Dailyhunt
ମରି ମଧ୍ୟ ବଞ୍ଚିଉଠେ ଏହି ଗଛ: ଜାଣନ୍ତୁ ପ୍ରକୃତିର ଏହି 'ଅମର ଫୁଲ' ବିଷୟରେ!

ମରି ମଧ୍ୟ ବଞ୍ଚିଉଠେ ଏହି ଗଛ: ଜାଣନ୍ତୁ ପ୍ରକୃତିର ଏହି 'ଅମର ଫୁଲ' ବିଷୟରେ!

ଭୁବନେଶ୍ୱର : ଆପଣ କେବେ ଏମିତି ଏକ ଫୁଲ ଦେଖିଛନ୍ତି କି, ଯାହା ପାଣି ବିନା ବର୍ଷ ବର୍ଷ ଧରି 'ମଲା' ଭଳି ପଡ଼ିରହିଥାଏ ଏବଂ ପାଣି ପାଇବା ମାତ୍ରେ କିଛି ଘଣ୍ଟା ମଧ୍ୟରେ ପୁଣି ସବୁଜ ହୋଇ ଖେଳିଉଠେ? । ଏବେ ସୋସିଆଲ ମିଡିଆରେ ଏହି 'ଅମରତ୍ୱର ଫୁଲ' ବା 'ରୋଜ୍ ଅଫ୍ ଜେରିକୋ' ର ଭିଡିଓ ବହୁତ ଭାଇରାଲ ହେଉଛି। ଏହି ଗଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏହି ଗଛକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଶୁଖିଲା ମାଟିଆ ରଙ୍ଗର ଗୋଲା ଭଳି ଦେଖାଯାଉଥିବା ଏହି ଗଛ, ପାଣି ସଂସ୍ପର୍ଶରେ ଆସିବା ମାତ୍ରେ ନିଜର ପତ୍ରଗୁଡ଼ିକୁ ଖୋଲିଦିଏ ଏବଂ ସବୁଜ ହୋଇଯାଏ। ଏହି ଗଛଟି ମୁଖ୍ୟତଃ ମେକ୍ସିକୋ ଏବଂ ଆମେରିକାର ଚିହୁଆହୁଆ ମରୁଭୂମିର ମୂଳ ନିବାସୀ। ଏହି ଯାଦୁକରୀ ଫୁଲକୁ ଲୋକମାନେ 'ଅମର’ ବୋଲି କହୁଛନ୍ତି, କାରଣ ଏହା ମରିଯାଇ ପୁଣି ଜୀବିତ ହୋଇଉଠେ।

ଏହି ଯାଦୁକରୀ ଫୁଲର ବୈଜ୍ଞାନିକ ନାମ ହେଉଛି 'ସେଲାଗିନେଲା ଲେପିଡୋଫିଲା’ । ଏହାକୁ 'ରିଜରେକସନ ପ୍ଲାଣ୍ଟ’ (ପୁନର୍ଜନ୍ମ ପାଉଥିବା ଗଛ), 'ଡାଇନାସୋର ପ୍ଲାଣ୍ଟ’ କିମ୍ବା 'ଷ୍ଟାନ ଫ୍ଲାୱାର’ (ପଥର ଫୁଲ) ବୋଲି ମଧ୍ୟ କୁହାଯାଏ। ଏହାର ବିଶେଷତ୍ୱ ହେଉଛି ଶୁଖିଲା ସମୟରେ ଯେତେବେଳେ ପାଣିର ଅଭାବ ହୁଏ, ଏହି ଗଛ ନିଜର ଡାଳଗୁଡ଼ିକୁ ଭିତରକୁ ମୋଡ଼ି ଦିଏ ଏବଂ ଏକ ଛୋଟ ମାଟିଆ ଗୋଲାରେ ପରିଣତ ହୁଏ। ଏହି ସମୟରେ ଏହା ନିଜ ଶରୀରର ୯୫ ପ୍ରତିଶତ ପାଣି ହରାଇ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ହୋଇଯାଏ।

ସେହିପରି ପାଣି ପାଇବା ପରେ ଏହି ଗଛ ଖୁବ୍ ଶୀଘ୍ର ଆର୍ଦ୍ରତା ଶୋଷି ନିଏ। ଏହାର ପତ୍ର ଓ ଡାଳଗୁଡ଼ିକ ଚାରିଆଡ଼େ ବିଛାଇ ହୋଇଯାଏ, ସବୁଜ ହୋଇଯାଏ ଏବଂ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଆରମ୍ଭ କରିଦିଏ। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମାତ୍ର କିଛି ଘଣ୍ଟା ମଧ୍ୟରେ ପୂରା ହୋଇଯାଏ। ଏହି ଗଛରେ 'ଟ୍ରେହାଲୋଜ୍‌’ ନାମକ ଏକ ବିଶେଷ ଯୌଗିକ ପଦାର୍ଥ ଥାଏ, ଯାହା ଶୁଖିଲା ସମୟରେ ଏହାର କୋଷଗୁଡ଼ିକୁ ନଷ୍ଟ ହେବାରୁ ରକ୍ଷା କରେ। ଏହି କାରଣରୁ ଏହା ବର୍ଷ ବର୍ଷ ଧରି ବିନା ପାଣିରେ ଜୀବିତ ରହିପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar