ଗଞ୍ଜାମ: ପରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଞ୍ଚଳର ହଂସତୁଳି ଗାଁରେ ଏହି ଘଟଣା ଘଟିଛି।
ଆହତ ବ୍ୟକ୍ତିଙ୍କୁ ହଂସତୁଳି ଗାଁର କିରଣ ପାତ୍ର ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁସାରେ, ପରିବାରିକ ବିବାଦ ପରେ କିରଣ ଗାଁର କାଳୀ ମନ୍ଦିର ନିକଟକୁ ଯାଇଥିଲେ।
ସେଠାରେ ଏକ ଧାରୁଆ ଛୁରୀରେ ସେ ନିଜ ଜିଭ କାଟି ଦେଇଥିବା ଜଣାପଡ଼ିଛି।
ପରେ ମନ୍ଦିର ନିକଟରେ ରକ୍ତାକ୍ତ ଅବସ୍ଥାରେ କିରଣଙ୍କୁ ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ପୋଲିସକୁ ସୂଚନା ଦିଆଯିବା ସହ ଆମ୍ବୁଲାନ୍ସ ଡକାଯାଇଥିଲା।
ଉଦ୍ଧାର ପରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଛି।
ଏହି ଘଟଣାକୁ ନେଇ ବେଗୁନିଆପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି। ପରିବାରିକ ବିବାଦର କାରଣ ଏବଂ ଘଟଣାର ପୂରା ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।

