Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାକିସ୍ତାନର ଏୟାରଷ୍ଟ୍ରାଇକ୍‌, ୪ ନାଗରିକ ମୃତ

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌, ୪ ନାଗରିକ ମୃତ

କାବୁଲ: ପୁଣି ତୀବ୍ର ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ବିବାଦ। ଗୁରୁବାର ଭୋର ସମୟରେ ଆଫଗାନିସ୍ତାନର କାନ୍ଧାର, ଖୋଷ୍ଟ ଓ ପକ୍ତିଆ ପ୍ରଦେଶରେ ପାକିସ୍ତାନୀ ଯୁଦ୍ଧବିମାନ ଆକାଶମାର୍ଗରୁ ଆକ୍ରମଣ କରିଥିବା ନେଇ ଇସ୍ଲାମାବାଦ ଦାବି କରିଛି। ଏହି ଆକ୍ରମଣରେ ୧୦ଟି ସ୍ଥାନକୁ ଟାର୍ଗେଟ କରାଯାଇଛି। ଅନ୍ୟପଟେ ଆଫଗାନ ତାଲିବାନ ସରକାର କହିଛି, ଏହି ଆକ୍ରମଣରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ଆଫଗାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ପାକିସ୍ତାନର ଏହି ସାମରିକ କାର୍ଯ୍ୟନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଆଫଗାନିସ୍ତାନ ଏହାର ଉଚିତ ଜବାବ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ପାକିସ୍ତାନ କଣ ପାଇଁ କଲା ଏୟାରଷ୍ଟ୍ରାଇକ? ଇସ୍ଲାମାବାଦର କହିବା ଅନୁସାରେ ଦିନକ ତଳେ ଆଫଗାନ ତାଲିବାନୀ ପାକିସ୍ତାନର ସୀମା ସୁରକ୍ଷା ପ୍ରତିଷ୍ଠାନ ଉପରେ ଡ୍ରୋନରେ ଆକ୍ରମଣ କରିଥିଲା। ଏହାଛଡ଼ା ପାକିସ୍ତାନୀ ବର୍ଡର ପୋଷ୍ଟ ଉପରେ ମୋର୍ଟାର ଓ ଗୁଳିମାଡ଼ କରିଥିଲେ ଆଫଗାନ ଯବାନ। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ପାକିସ୍ତାନ କହିଛି। ଏହାର ଜବାବରେ ଆକ୍ରମଣ କରାଯାଇଥିବା ପାକିସ୍ତାନ କହିଛି।

ଗତ କିଛି ଦିନ ମଧ୍ୟରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ବଡ଼ ଆକ୍ରମଣ। ଆକାଶ ମାର୍ଗରୁ ଆଫଗାନିସ୍ତାନକୁ ଆକ୍ରମଣ କରାଯାଇଥିଲା। ସୋମବାର ମଧ୍ୟ ପୂର୍ବ ଆଫଗାନିସ୍ତାନରେ ପାକିସ୍ତାନୀ ବିମାନ ଆକ୍ରମଣ କରିଥିଲା। ସେତେବେଳେ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଥିବା ପାକିସ୍ତାନ ଦାବି କରିଥିଲା।

ହେଲେ ଆଫଗାନ ଅଧିକାରୀଙ୍କ ଅନୁସାରେ, ସେହି ଆକ୍ରମଣରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ସୀମା ବିବାଦ ଓ ସୁରକ୍ଷା ସମସ୍ୟାର ସମାଧାନ ବୋମା କିମ୍ବା ମିସାଇଲ୍ ମାଧ୍ୟମରେ ନୁହେଁ, ବରଂ ଆଲୋଚନା ଓ କୂଟନୈତିକ ଉପାୟରେ ହେବା ଆବଶ୍ୟକ। ପୂର୍ବତନ ଆଫଗାନ ରାଷ୍ଟ୍ରପତି ହାମିଦ କରଜାଇ ମଧ୍ୟ ପାକିସ୍ତାନକୁ ଭଲ ପଡ଼ୋଶୀ ଭାବେ ସମ୍ପର୍କ ରଖିବା ଏବଂ ଦୁଇ ଦେଶର ସମ୍ପର୍କକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଗକୁ ବଢ଼ାଇବାକୁ ଅପିଲ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar