତେବେଳେ ସେ ଜଣେ ନାବାଳିକା।

