Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲକ୍ଷେ ଫଗୁଣର ଯାଦୁଗରଙ୍କୁ ଝୁରୁଛି ଓଡ଼ିଶା. ଫେରିଆସ ଭାଇ.

ଲକ୍ଷେ ଫଗୁଣର ଯାଦୁଗରଙ୍କୁ ଝୁରୁଛି ଓଡ଼ିଶା. ଫେରିଆସ ଭାଇ.

ଭୁବନେଶ୍ୱର: ଆଜି କେଉଁଠି ବାଜୁଛି ତାଙ୍କ ବିରହର ଗୀତ, ତ ଆଉ କେଉଁଠି ଶୁଭୁଛି ପ୍ରେମର ମିଠା ସ୍ୱର। ମୋବାଇଲ୍‌ରୁ ରେଡ଼ିଓ, କଲେଜ କ୍ୟାମ୍ପସ୍‌ରୁ ପ୍ରେମୀଯୁଗଳଙ୍କ ହୃଦୟ… ସବୁଠି ଦିନେ ରାଜ୍ କରୁଥିଲେ ଗଣ୍ଠର ଯାଦୁଗର ହ୍ୟୁମନ ସାଗର। ଆଜି ସିଏ ନାହାନ୍ତି। ହେଲେ ତାଙ୍କ ମଧୁରମୂର୍ଚ୍ଛନା ଆଜି ମଧ୍ୟ ଗୁଞ୍ଜରିତ ହେଉଛି ଅଗଣିତ ପ୍ରେମୀ ଯୁଗଳଙ୍କ ହୃଦୟରେ।

ଆଜି ହେଉଛି ହ୍ୟୁମାନ୍ ସାଗର ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଦେଖୁ ଦେଖୁ ବର୍ଷେ ବିତିଗଲା। ହେଲେ ତାଙ୍କ ଅନୁପସ୍ଥିତି ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ହୃଦୟକୁ ପୁଲକିତ କରୁଛି। ୩୪ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏମିତି ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି, ଯାହା ପୂରଣ କରିବା ସହଜ ନୁହେଁ।

୨୦୨୫ ନଭେମ୍ବର ୧୭। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଥିଲା ଏକ ଦୁଃଖଦ ଦିନ। ମାତ୍ର ୩୪ ବର୍ଷ ବୟସରେ ହ୍ୟୁମାନ୍ ସାଗର ଆଖି ବୁଜିଥିଲେ। ଭୁବନେଶ୍ୱର ଏମ୍‌ସରେ ନିମୋନିଆ ଓ ଏକାଧିକ ଅଙ୍ଗ ଅକାମୀ ହେବା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା। ଯେଉଁ କଣ୍ଠରେ ଦିନେ ଲକ୍ଷ ଲକ୍ଷ ଲୋକ ମତୁଆଲା ହେଉଥିଲେ, ସେହି କଣ୍ଠ ସବୁଦିନ ପାଇଁ ନୀରବ ହୋଇଯାଇଥିଲା।

୧୯୯୦ ନଭେମ୍ବର ୨୫ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ଜନ୍ମ ହୋଇଥିଲେ ହ୍ୟୁମାନ୍‌। ତାଙ୍କ ପରିବାରରେ ସଙ୍ଗୀତର ଏକ ସୁନ୍ଦର ପରିବେଶ ଥିଲା। ବାପା, ମାଆ ଓ ଜେଜେବାପାଙ୍କ ସହ ସଙ୍ଗୀତର ସମ୍ପର୍କ ଥିବାରୁ ପିଲାବେଳୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ।
୨୦୧୨ ମସିହାରେ ଓଡ଼ିଶାର ଏକ ଲୋକପ୍ରିୟ ଟିଭିର ରିଆଲିଟି ସୋ’ 'ଭଏସ୍ ଅଫ୍ ଓଡ଼ିଶା'ର ଦ୍ୱିତୀୟ ସିଜିନ୍ ଜିତି ସେ ଘରେ ଘରେ ପରିଚିତ ହୋଇଥିଲେ। ଏହି ବିଜୟ ତାଙ୍କ ପାଇଁ ଓଲିଉଡ୍‌ର ରାସ୍ତା ଖୋଲିଥିଲା। ୨୦୧୫ରେ 'ଇସ୍କ ତୁ ହି ତୁ' ଚଳଚ୍ଚିତ୍ରର ଟାଇଟଲ୍ ଗୀତ ତାଙ୍କୁ ବଡ଼ ପରିଚୟ ଦେଇଥିଲା।

ତା'ପରେ ଆଉ ପଛକୁ ଫେରି ନଥିଲେ ହ୍ୟୁମାନ୍‌। ରୋମାଣ୍ଟିକ୍ ଗୀତ ହେଉ କି ବିରହର ସଙ୍ଗୀତ, ତାଙ୍କ କଣ୍ଠରେ ଥିଲା ଏକ ଭିନ୍ନ ଆକର୍ଷଣ। ୫୦ରୁ ଅଧିକ ଚଳଚ୍ଚିତ୍ରରେ ୧୫୦ରୁ ଅଧିକ ଗୀତ ଏବଂ ପ୍ରାୟ ୨୦୦ ଆଲବମ୍ ଗୀତରେ ସେ କଣ୍ଠଦାନ କରିଥିଲେ। 'ଶେହଜାଦୀ ଓ ଶେହଜାଦୀ', 'ମୁଁ ପରଦେଶୀ ଚଢ଼େଇ', 'ସୁନ ଜରା', 'ନିଶ୍ୱାସ ତୋ ବିନା ଚାଲେନା' ଭଳି ଗୀତ ଶ୍ରୋତାଙ୍କ ମନରେ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲା।

ହ୍ୟୁମାନ୍ ସାଗର କେବଳ ଜଣେ ଗାୟକ ନଥିଲେ, ସେ ଥିଲେ ଅନେକ ପ୍ରେମ କାହାଣୀର ସ୍ୱର। କାହା ପାଇଁ ତାଙ୍କ ଗୀତ ଥିଲା ପ୍ରଥମ ପ୍ରେମର ସ୍ମୃତି, ତ ଆଉ କାହା ପାଇଁ ବିଚ୍ଛେଦର ନିରବ ଯନ୍ତ୍ରଣା। କଲେଜ ଜୀବନର ସାଙ୍ଗସାଥୀ, ପ୍ରେମୀଯୁଗଳଙ୍କ ମଧୁର ମୁହୂର୍ତ୍ତ ଓ ଅସଂଖ୍ୟ ସଙ୍ଗୀତପ୍ରେମୀଙ୍କ ସ୍ମୃତି ସହ ଯୋଡ଼ି ହୋଇ ରହିଛି ତାଙ୍କ କଣ୍ଠ।

ତାଙ୍କ ମୃତ୍ୟୁ ପରେ ମଧ୍ୟ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଥିବା ଗୀତକୁ ନେଇ ଶ୍ରୋତାଙ୍କ ଭାବପ୍ରବଣ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଅନେକ ପ୍ରଶଂସକ ନିଜ କଲେଜ ଜୀବନର ସ୍ମୃତିକୁ ତାଙ୍କ ଗୀତ ସହ ଯୋଡ଼ିଥିଲେ। ସମୟ ବିତିଯିବ। ବର୍ଷ ବଦଳିଯିବ। ହେଲେ ହ୍ୟୁମାନ୍‌ଙ୍କ ସ୍ୱର କେବେ ପୁରୁଣା ହେବନି। କାରଣ ସେ ଶରୀରରେ ନାହାନ୍ତି ସତ, ହେଲେ ତାଙ୍କ ଗୀତରେ ଆଜି ମଧ୍ୟ ଜୀବନ୍ତ ହୋଇ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar