Rain Thunderstorm Impact : ମୌସୁମୀର ଆଗମନ ଏବଂ ପଶ୍ଚିମାଞ୍ଚଳ ବ୍ୟତିକ୍ରମ ଯୋଗୁଁ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ରାଜ୍ୟରେ ଗତକାଲି ଭୟଙ୍କର ଝଡ଼-ତୋଫାନ ଏବଂ ପ୍ରବଳ ବର୍ଷା ହୋଇଛି, ଯାହା ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ଝଡ଼-ତୋଫାନ ଓ ବର୍ଷା ଜନିତ ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବିହାରରେ ୧୭ ଜଣ ଏବଂ ପଶ୍ଚିମବଙ୍ଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ଉତ୍ତରପ୍ରଦେଶରଅନେକଜିଲ୍ଲାରେତାଣ୍ଡବ: ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟାରେ ଭୟଙ୍କର ଝଡ଼ ଓ ପ୍ରବଳ ବର୍ଷା ହୋଇଛି। ବୁନ୍ଦେଲଖଣ୍ଡ ଏବଂ ପୂର୍ବାଞ୍ଚଳରେ ପାଣିପାଗର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ସହାରନପୁରରେ ପାହାଡ଼ରୁ ଆସିଥିବା ପାଣିର ପ୍ରଖର ସ୍ରୋତରେ ଇନୋଭା ଏବଂ ଟ୍ରାକ୍ଟର ସମେତ ପ୍ରାୟ ୧୦ଟି ଗାଡ଼ି ଭାସିଯାଇଛି। ଚୌରିଚୌରା ଏବଂ ଗୌରୀ ବଜାର ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନ୍ ଉପରେ ୪ଟି ଗଛ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବ୍ୟାପୀ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟା ମଧ୍ୟରେ ପୀଡ଼ିତମାନଙ୍କୁ ସହାୟତା ରାଶି ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷା କାରଣରୁ ପାଣି ଜମି ରହିବା ଯୋଗୁଁ ଗୋରଖପୁର କ୍ୟାଣ୍ଟରୁ ଦେଓରିଆ ମଧ୍ୟରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ଅନେକ ଟ୍ରେନ୍ ବାଟରେ ଅଟକି ରହିଥିଲା। ଉରାଇ ଏବଂ ଭୁଆ ଷ୍ଟେସନ ମଧ୍ୟରେ ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନର ଖୁଣ୍ଟ ଭାଙ୍ଗିଯିବାରୁ ଝାନ୍ସି-ଲକ୍ଷ୍ନୌ ରେଳଖଣ୍ଡରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଆଗ୍ରାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଝଡ଼ ସହିତ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ସାଇଁ କା ତକିଆ ଛକ ନିକଟରେ ଏକ ଇ-ରିକ୍ସା ଉପରେ ନିମ୍ବ ଗଛ ପଡ଼ିଯିବାରୁ ରିକ୍ସା ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ବାରଣାସୀରେ ଘଣ୍ଟା ପ୍ରତି ୭୫ କିମି ବେଗରେ ଝଡ଼ ଆସିଥିଲା। ପ୍ରୟାଗରାଜରେ ମେ’ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷାର ୫୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ରାତି ଗୋଟାଏରୁ ଭୋର ୫ଟା ମଧ୍ୟରେ ମାତ୍ର ୪ ଘଣ୍ଟାରେ ୬୧ ମିଲିମିଟର ବର୍ଷା ହୋଇଛି। ୧୮ ମଇ ୧୯୭୧ରେ ୫୪ ମିଲିମିଟର ବର୍ଷା ହୋଇଥିଲା।
ବିହାରରେଟ୍ରେନ୍ବିଳମ୍ବଏବଂଫ୍ଲାଇଟ୍ଡାଇଭର୍ଟ
ବିହାରରେ ଗତ ୨୪ ଘଣ୍ଟାରେ ଝଡ଼-ତୋଫାନ, ବର୍ଷା ଏବଂ ବଜ୍ରପାତ ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ପାଟନାରେ ୪ଟି ଫ୍ଲାଇଟ୍ ଡାଇଭର୍ଟ କରାଯାଇଛି। ୧୮ଟି ଫ୍ଲାଇଟ୍ ବିଳମ୍ବ ହେବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ନେପାଳରେ ବର୍ଷା ହେତୁ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଗଣ୍ଡକ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି, ଯାହା ଫଳରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ପାଟନାରେ ୧୦୭ ଏବଂ ଗୟାରେ ୭୪ କିମି ପ୍ରତି ଘଣ୍ଟା ବେଗରେ ପବନ ବହିଥିଲା। ବିହାରରେ ସର୍ବାଧିକ ବର୍ଷା ମୋତିହାରୀରେ ୧୧୬.୦ ମିମି ହୋଇଛି। ପୁଜହା ଘାଟ ନିକଟରେ ନଦୀର ଜଳସ୍ତର ବଢ଼ିବାରୁ ପିପା ପୋଲ କ୍ଷତିଗ୍ରସ୍ତ ହୋଇଛି। କୋଡରମା ରେଳଖଣ୍ଡରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସହାୟତା ରାଶି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତରାଖଣ୍ଡରେଜଙ୍ଗଲନିଆଁଲିଭିଲା
ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି। ଗଢ଼ୱାଲରେ ୩୦୫.୭୮ ହେକ୍ଟର ଏବଂ କୁମାଉଁରେ ୬୯.୨୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଯାଇଥିଲା। ଅନ୍ୟପକ୍ଷରେ ରୁଦ୍ରପ୍ରୟାଗର ତୁଙ୍ଗନାଥ-ଚୋପ୍ତା ଅଞ୍ଚଳରେ ଝଡ଼-ତୋଫାନ ଓ ବର୍ଷା ସମୟରେ ବଜ୍ରପାତ ଯୋଗୁଁ ଲକ୍ଷ୍ନୌର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବଜ୍ରପାତରେ ଲକ୍ଷ୍ନୌର ୧୯ ବର୍ଷୀୟ ଅଭିନବ ବାଜପେୟୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଭାଇ ୨୨ ବର୍ଷୀୟ ଅଭିଷେକ ବାଜପେୟୀ, ଉନ୍ନାଓ ନିବାସୀ ୨୫ ବର୍ଷୀୟ ଶୁଭମ୍ ଶୁକ୍ଲା, ଆଜନ୍ ମିଶ୍ରା ଏବଂ ନୀବ ମିଶ୍ରା ଆହତ ହୋଇଥିଲେ, କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଖୀମଠ ନେବା ବାଟରେ ଅଭିଷେକ ମଧ୍ୟ ପ୍ରାଣ ହରାଇଥିଲେ।
ହିମାଚଳ ପ୍ରଦେଶରେ କେଉଁଠି ଝଡ଼ ସହ ପ୍ରବଳ ଶିଳାବୃଷ୍ଟି ହୋଇଥିଲା ତ କେଉଁଠି ରୋହତାଙ୍ଗ, ଶିଙ୍କୁଳା ଏବଂ ବାରାଲାଚାରେ ହାଲୁକା ବରଫପାତ ହୋଇଛି। ଜମ୍ମୁର ଅନେକ ଅଞ୍ଚଳରେ ଆକାଶ ମେଘୁଆ ରହିବା ଏବଂ ପବନ ବହିବା ଯୋଗୁଁ ଗରମରୁ ଆଶ୍ୱସ୍ତି ମିଳିଛି। ଅନନ୍ତନାଗରେ ଅଖରୋଟ ଗଛ ପଡ଼ିଯିବାରୁ ଜଣେ ୭୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ବଙ୍ଗଳାରେ ଝଡ଼, ପ୍ରବଳ ବର୍ଷା ଏବଂ ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଆହତମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ।

