MP High Court: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାର ଶୁଣାଣି କରି ନିଜର ୭ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ହ୍ରାସ କରି ୭ ବର୍ଷର ସଶ୍ରମ କାରାଦଣ୍ଡରେ ପରିଣତ କରିଛନ୍ତି ।
ଜଷ୍ଟିସ୍ ବିବେକ ଅଗ୍ରୱାଲ ଏବଂ ଜଷ୍ଟିସ୍ ଅବନେନ୍ଦ୍ର କୁମାର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ଝଗଡ଼ା ସମୟରେ ପତ୍ନୀଙ୍କ ଗୋଟେ ପଦ କଥା 'ସେ ତାଙ୍କ ସ୍ୱାମୀଙ୍କ ଭଳି ହଜାରେ ସ୍ୱାମୀ ରଖିପାରିବେ', ଏହା ଜଣେ ପୁରୁଷର ଆତ୍ମସମ୍ମାନ ଏବଂ ଗରିମା ଉପରେ ସିଧାସଳଖ ଆକ୍ରମଣ ଥିଲା ।
କୋର୍ଟ ଆଇନ ଅନୁଯାୟୀ ଏହାକୁ ‘ହଠାତ୍ ଏବଂ ଗମ୍ଭୀର ଉତ୍ତେଜନା’ ବୋଲି ଗ୍ରହଣ କରିଛନ୍ତି ।
ନଦୀ କୂଳରେ ପଥର ମାଡ଼ କରିଥିଲା ସ୍ୱାମୀ
ଏହି ଘଟଣା ଜୁଲାଇ ୨୦୨୧ ମସିହାର ଅଟେ, ଯେତେବେଳେ ଛିନ୍ଦୱାଡ଼ା ଜିଲ୍ଲାର ଚୌରଇ ବ୍ଲକର ବାସିନ୍ଦା ଅଭିଯୁକ୍ତ ଶିବା କହାର ନିଜ ପତ୍ନୀ କିରଣଙ୍କ ସହ କୁଲ ବହେରୀ ନଦୀର ଖର୍ରା ଘାଟକୁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବେଶ୍ ଯୁକ୍ତିତର୍କ ହୋଇଥିଲା । କଥା ଏତେ ବଢ଼ିଯାଇଥିଲା ଯେ କିରଣ ରାଗରେ କହିଥିଲେ, “ମୁଁ ତୁମ ଭଳି ହଜାରେ ସ୍ୱାମୀ ରଖିପାରିବି ।” ପତ୍ନୀଙ୍କ ଏହି କଥାରେ ଅତିଷ୍ଠ ହୋଇ ଶିବା ନିକଟରେ ପଡ଼ିଥିବା ଏକ ବଡ଼ ପଥର ଉଠାଇ କିରଣଙ୍କ ମୁଣ୍ଡକୁ ଛେଚି ଦେଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ କିରଣ ୭ ମାସର ଗର୍ଭବତୀ ଥିଲେ ।
କୋର୍ଟ କାହିଁକି କମାଇଲେ ଦଣ୍ଡ?
ନିମ୍ନ ଅଦାଲତ ଅଭିଯୁକ୍ତ ଶିବାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ, ଯାହା ବିରୋଧରେ ସେ ହାଇକୋର୍ଟରେ ଅପିଲ୍ କରିଥିଲେ । ହାଇକୋର୍ଟଙ୍କ ଖଣ୍ଡପୀଠ ସମସ୍ତ ପ୍ରମାଣ ଏବଂ ସାକ୍ଷ୍ୟକୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଲେ ଯେ, ଏହା ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ହତ୍ୟାକାଣ୍ଡ ନଥିଲା ।
କୋର୍ଟ ଏହା ପଛରେ ଦୁଇଟି ମୁଖ୍ୟ କାରଣ ଦର୍ଶାଇଛନ୍ତି । ପ୍ରଥମତଃ ଘଟଣା ଘଟିବା ପରେ ଅଭିଯୁକ୍ତ ସେଠାରୁ ଫରାର୍ ହୋଇନଥିଲା, ବରଂ ସେ ନିଜେ ଫୋନ କରି ନିଜ ଶ୍ୱଶୁର ଏବଂ ପୋଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଦ୍ଵିତୀୟତଃ ସେ ଘଟଣାସ୍ଥଳରୁ କୌଣସି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା ମଧ୍ୟ କରିନଥିଲା ।
ହାଇକୋର୍ଟ ନିଜ ଟିପ୍ପଣୀରେ କହିଛନ୍ତି ଯେ, ଯେତେବେଳେ ଜଣେ ପତ୍ନୀ ନିଜ ସ୍ୱାମୀକୁ କୁହନ୍ତି ଯେ ‘ସେ ତାଙ୍କ ଭଳି ୧୦୦୦ ସ୍ୱାମୀ ରଖିପାରିବେ’, ତେବେ ଏହା ସ୍ୱାମୀର ମୂଲ୍ୟହୀନତାକୁ ଦର୍ଶାଏ । ଜଣେ ମଣିଷ ହିସାବରେ ଏହା ତାର ଅସ୍ତିତ୍ୱ ଉପରେ ଆଘାତ, ଯାହାଦ୍ୱାରା ଯେକୌଣସି ବ୍ୟକ୍ତି ନିଜର ମାନସିକ ସନ୍ତୁଳନ ଏବଂ ଆତ୍ମ-ନିୟନ୍ତ୍ରଣ ହରାଇପାରେ ।
ମେଡିକାଲ ଏବଂ ଫରେନସିକ୍ ରିପୋର୍ଟକୁ ଆଧାର କରି କୋର୍ଟ ଏହାକୁ ଜାଣିଶୁଣି ହତ୍ୟା (ଧାରା ୩୦୨) ବଦଳରେ ବିନା କୌଣସି ପୂର୍ବ ଉଦ୍ଦେଶ୍ୟରେ ହୋଇଥିବା ଅପରାଧ ବୋଲି ମାନିଛନ୍ତି (IPC ର ଧାରା ୩୦୪ ପାର୍ଟ-୨) । ଏହାପରେ ଅଦାଲତ ଶିବାର ଆଜୀବନ କାରାଦଣ୍ଡକୁ ହ୍ରାସ କରି ୭ ବର୍ଷର ଜେଲ୍ ଏବଂ ୧,୦୦୦ ଟଙ୍କା ଜରିମାନା ସଜା ଶୁଣାଇଛନ୍ତି ।

