Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO କିଏ, ଆଜି ହେବ ବଡ଼ ନିଷ୍ପତ୍ତି, ୩ଟି ନାଁ ଉପରେ ବାଜିଲା ମୋହର!

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO କିଏ, ଆଜି ହେବ ବଡ଼ ନିଷ୍ପତ୍ତି, ୩ଟି ନାଁ ଉପରେ ବାଜିଲା ମୋହର!

ଯୋଧ୍ୟା: ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅର୍ଥାତ୍ ଆଜି ସେପ୍ଟେମ୍ବର ୨ ତାରିଖ ଦ୍ୱିପ୍ରହର ୨ଟାରୁ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ମଣିରାମଦାସ ଛାଉଣିରେ ଏହି ବୈଠକ ବସିଛି।

ବୈଠକରେ ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEOଙ୍କ ଚୟନ ସବୁଠାରୁ ବଡ଼ ପ୍ରସଙ୍ଗ ରହିଛି।

ଏହା ସହ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ଓ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ଆଜିର ବୈଠକରେ ଶ୍ରୀରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEOଙ୍କ ନାମ ଉପରେ ଅନ୍ତିମ ନିଷ୍ପତ୍ତି ଆସିପାରେ। CEO ଚୟନ ପାଇଁ ଗଠିତ କମିଟି ଦେଇଥିବା ରିପୋର୍ଟ ଉପରେ ଟ୍ରଷ୍ଟ ସଦସ୍ୟମାନେ ବିଚାର କରିବେ।

ବୈଠକରେ VHPର ସଂଗଠନ ସଚିବ ବଜରଙ୍ଗ ଲାଲ ବାଙ୍ଗଡା, VHP ପରିଚାଳନା କମିଟି ସଦସ୍ୟ ଦିନେଶ ଚନ୍ଦ୍ର, ଧାର୍ମିକ କମିଟି ସଦସ୍ୟ ରାଜକୁମାର ଦାସ ଏବଂ ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କ ସମେତ ନୃତ୍ୟଗୋପାଳ ଦାସ ଓ ଦିନେନ୍ଦ୍ର ଦାସ ଉପସ୍ଥିତ ଅଛନ୍ତି। ବାସୁଦେବାନନ୍ଦ ସରସ୍ୱତୀ, ପରମାନନ୍ଦ ଗିରି ଓ ବିଶ୍ୱପ୍ରସନ୍ନ ତୀର୍ଥ ଅନଲାଇନ୍‌ ମାଧ୍ୟମରେ ବୈଠକରେ ସାମିଲ ହୋଇଛନ୍ତି।

କେଉଁ ପ୍ରସଙ୍ଗ ଉପରେ ଆଲୋଚନା: ବୈଠକରେ ପୂର୍ବ ବୈଠକର କାର୍ଯ୍ୟବିବରଣୀକୁ ଅନୁମୋଦନ କରିବା ସହ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ଉପରେ ଆଲୋଚନା ହେବ।

ଏହା ସହ ଟ୍ରଷ୍ଟରେ ଆଉ ୩ ଜଣ ସଦସ୍ୟଙ୍କୁ ସାମିଲ କରିବା ଏବଂ ଟ୍ରଷ୍ଟର ନିୟମାବଳୀରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହେବ।

୨୦୨୫-୨୬ ଆର୍ଥିକ ବର୍ଷର ଅଡିଟ୍ ହୋଇଥିବା ଆୟ-ବ୍ୟୟ ହିସାବ ଏବଂ ତୁଳନପତ୍ରକୁ ଅନୁମୋଦନ କରିବା ମଧ୍ୟ ଏଜେଣ୍ଡାରେ ରହିଛି। ସେହିପରି SIT ଏବଂ ସୁପ୍ରିମକୋର୍ଟରେ ବିଚାରାଧୀନ PILର ଅଦ୍ୟତନ ସ୍ଥିତି ଉପରେ ମଧ୍ୟ ଆଲୋଚନା ହେବ।

ଟ୍ରଷ୍ଟ ଡିଡ୍ ଏବଂ ଟ୍ରଷ୍ଟ ନିୟମାବଳୀରେ ସଂଶୋଧନ, ଧାର୍ମିକ, ଆର୍ଥିକ, ପରିଚାଳନା ଓ ନିର୍ମାଣ କମିଟିର ନିଷ୍ପତ୍ତିଗୁଡ଼ିକର ଉପସ୍ଥାପନା ଓ ଅନୁମୋଦନ ମଧ୍ୟ ବୈଠକରେ କରାଯିବ।

ଏହା ବ୍ୟତୀତ ରାମ ମନ୍ଦିର ପାଇଁ ସ୍ଥାନୀୟ ସୁରକ୍ଷା ସମନ୍ୱୟ କମିଟି ଗଠନ ଏବଂ ଟ୍ରଷ୍ଟର ପ୍ରେସ୍ ପ୍ରବକ୍ତା ଚୟନ ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନାକୁ ଆସିବ।

CEO ପଦ ପାଇଁ କାହା ନାଁ ଚର୍ଚ୍ଚାରେ: ବୈଠକ ପୂର୍ବରୁ ଧାର୍ମିକ କମିଟି ସଦସ୍ୟ ରାଜକୁମାର ଦାସ CEO ପଦ ପାଇଁ ଚର୍ଚ୍ଚାରେ ଥିବା ନାମ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଅନୁସାରେ, ଯୋଗେଶ୍ୱର ରାମ ମିଶ୍ର ଓ ରାଜେଶ ପାଣ୍ଡେୟଙ୍କ ସମେତ ବିହାର ସହ ଜଡ଼ିତ ଥିବା ଜଣେ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ତେବେ ମୋଟ ୬ ଜଣଙ୍କ ନାମ ତାଲିକାରେ ରହିଥିବା ସେ କହିଛନ୍ତି। ଲିଷ୍ଟ-A ଓ ଲିଷ୍ଟ-Bରେ ଥିବା ନାମ ମଧ୍ୟରୁ କାହାକୁ ଚୟନ କରାଯିବ, ତାହା ବୈଠକ ପରେ ହିଁ ସ୍ପଷ୍ଟ ହେବ।

କ'ଣ କହିଲେ ରାଜକୁମାର ଦାସ: ରାମ ମନ୍ଦିରରେ ଦାନ ଘୋଟାଲା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ରାଜକୁମାର ଦାସ କହିଛନ୍ତି ଯେ, ଏହି ମାମଲାରେ ଯେଉଁମାନେ ଦୋଷୀ, ସେମାନେ ଜେଲରେ ଅଛନ୍ତି। ଅନ୍ୟ ମାମଲାରେ ତଦନ୍ତ ଜାରି ରହିଛି। ଟ୍ରଷ୍ଟର ମୁଖ୍ୟ ଅଧିକାରୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନେଇଥିବା ସେ କହିଛନ୍ତି।

CEO ନିଯୁକ୍ତିକୁ ନେଇ ସପା-ବିଜେପିର ପ୍ରତିକ୍ରିୟା: ଏହି ବୈଠକ ପୂର୍ବରୁ ଏହାକୁ ନେଇ ରାଜନୈତିକ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଫୈଜାବାଦର ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ କହିଛନ୍ତି, "ବିଜେପି ସରକାର ଅଯୋଧ୍ୟାରୁ ହିଁ ଗଠିତ ହୋଇଥିଲା ଏବଂ ଅଯୋଧ୍ୟାରୁ ହିଁ ଏହାର ସଫା ହେବ।"

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ବିଜେପି ସଭାପତି ପଙ୍କଜ ଚୌଧୁରୀ କହିଛନ୍ତି ଯେ, ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ CEO ନିଯୁକ୍ତି କରାଯିବା ଏକ ଭଲ ପଦକ୍ଷେପ।

ମନ୍ଦିରକୁ ନେଇ ପୂର୍ବରୁ ଯେଉଁ ବିବାଦ ହୋଇଥିଲା, ସେଥିରେ ସରକାର କଠୋର ପଦକ୍ଷେପ ନେଇଛି ଏବଂ SIT ଗଠନ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନୂଆ CEO ଦାୟିତ୍ୱ ନେବା ପରେ ପୂର୍ବରୁ ହୋଇଥିବା ଭୁଲ୍‌ଗୁଡ଼ିକ ଯେପରି ଆଗକୁ ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar