ମୁମ୍ବାଇ: ମମତାର ଭବିଷ୍ୟତ ପାଇଁ ଶାଢ଼ୀରେ ଦୌଡ଼ିଲେ ୪୭ ବର୍ଷୀୟା ମାଆ। ଖାଲି ଦୌଡ଼ିଲେ ନାହିଁ, ବିଜୟ ମଧ୍ୟ ହୋଇଛନ୍ତି। ମାରାଥନ୍ ଜିତିବା ପରେ ଭାବ ବିହ୍ୱଳ ହୋଇ କହିଛନ୍ତି, ଏହି ଟଙ୍କା ଝିଅର ପାଠ ପଢ଼ାରେ ଖର୍ଚ୍ଚ କରିବି। ଏପରି ଭଲ ଖବର ମହାରାଷ୍ଟ୍ରର ବୀଡ ଜିଲ୍ଲା ଅମ୍ବାଜୋଗାଇରୁ ଆସିଛି।
ବୀଡ ଜିଲ୍ଲା ଅମ୍ବାଜୋଗାଇ ଗାଁର ୪୭ ବର୍ଷୀୟ ମହିଳା ରମାବାଇ ରଣବୀର।
ଦାରିଦ୍ର୍ୟ ଯନ୍ତ୍ରଣା ଯୋଗୁଁ ଝିଅକୁ ପାଠ ପଢ଼ାଇ ପାରୁନଥିଲେ। ତେଣୁ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। କ'ଣ କରିବେ ଭାବି ପାରୁନଥିଲେ। ଦିନେ ସେ ଜାରିବାକୁ ପାଇଲେ ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥା ଦ୍ୱାରା ପରିଚାଳିତ ଖୋଲେଶ୍ୱର ଏଜୁକେସନାଲ୍ କମ୍ପ୍ଲେକ୍ସର 'ଅମୃତ ମହୋତ୍ସବ' ସମାରୋହ ଅବସରରେ 'ଅମୃତ ଦୌଡ଼' ଆୟୋଜନ ହେଉଛି। ଆଉ ଏଥିରେ ବିଜେତାଙ୍କୁ ମିଳିବ ୩୦୦୦ ଟଙ୍କା। ତେଣୁ ସେ ଗଣଦୌଡ଼ରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଲେ।
ରମାବାଇ ରଣବୀର ଗଣ ଦୌଡ଼ରେ ଭାଗ ନେବା ପାଇଁ ପହଞ୍ଚିଲେ। ହେଲେ ଚାକଚକ୍ୟ ଦୁନିଆରେ ପ୍ରତିଯୋଗୀମାନେ ସ୍ପୋର୍ଟ୍ସ ଜୋତା ଓ ଟ୍ରାକ୍ ସୁଟ ପିନ୍ଧି ମାରାଥନ୍ରେ ଦୌଡ଼ିବା ପାଇଁ ଆସିଥିବା ବେଳେ ରମାବାଇ ଅତି ସାଦାସିଧା ବେଶରେ ଶାଢ଼ୀ ପିନ୍ଧି ଆସିଥିଲେ। ଆରମ୍ଭ ହେଲା ମାରାଥନ୍। ଦୌଡ଼ିବା ଆରମ୍ଭ କଲେ ରମାବାଇ। ଦୌଡ଼ିବା ବେଳେ ତାଙ୍କ ପାଦରୁ ବାରମ୍ବାର ଚପଲ ବାହାରି ଯାଉଥିଲା। ହେଲେ ସେଥିପ୍ରତି ସେ ଖାତିର ନକରି ଦୌଡ଼ିବାରେ ଲାଗିଥିଲେ। ମାରାଥନ୍ନରେ ସେ ଅନ୍ୟମାନଙ୍କ ଭିତରେ ବାରି ହୋଇପଡ଼ୁଥିଲେ। ହେଲେ କେବେ ନିଜକୁ ଲଜ୍ଜ୍ୟାବୋଧ ବା ସଙ୍କୋଚ ଅନୁଭବ କରିନଥିଲେ। କାରଣ ତାଙ୍କ ଆଖି ଆଗରେ ଘୂରି ବୁଲୁଥିଲା ଝିଅର ଭବିଷ୍ୟତ।
ଛତ୍ରପତି ଶିବାଜୀ ମହାରାଜ ଛକରୁ ବାହାରିଥିବା ମାରାଥନ ଭାଗ୍ୟନଗର ଛକରେ ପହଞ୍ଚିଥିଲା। ଆଉ ଏଥିରେ ବିଜୟୀ ହୋଇଥିଲେ ରମାବାଇ। ହେଲେ ତାଙ୍କ ସାଙ୍ଗରେ ମାରାଥନ୍ରେ ଦୌଡ଼ ଆରମ୍ଭ କରିଥିବା ଯୁବକ ଓ ଯୁବତୀମାନେ ବହୁ ପଛରେ ରହି ଯାଇଥିଲେ। ସମସ୍ତଙ୍କୁ ପଛରେ ପକାଇ ଝିଅର ଭବିଷ୍ୟତ ପାଇଁ ବିଜୟୀ ହୋଇ ୩ ହଜାର ଟଙ୍କା ପୁରସ୍କାର ପାଇଥିଲେ ରମାବାଇ।
ପୁରସ୍କାର ବାବଦକୁ ଟଙ୍କା ଗ୍ରହଣ କରିବା ବେଳେ ଭାବ ବିହ୍ୱଳ ହୋଇଥିଲେ ରମାବାଇ। ଆଉ ସେ କହିଥିଲେ; ୩,୦୦୦ ଟଙ୍କାର ପୁରସ୍କାର ରାଶିକୁ ମୋ' ନିଜ ଝିଅର ପାଠପଢ଼ା ପାଇଁ ବ୍ୟବହାର କରିବି।

