Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଟନ ନା ଗୋମାଂସ? ଗ୍ରାହକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ମଟନ ନା ଗୋମାଂସ? ଗ୍ରାହକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଟକ: ମଟନ ବଦଳରେ ତାଙ୍କୁ ଗୋମାଂସ ପରିବେଷଣ କରାଯାଇଥିବା ସନ୍ଦେହ କରି କଟକ ଜଗତପୁର ଅଞ୍ଚଳର ଏକ ରେଷ୍ଟୁରାଣ୍ଟ ବିରୋଧରେ ଜଣେ ଗ୍ରାହକ ପୁଲିସରେ ଅଭିଯୋଗ କରିଛନ୍ତି। ଗୁରୁବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ସ୍ମୃତି ରଞ୍ଜନ ମହାନ୍ତି ପରିବାର ସହ ଜଗତପୁରର ଉକ୍ତ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ।

ସେ ସେଠାରେ ମଟନ ଅର୍ଡର କରିଥିଲେ। ତେବେ ମଟନ ତରକାରୀ ଖାଇବା ସମୟରେ ସ୍ୱାଦରେ ପାର୍ଥକ୍ୟ ଅନୁଭବ କରିବା ସହ ଏକ ଲାଲ ରଙ୍ଗର ହାଡ଼ ଦେଖିଥିଲେ। ଏହା ମଟନର ହାଡ଼ ନୁହେଁ ବୋଲି ତାଙ୍କର ସନ୍ଦେହ ହୋଇଥିଲା।

ଏନେଇ ସେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ପଚାରିବାରୁ, ବହୁ ପରିମାଣର ମଟନକୁ ଭଲ ଭାବେ ସିଝାଇବା ପାଇଁ ଭିନେଗାର ବ୍ୟବହାର କରାଯାଇଥିବାରୁ ମାଂସର ରଙ୍ଗ ସାମାନ୍ୟ ଲାଲ ହୋଇଥିବା କର୍ମଚାରୀମାନେ କହିଥିଲେ।

ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ ସ୍ମୃତି ରଞ୍ଜନ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ସେ କହିଥିଲେ, "ମୁଁ କେବଳ ଜାଣିବାକୁ ଚାହୁଁଛି, ମୁଁ ମଟନ ଖାଇଥିଲି ନା ଅନ୍ୟ କୌଣସି ମାଂସ ଖାଇଥିଲି।"

ଅଭିଯୋଗ ପାଇବା ପରେ ପୁଲିସ ଏତଲା (FIR) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ରେଷ୍ଟୁରାଣ୍ଟରୁ ମାଂସ ଜବତ କରିବା ସହ ପଶୁ ଚିକିତ୍ସକଙ୍କ ପରାମର୍ଶ ନେଇଛି। ପରେ ଜବତ ମାଂସର ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି। ଲାବ୍ ରିପୋର୍ଟ ମିଳିବା ପରେ ତଦନ୍ତ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

କଟକ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁ କହିଛନ୍ତି, "ଜଣେ ଗ୍ରାହକଙ୍କୁ ମଟନ ବଦଳରେ ଗୋମାଂସ ପରିବେଷଣ କରାଯାଇଥିବା ଅଭିଯୋଗ ମିଳିବା ପରେ ଆମେ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲୁ। ସେଠାରେ କିଛି ବଜରଙ୍ଗ ଦଳ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଆମେ ମାଂସ ଜବତ କରି ପରୀକ୍ଷା ପାଇଁ ପଠାଇଛୁ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar