ଜାମସେଦପୁର: ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅଙ୍କ ସମେତ ୪ ଜଣଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୁରୁବାର ଭୋର ସମୟରେ ଜାମସେଦପୁରର ସୋନାରୀ ଥାନା ଅଞ୍ଚଳର ମେରାଇନ୍ ଡ୍ରାଇଭ୍ ରୋଡ୍ରେ ଏହି ଦୁର୍ଘଟଣା ଘଟିଛି।
ପୁଲିସ ସୂଚନା ଅନୁସାରେ, ୪ ଜଣ ଏକ ଧଳା ସ୍ୱିଫ୍ଟ କାର୍ରେ ଯାଉଥିଲେ।
ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ର ପଛପଟେ କାର୍ଟି ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ ଚୁର୍ମାର୍ ହୋଇ ଟ୍ରକ୍ ତଳେ ଫସିଯାଇଥିଲା।
ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟ ଘଟିଛି । ମୃତକ ମାନେ ହେଲେ ତ୍ରିଶା ସିଂହ, ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଓ ବଂଶିକା ଖଣ୍ଡେଲୱାଲ । ତ୍ରିଶା ସିଂହ ଝାଡ଼ଖଣ୍ଡ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହଙ୍କ ଝିଅ। ମୃତକ ୪ ଜଣ ଛାତ୍ରଛାତ୍ରୀ ଥିବା ଏବଂ ସେମାନେ ଏକାଠି ଯାତ୍ରା କରୁଥିବା ସୂଚନା ମିଳିଛି।
ସୋନାରୀ ଥାନା ଅଧିକାରୀ ସଞ୍ଜୟ ସୁମନ କହିଛନ୍ତି ଯେ, କାର୍ରେ ଥିବା ସମସ୍ତ ୪ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ସମସ୍ତେ ପ୍ରାଣ ହରାଇଛନ୍ତି ବୋଲି ଡିଏସ୍ପି ମନୋଜ ଠାକୁର ସ୍ପଷ୍ଟ କରିଛନ୍ତି।
ଦୁର୍ଘଟଣା ପରେ ମୃତକଙ୍କ ମୃତଦେହ କାର୍ ଭିତରେ ଫସି ରହିଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ଗ୍ୟାସ୍ କଟର ସାହାଯ୍ୟରେ କାର୍କୁ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ। ପରେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ MGM ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
ଘଟଣାସ୍ଥଳର ଦୃଶ୍ୟ ଅନୁସାରେ, ଚାରି ଲେନ୍ ବିଶିଷ୍ଟ ରାସ୍ତାର ଡିଭାଇଡର ନିକଟରେ ଟ୍ରକ୍ଟି ଠିଆ ହୋଇଥିଲା। ଟ୍ରକ୍ଟି ଖରାପ ହୋଇଯାଇଥିବାରୁ ସେଠାରେ ରଖାଯାଇଥିବା ଏବଂ ଏହାର ପଛପଟେ ଏକ ଛୋଟ ଗଛ ଡାଳ ରଖାଯାଇଥିବା କୁହାଯାଉଛି।
ତେବେ ଘଟଣାସ୍ଥଳର ଭିଜୁଆଲରେ ଟ୍ରକ୍ ପଛପଟେ କୌଣସି ରିଫ୍ଲେକ୍ଟର କିମ୍ବା ସତର୍କତା ସୂଚନା ଚିହ୍ନ ଦେଖାଯାଇନଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଘଟଣାକ୍ରମ ନେଇ ପୁଲିସ ତଦନ୍ତ ଜାରି ରଖିଛି।

