Dailyhunt
ପ୍ରବଳ ବର୍ଷିଲା, ସବୁ ଧୋଇଦେଲା, ରାତିସାରା ଟ୍ଵିନ ସିଟିରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଭାଙ୍ଗିଲା ଗଛ, ବିଦ୍ୟୁତ ଖୁଣ୍ଟ

ପ୍ରବଳ ବର୍ଷିଲା, ସବୁ ଧୋଇଦେଲା, ରାତିସାରା ଟ୍ଵିନ ସିଟିରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଭାଙ୍ଗିଲା ଗଛ, ବିଦ୍ୟୁତ ଖୁଣ୍ଟ

ଭୁବନେଶ୍ଵର: ରାତିସାରା ଟ୍ଵିନସିଟିରେ କାଳବୈଶାଖୀର ତାଣ୍ଡବ । ଟ୍ଵିନସିଟି ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଭୟଙ୍କର ରୂପ ଧାରଣ କରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ପବନ, ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।

ନୀଳାଦ୍ରି ବିହାର ସୋମନାଥ ବସ୍ତିରେ ବଜ୍ରପାତ ଘଟି ଗୋଟିଏ ଘର ଛପର ଉଡିଯାଇଥିଲା।

ଏହି ଘଟଣାରେ ଗୋଟିଏ ପରିବାରର ତିନିଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ପୁରୁଣା ଷ୍ଟେସନ ବଜାର ଦୁର୍ଗା ପୂଜା ମଣ୍ଡପ ସାମ୍ନାରେ ଏକ ବିଶାଳ ଲୁହା ହୋର୍ଡିଂ ଷ୍ଟ୍ରକଚର ଭାଙ୍ଗି ପଡ଼ିଥିଲା। ଏହାର ତଳେ ଗୋଟିଏ କାର ଓ ଦୁଇଟି ବାଇକ୍ ଚାପିହୋଇଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ କେହି ଆହତ ହୋଇନଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ଏହିପରି ଘଟଣା କଟକର ସତୀଚଉରା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ଦୋକାନ ଘର ଉପରେ ଥିବା ହୋର୍ଡିଂ ପବନରେ ଭୁଶୁଡ଼ି ପଡ଼ିଥିଲା। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ମଧ୍ୟ ଭୟଙ୍କର ପବନ ବର୍ଷା ସହ ଗଛ ଉପୁଡ଼ି ପଡ଼ିଥିବା ବେଳେ ସୁବର୍ଣ୍ଣପୁରରେ କୁଆପଥର ବର୍ଷା ହୋଇଥିବା ଖବର ମିଳିଛି।

ଏହା ସହିତ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ଏକ ବଡ଼ ବରଗଛ ଘର ଉପରେ ପଡ଼ିଯାଇଥିଲା । ତେବେ ସୌଭାଗ୍ୟ ବସତଃ ଘର ଭିତରେ ଥିବା ୧୦ ଜଣ ସଦସ୍ୟ ସୁରକ୍ଷିତ ରହିଥିବା ସୂଚନା ମିଳିଛି। ଏହି ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ବିଘ୍ନ ଘଟିଛି।

ସେପଟେ ପାଣିପାଗ ବିଭାଗ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ଝଡ ବର୍ଷା ଜାରି ରହିବା ନେଇ ସତର୍କତା ଜାରି କରିଛି। ମେ ୭ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ଗଜପତି, ରାୟଗଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ଅନ୍ୟାନ୍ୟ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ମତ୍ସ୍ୟଜୀବୀମାନଙ୍କୁ ମେ ୪ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି, କାରଣ ସମୁଦ୍ରରେ ପବନର ବେଗ ବଢ଼ିବା ସହ ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar