ଲକ୍ଷ୍ନୌ: ସରକାର ଦେବେ ୨୫ ହଜାର ଟଙ୍କା। ଏଥିପାଇଁ ଟଙ୍କାଟିଏ ଜମା କରିବାକୁ ପଡ଼ିବ ନାହିଁ। କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ସମ୍ପୂର୍ଣ୍ଣ ସତକଥା। ଝିଅଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଉତ୍ତମ ସ୍ୱାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ତରପ୍ରଦେଶ ସରକାର ଏପରି ଏକ ଯୋଜନା ଲାଗୁ କରିଛନ୍ତି।
ଯାହାର ନାଁ ରହିଛି 'ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା’। ଏହି ଯୋଜନାରେ ଝିଅର ଜନ୍ମରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସରକାର ପର୍ଯ୍ୟାୟ କ୍ରମେ ମୋଟ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାଏ।
ସୂଚନାରୁ ପ୍ରକାଶ; ପୂର୍ବରୁ ଏହି ଯୋଜନାରେ ୧୫,୦୦୦ ଟଙ୍କା ଦିଆଯାଉଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଯାହାକୁ ବୃଦ୍ଧି କରି ୨୫,୦୦୦ ଟଙ୍କା କରାଯାଇଛି। ଏହି ରାଶି କୌଣସି ଅଗ୍ରିମ ଜମା କିମ୍ବା ପ୍ରିମିୟମ ବିନା ସିଧାସଳଖ ଡିବିଟି ମାଧ୍ୟମରେ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ।
୬ଟି ସହଜ କିସ୍ତିରେ ମିଳିବ ସହାୟତା: ଏହି ଯୋଜନାର ଆରମ୍ଭ ଅକ୍ଟୋବର ୨୦୧୯ ମସିହାରେ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା, ବାଲ୍ୟ ବିବାହ ଭଳି କୁପ୍ରଥା ଉପରେ ଅଙ୍କୁଶ ଲଗାଇବା ଓ ଝିଅମାନଙ୍କ ପଢ଼ାଶୁଣାକୁ ଜାରି ରଖିବା।
ମୋଟ ୨୫,୦୦୦ ଟଙ୍କା ଏକକାଳୀନ ନଦେଇ ୬ଟି ପର୍ଯ୍ୟାୟରେ ପ୍ରଦାନ କରାଯାଏ। ଝିଅର ଜନ୍ମ ସମୟରେ ୫,୦୦୦ ଟଙ୍କା। ଏକ ବର୍ଷର ସମ୍ପୂର୍ଣ୍ଣ ଟିକାକରଣ ପରେ ୨,୦୦୦ ଟଙ୍କା। ପ୍ରଥମ ଶ୍ରେଣୀରେ ଭର୍ତ୍ତି ସମୟରେ ୩,୦୦୦ ଟଙ୍କା। ଷଷ୍ଠ ଶ୍ରେଣୀରେ ଆଡମିସନ ବେଳେ ୩,୦୦୦ ଟଙ୍କା ଓ ନବମ ଶ୍ରେଣୀରେ ଭର୍ତ୍ତି ବେଳେ ୫,୦୦୦ ଟଙ୍କା ମିଳିବ। ଦ୍ୱାଦଶ ଶ୍ରେଣୀ ପାସ ପରେ ଡିଗ୍ରୀ କିମ୍ବା ଅତି କମରେ ଦୁଇ ବର୍ଷିଆ ଡିପ୍ଲୋମା କୋର୍ସରେ ଆଡମିସନ୍ ହେଲେ ୭,୦୦୦ ଟଙ୍କା ମିଳିବ।
କିଏ ଏହି ଯୋଜନାର ଲାଭ ଉଠାଇପାରିବେ?: ଲାଭାର୍ଥୀ ପରିବାର ଉତ୍ତରପ୍ରଦେଶର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ। ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ହେବା ଦରକାର। ସାଧାରଣ ନିୟମ ଅନୁଯାୟୀ ଗୋଟିଏ ପରିବାରର ସର୍ବାଧିକ ଦୁଇଜଣ ଝିଅ ଏହି ଯୋଜନାର ସୁବିଧା ପାଇପାରିବେ।
ବିଶେଷ ଛାଡ଼ ମଧ୍ୟ ରହିଛି: ଦ୍ୱିତୀୟ ପ୍ରସବ ସମୟରେ ଯଦି ଯାଆଁଳା ଝିଅ ଜନ୍ମ ହୁଅନ୍ତି, ତେବେ ପରିବାରର ତିନିଜଣ ଝିଅ ଏହି ଯୋଜନାର ଲାଭ ପାଇବେ। ଯଦି କୌଣସି ପରିବାର ଆଇନଗତ ଭାବେ ଜଣେ ଅନାଥ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି, ତେବେ ନିଜ ଝିଅ ଓ ପୋଷ୍ୟ ଝିଅଙ୍କୁ ମିଶାଇ ସର୍ବାଧିକ ଦୁଇଜଣ ଝିଅ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ହେବେ।
ଆବଶ୍ୟକ କାଗଜପତ୍ର: ଯୋଜନାରେ ଆବେଦନ କରିବା ପାଇଁ ରାସନ କାର୍ଡ, ଆୟ ପ୍ରମାଣପତ୍ର, ମାତା-ପିତା ଓ ଝିଅର ପରିଚୟ ପତ୍ର, ବ୍ୟାଙ୍କ ପାସ୍ବୁକ୍ର କପି, ପାସପୋର୍ଟ ଫଟୋ, ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ଓ ସ୍ୱଚ୍ଛ ରଖାଯାଇଛି। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ପୋର୍ଟାଲରେ ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ। ଆବେଦନର ଯାଞ୍ଚ କରାଯାଏ ଅନୁମୋଦନ ମିଳିଲେ କିସ୍ତି ରାଶି ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯାଏ।

