ଭୁବନେଶ୍ୱର: ଲଘୁଚାପ ବର୍ଷା ପରେ ହୋଇଛି ପ୍ରଳୟଙ୍କରୀ ବନ୍ୟା। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷ ଉଜୁଡ଼ିଛି ଓ ବାସ ବୁଡ଼ିଛି। ବନ୍ୟା ପାଣିରେ ଭାସି ଆସୁଛନ୍ତି ବିଷାକ୍ତ ସାପ। ବଢ଼ିଛି ସେମାନଙ୍କ ଉତ୍ପାତ। ସାପ କାମୁଡ଼ାରେ ଆଜି ପର୍ଯ୍ୟନ୍ତ ୯୬ ଜଣଙ୍କ ଅସୁସ୍ଥ ହୋଇଛି। ହେଲେ କାହାରି ମୃତ୍ୟୁ ହୋଇନଥିବା ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡା.
ବସନ୍ତ ପ୍ରଧାନ କହିଛନ୍ତି।
ସେ ଆହୁରି କହିଛନ୍ତି; ବନ୍ୟା ଯୋଗୁଁ ଅନେକ ଗାଁରେ ପାଣି ପଶିଛି। ଉଦ୍ଧାରକାରୀ ଦଳ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ଥଇଥାନ କରିଛି। ଉଦ୍ଧାର ହୋଇଥିବା ଲୋକଙ୍କ ଭିତରେ ୪୮୧ ଗର୍ଭବତୀ ଅଛନ୍ତି। ସେଥିରୁ ୩୩୨ ଜଣଙ୍କ ପ୍ରସବ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।
ଲଘୁଚାପ ଜନିତ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ଆସିଛି। ଏଥିରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ପାଣି ଘେରରେ ବହୁ ଗାଁ ରହିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଚାଷ ଏକପ୍ରକାର ନଷ୍ଟ ହୋଇଯାଇଛି। ବିପନ୍ନଙ୍କୁ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି।
ସାପ କାମୁଡ଼ାରେ ୧,୮୫୯ ମୃତ: ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ ଓଡ଼ିଶାରେ ୨୦୨୩-୨୪ ଓ ୨୦୨୪-୨୫ ମସିହା ମଧ୍ୟରେ ସାପ କାମୁଡ଼ାରେ ୧,୮୫୯ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୦୨୩-୨୪ରେ ୧,୧୫୦ ଜଣ ଓ ୨୦୨୪-୨୫ରେ ୭୦୯ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ତେବେ ୨୦୨୩-୨୪ ମସିହାରେ ଘଟିଥିବା ୧,୧୫୦ଟି ମୃତ୍ୟୁ ମଧ୍ୟରୁ ୧,୦୨୨ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ୨୨ଟି ଆବେଦନ ଖାରଜ ହୋଇଛି। ସେହିପରି ୨୦୨୪-୨୫ରେ ରିପୋର୍ଟ ହୋଇଥିବା ୭୦୯ଟି ଘଟଣା ମଧ୍ୟରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସେତେବେଳେ କହିଥିଲେ।

