ଭୁବନେଶ୍ଵର: ଓଡ଼ିଶାରେ ମାସେ ପୂର୍ବରୁ ମୌସୁମୀ ବର୍ଷାର କୋଟା ପୂରଣ ହୋଇଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବାର ଥିଲା, ତାହା ଅଗଷ୍ଟ ଶେଷ ସୁଦ୍ଧା ହିଁ ପୂରଣ ହୋଇଯାଇଛି। ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ମୋଟ ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା ରେକର୍ଡ ହୋଇଛି, ଯାହା ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟର ସ୍ୱାଭାବିକ ବର୍ଷା ୧୧୫୦.୨ ମିଲିମିଟର ଠାରୁ ମଧ୍ୟ ଅଧିକ ଅଟେ।
ଚଳିତବର୍ଷ ଜୁନ୍ ମାସରେ ରାଜ୍ୟରେ ୪୭ ପ୍ରତିଶତ ବର୍ଷା ନିଅଣ୍ଟିଆ ରହିଥିଲା, କିନ୍ତୁ ପରବର୍ତ୍ତୀ ଦୁଇ ମାସରେ ଲଗାଣ ବର୍ଷା ଯୋଗୁଁ ଏହି ନିଅଣ୍ଟିଆ ସ୍ଥିତି ଭରଣା ହୋଇଯାଇଛି। କେବଳ ସେତିକି ନୁହେଁ, ଅଗଷ୍ଟରେ ମୋଟ ୬ଟି ଲଘୁଚାପ ଏବଂ ସେଥିମଧ୍ୟରୁ ୨ଟି ଅବପାତ ସୃଷ୍ଟି ହେବାରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ସେପ୍ଟେମ୍ବରରେ ପାଗ ଏବଂ ବର୍ଷା ସ୍ଥିତି:
ଉତ୍ତର ଓଡ଼ିଶା: ସେପ୍ଟେମ୍ବର ମାସରେ ଉତ୍ତର ଓଡ଼ିଶାରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ ଓଡ଼ିଶା: ଏହି ଅଞ୍ଚଳରେ ଅପେକ୍ଷାକୃତ କମ୍ ବର୍ଷା ହୋଇପାରେ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଲଘୁଚାପ ପ୍ରଭାବ: ସେପ୍ଟେମ୍ବର ମାସରେ ମଧ୍ୟ ଓଡ଼ିଶାରେ ଲଘୁଚାପଜନିତ ବର୍ଷାର ପ୍ରଭାବ ଜାରି ରହିବ, ଯଦିଓ କେତୋଟି ଲଘୁଚାପ ସୃଷ୍ଟି ହେବ ତାହା ଆକଳନ କରିବା ସହଜ ନୁହେଁ।
ଜାତୀୟ ସ୍ତରରେ ସ୍ଥିତି: ସାରା ଦେଶରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଚଳିତ ବର୍ଷ ସ୍ବାଭାବିକଠାରୁ ୨୫% ଅଧିକ ବର୍ଷା ହୋଇସାରିଛି ।
ସେପ୍ଟେମ୍ବରରେ ମଧ୍ୟ ରାଜ୍ୟବାସୀଙ୍କୁ ବର୍ଷାରୁ ସମ୍ପୂର୍ଣ୍ଣ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ ରହିଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ଆକଳନ କରାଯାଇଥିବା ବେଳେ ପୂର୍ବ ଭାରତରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

