କୋଲକାତା: ମୁଖ୍ୟମନ୍ତ୍ରୀ ହେବା ପରେ ୭ ଦିନରେ ନ୍ୟାୟ ମିଳିବ ବୋଲି କଥା ଦେଇଥିଲେ ସିଏମ୍ ଶୁଭେନ୍ଦୁ ଅଧିକାରୀ। ହେଲେ ଇତି ମଧ୍ୟରେ ଦୁଇ ମାସ ବିତିଲାଣି। ନ୍ୟାୟ ମିଳିନାହିଁ। ଆଜି ଏପରି କ୍ଷୋଭ ପ୍ରକାଶ କରିଛନ୍ତି ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମାଆ ତଥା ବିଜେପି ବିଧାୟକ ରତ୍ନା ଦେବନାଥ।
ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ କରିଛନ୍ତି; ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବା ପରେ ୭ ଦିନ ମଧ୍ୟରେ ଝିଅକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ହେଲେ ଇତି ମଧ୍ୟରେ ଦୁଇ ମାସ ବିତି ଗଲାଣି। ନ୍ୟାୟ ମିଳିଲା ନାହିଁ। ତଥାପି ମୁଁ ସରକାରଙ୍କ ଉପରେ ନିରନ୍ତର ବିଶ୍ୱାସ ରଖିଛି। ଅପରାଧୀମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଦିଆଯିବ।
ରତ୍ନା ଦେବନାଥ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଧିକାଂଶ ପ୍ରତିଶ୍ରୁତି ପୂରଣ କରିଛନ୍ତି। ମୋର ବିଶ୍ୱାସ ଅଛି ନ୍ୟାୟ ନିଶ୍ଚିତ ମିଳିବ। ମୋ' ଝିଅ ହତ୍ୟାକାରୀଙ୍କୁ ମୁଁ ମଣିଷ ବୋଲି ଭାବେନି। ଡାକ୍ତରମାନଙ୍କୁ ତ କେବେ ନୁହେଁ। ମୁଁ ଜାଣେ ସେମାନେ କିଏ? ସମସ୍ତ ଦୋଷୀଙ୍କୁ ଦଣ୍ଡ ଦିଆଯିବ।”
ପୀଡ଼ିତାଙ୍କ ପିତା ଶେଖର ରଞ୍ଜନ ଦେବନାଥ ମଧ୍ୟ ନ୍ୟାୟ ପାଇଁ ଆଶା ପ୍ରକାଶ କରିବା ପରେ ରତ୍ନା ଦେବନାଥଙ୍କ ବୟାନ ସମ୍ନାକୁ ଆସିଛି। ଜୁନ୍ ୨୭ ତାରିଖରେ ଶେଖର ରଞ୍ଜନ କହିଥିଲେ; ତମନ୍ନା ଖାତୁନ୍ ମାମଲାରେ ହୋଇଥିବା ଗିରଫଦାରୀ ମୋ' ବିଶ୍ୱାସକୁ ଦୃଢ଼ କରିଛି। ଝିଅର ମାମଲାରେ ଦୋଷୀମାନେ ଦଣ୍ଡ ପାଇବେ ବୋଲି ରଞ୍ଜନ କହିଥିଲେ।
ସୂଚନାରୁ ପ୍ରକାଶ; ୨୦୨୪ ଅଗଷ୍ଟ ୯ ତାରିଖରେ କୋଲକାତା ଆର୍ଜି କର ମେଡିକାଲ୍ କଲେଜର ମେଡିକାଲ୍ ଛାତ୍ରୀଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା। ସେତେବେଳେ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତଦନ୍ତ ଶିଥିଳତାକୁ ନେଇ ବୁଦ୍ଧିଜୀବୀ ଉଦ୍ବେଗ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ନିର୍ବାଚନରେ ପ୍ରସଙ୍ଗ କରିଥିଲା ବିଜେପି। ଯେଉଁଥିପାଇଁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ପରାଜୟ ହେଲା ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଥିଲେ। ବିଜେପି କ୍ଷମତାକୁ ଆସିବାର ୭ ଦିନ ଭିତରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ମୁହଁ ଖୋଲିଛନ୍ତି ପୀଡ଼ିତାଙ୍କ ମାଆ।

