ବ୍ରିଟେନ୍: ଭାଙ୍ଗିଲା ବ୍ରିଟେନ୍ରେ ହିନ୍ଦୁ ମନ୍ଦିର ସ୍ୱପ୍ନ। ସାଉଥ୍ କ୍ୟାମ୍ବ୍ରିଜ୍ସାୟାର ଡିଷ୍ଟ୍ରିକ୍ଟ କାଉନସିଲ୍ ମନ୍ଦିର ପାଇଁ ମଗାଯାଇଥିବା ଜମିକୁ ହିନ୍ଦୁ ସଂଗଠନକୁ ଦେବା ପରିବର୍ତ୍ତେ ଚର୍ଚ୍ଚ ନେତୃତ୍ୱାଧୀନ ଏକ ପ୍ରୋଜେକ୍ଟକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଜମି ୯୯୯ ବର୍ଷର ଲିଜ୍ରେ ଦିଆଯିବ। ଏହି ପ୍ରୋଜେକ୍ଟରେ ଚର୍ଚ୍ଚ ସହିତ ସ୍ଥାନୀୟ ମୁସଲମାନ ସମୁଦାୟଙ୍କ ପାଇଁ ନମାଜ ପଢିବା ଜାଗା ଓ ଗୋଟିଏ ଶିକ୍ଷା କେନ୍ଦ୍ର ତିଆରି ହେବ।
ବ୍ରିଟେନ୍ର ନର୍ଥଷ୍ଟୋ ସହରରେ ବହୁ ହିନ୍ଦୁ ବସବାସ କରୁଛନ୍ତି। ସେମାନେ ମିଶି ଗୋଟିଏ ଚାରିଟି ଗଠନ କରିଛନ୍ତି। ତା'ର ନାଁ ରଖିଛନ୍ତି 'ହିନ୍ଦୁ ସୋସାଇଟି ନର୍ଥଷ୍ଟୋ' (ଏଚ୍ସିଏନ୍)। ଏହି ସଂଗଠନ ମନ୍ଦିର, ଇଣ୍ଟରଫେଥ ଓ ୱେଲନେସ ସେଣ୍ଟର ତିଆରି କରିବା ପାଇଁ ପ୍ରସ୍ତାବ ଦେଇଥିଲା। କ୍ୟାମ୍ବ୍ରିଜ୍ସାୟା ଡିଷ୍ଟ୍ରିକ୍ଟ କାଉନସିଲ ପ୍ରସ୍ତାବ ଗୁଡ଼ିକର ଯାଞ୍ଚ କରି ଏଚ୍ଏସ୍ଏନ୍କୁ ୬୫ ପ୍ରତିଶତ ନମ୍ବର ଦେଇଥିଲା। ଯେତେବେଳେ କି ନର୍ଥଷ୍ଟୋ ଚର୍ଚ୍ଚ ନେଟୱାର୍କ(ଏନ୍ସିଏନ୍)କୁ ୮୧ ପ୍ରତିଶତ ନମ୍ବର ଦେଇଥିଲା। ଏହି ଆଧାରରେ ଜମି ଏନ୍ସିଏନ୍କୁ ଦିଆଗଲା।
ଏନ୍ସିଏନର ଯୋଜନାରେ ସ୍ଥାନୀୟ ମୁସଲମାନ ସମୁଦାୟ ପାଇଁ ଗୋଟିଏ ସ୍ଥାୟୀ ଇସଲାମିକ ପ୍ରାର୍ଥନା କକ୍ଷ ଓ ଶିକ୍ଷା କେନ୍ଦ୍ର ମଧ୍ୟ ସାମିଲ ଅଛି। ନର୍ଥଷ୍ଟୋ ମୁସଲମାନ ସମୁଦାୟ କହିଛି; ସହରେ ୨୦୦ରୁ ଅଧିକ ମୁସଲମାନ ରହୁଛନ୍ତି। ସେମାନଙ୍କୁ ପାଞ୍ଚ ଥର ନମାଜ ପଢିବା ପାଇଁ ସ୍ଥାୟୀ ଜାଗାର ଆବଶ୍ୟକତା ଅଛି।
କ୍ୟାମ୍ବ୍ରିଜ୍ସାୟା ଡିଷ୍ଟ୍ରିକ୍ଟ କାଉନସିଲର ନିଷ୍ପତ୍ତିରେ ସ୍ଥାନୀୟ ହିନ୍ଦୁ ସମୁଦାୟ ବହୁତ ନିରାଶ ହୋଇଛନ୍ତି। ଏକ୍ଟ୍ର୍ସିଏନ୍ର ଅଧ୍ୟକ୍ଷା ଅପର୍ଣ୍ଣା ନିଗମ ସାକ୍ସେନା ଏହି ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ ସଂଗଠନର ଆର୍ଥିକ ରେକର୍ଡ କମ୍ ଥିବାରୁ କମ ନମ୍ବର ଦିଆଯାଇଥିଲା। କିନ୍ତୁ ପୂର୍ବରୁ ଏନେଇ ଆମକୁ କୁହାଯାଇନଥିଲା। ଆମେ ଆଉ ଥରେ ଅପିଲ୍ କରିବା ବିଷୟରେ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି।
ନର୍ଥଷ୍ଟୋରେ ରହୁଥିବା ୧୬ ବର୍ଷୀୟା ଏୟା କହିଛନ୍ତି; ମୁଁ କେବେ ସାରା ରାତି ଚାଲୁଥିବା ମହାଶିବରାତ୍ରି ବା ହୋମଯଜ୍ଞ ଭଳି ଧାର୍ମିକ କାର୍ୟ୍ୟକ୍ରମରେ ଭାଗ ନେଇନାହିଁ। ଭାରତରେ ରହୁଥିବା ସମ୍ପର୍କୀୟମାନେ ନିଜ ପର୍ବପର୍ବାଣୀ ପୂରା ଉତ୍ସାହରେ ମନାଉଛନ୍ତି। କିନ୍ତୁ ବ୍ରିଟେନରେ ରହୁଥିବା ମୋ' ପରି ନୂଆ ପିଢ଼ି ଧୀରେ ଧୀରେ ନିଜ ସଂସ୍କୃତି ଓ ଧାର୍ମିକ ପରମ୍ପରାଠାରୁ ଦୂରେଇ ଯାଉଛନ୍ତି।
ଅନ୍ୟପଟେ କାଉନସିଲ୍ ସଦସ୍ୟା ଡଃ. ଲିସା ରେଡରପ୍ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି; ସମସ୍ତ ଆବେଦନର ମୂଲ୍ୟାଙ୍କନ ଆଗରୁଧାର୍ଯ୍ୟ କରାଯାଇଥିଲା। ପ୍ରତ୍ୟେକ ସଂଗଠନକୁ ନିଜ ପ୍ରୋଜେକ୍ଟର ଆବଶ୍ୟକତା, ଆର୍ଥିକ ପ୍ରସ୍ତୁତି ଓ ଧାର୍ମିକ ଆବଶ୍ୟକତା ଦେବା ଜରୁରୀ ଥିଲା। ସେହି ଆଧାରରେ ଶେଷ ନିଷ୍ପତ୍ତି ନିଆଯାଇଛି।
ସୂଚନାରୁ ପ୍ରକାଶ; କ୍ୟାମ୍ବ୍ରିଜ୍ସାୟାରେ ଅନେକ ଚର୍ଚ୍ଚ ଓ ମସ୍ଜିଦ୍ ରହିଛି। କିନ୍ତୁ ଗୋଟିଏ ହେଲେ ହିନ୍ଦୁ ମନ୍ଦିର ନାହିଁ। ଏଠାରେ ରହୁଥିବା ହିନ୍ଦୁଙ୍କୁ ପୂଜା ପାଇଁ ବର୍ମିଂହାମ କିମ୍ବା ଲଣ୍ଡନର ୱେମ୍ବ୍ଲି ପର୍ୟ୍ୟନ୍ତ ପ୍ରାୟ ୨ ଘଣ୍ଟା ଯାତ୍ରା କରିବାକୁ ପଡ଼ୁଥିଲା। ସ୍ଥାୟୀ ମନ୍ଦିର ନଥିବାରୁ ଗଣେଶ ଉତ୍ସବ, ମହାଶିବରାତ୍ରି ଓ ହୋମଯଜ୍ଞ ଭଳି ଧାର୍ମିକ କାର୍ୟ୍ୟକ୍ରମ ହୋଇପାରୁ ନାହିଁ।

