କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଧୋଇ ଦେଇଛନ୍ତି ବିଦ୍ରୋହୀ ସାଂସଦ ରଚନା ବାନାର୍ଜୀ। ମନଇଚ୍ଛା ବର୍ଷିଛନ୍ତି। କହିଛନ୍ତି; ସମସ୍ତେ କହୁଛନ୍ତି ଟିଏମ୍ସି ଲୋଗୋ ଥିଲା ବୋଲି ଆମେ ସମସ୍ତେ ଜିତିଛୁ। ମମତା ବାନାର୍ଜୀଙ୍କ ଚେହେରା ଥିଲା ବୋଲି ଜିତିଛୁ। କିନ୍ତୁ ମୋର ସେଲିବ୍ରିଟି ଷ୍ଟାଟସ୍ ନଥିଲେ କଣ ହୁଗଲିରେ ଟିଏମ୍ସି ଜିତି ପାରିଥାଆନ୍ତା ବୋଲି ରଚନା ପ୍ରଶ୍ନ କରିିଛନ୍ତି।
ଦୁଇ ଦିନ ତଳେ ରଚନା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମମତାଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ରଚନା କହିଛନ୍ତି, ଯଦି ମୋତେ ଆପଣ ବ୍ୟବହାର କରିନାହାନ୍ତି, ତାହାହେଲେ ଆହାଟ କିମ୍ବା ଫୁଟପାଥରୁ ଜଣେ ଝିଅକୁ ଉଠାଇ ଆଣି ହୁଗଲିରେ ଠିଆ କରାଇଲେନି କାହିଁକି? ରଚନାଙ୍କୁ କାହିଁକି ଠିଆ କରାଇଲେ? କାରଣ ରଚନାଙ୍କୁ ଆପଣଙ୍କ ଦରକାର ଥିଲା। ସେଲିବ୍ରିଟି ଷ୍ଟାଟସ୍ ଆପଣଙ୍କ ଦରକାର ଥିଲା। ଆଉ ମୁଁ ରଚନା ବାନାର୍ଜୀ ବୋଲି ସେଇ ସିଟ୍ ଆପଣ ଜିତିଲେ। କେବଳ ଟିଏମ୍ସି ଲୋଗୋ ନେଇ ରାମ-ଶ୍ୟାମ-ହରିକୁ ଠିଆ କରାଇଲେ ଏହି ସିଟଟା ପାଇଥାନ୍ତେ ନାହିଁ ବୋଲି ରଚନା କହିଛନ୍ତି।
ରଚନା ଆହୁରି କହିଛନ୍ତି; ଆଗରୁ ଯଦି ଜାଣିଥାନ୍ତେ ଦଳ ବିରୋଧରେ ବାଲିଚୋରି, କୋଇଲା ଚୋରି, ମାଟି ଚୋରିର ଅଭିଯୋଗ ଅଛି, ତାହାହେଲେ ହୁଏତ ତୃଣମୂଳରେ ଯୋଗ ଦେଇନଥାନ୍ତି। ଆଜି ଏହି ଅପବାଦ ଶୁଣିନଥାନ୍ତି ବୋଲି ରଚନା କହିଛନ୍ତି।
ରଚନାଙ୍କ ଅଭିଯୋଗ ନେଇ କୁଣାଲ ଘୋଷ କହିଛନ୍ତି, ଦିଦି ଏହି ସବୁ ଏଲିମେଣ୍ଟକୁ ସାଂସଦ କରିଛନ୍ତି। ତାର ମୁଣ୍ଡ ଠିକ୍ ନାହିଁ। ଏତେ ଯଦି ଦମ୍ ଅଛି, ସାଂସଦ ପଦରୁ ଇସ୍ତଫା ଦେଇ ବିଦ୍ରୋହ କରନ୍ତୁ ବୋଲି କୁଣାଲ କହିଛନ୍ତି।
ସୂଚନାରୁ ପ୍ରକାଶ, ରଚନା ବାନାର୍ଜୀ ହେଉଛନ୍ତି ଜଣେ ପରିଚିତ ଚଳଚ୍ଚିତ୍ର ଅଭିନେତ୍ରୀ। ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିଛନ୍ତି। ବଙ୍ଗଳା ଟିଭି ଚ୍ୟାନେଲରେ ସବୁଠାରୁ ପରିଚିତ ଶୋ 'ଦିଦି ନମ୍ବର ୱାନ୍'ରେ ରଚନା ବେଶ ପରିଚୟ ପାଇଥିଲେ। ତାଙ୍କର ସେହି ସେଲିବ୍ରିଟି ଷ୍ଟାଟସ୍କୁ ବ୍ୟବହାର କରିବା ପାଇଁ ମମତା ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲେ। ଯାହାଫଳରେ ସେ ବିଜେପି ସାଂସଦ ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କୁ ପରାସ୍ତ କରିଥିଲେ। ଆଉ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି ରଚନା।
ରଚନା ବାନାର୍ଜୀ ହେଉଛନ୍ତି ଚର୍ଚ୍ଚିତ ଅଭିନେତ୍ରୀ। ସେ ପୂର୍ବରୁ ତାଙ୍କ ସହ-କଳାକାର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ। ୨୦୦୪ ମସିହାରେ ଏହି ଦମ୍ପତିଙ୍କର ଛାଡ଼ପତ୍ର ହୋଇଥିଲା। ପରବର୍ତ୍ତୀ ସମୟରେ ରଚନା ପ୍ରବାଳ ବସୁଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୬ ମସିହାରେ ତାଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ। ରଚନା ବାନାର୍ଜୀଙ୍କର ଏକ ପୁଅ ଅଛି।

