Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶତକ ମାରି ପଡ଼ିଆରେ କାନ୍ଦିଲେ ଅଭିଷେକ! ଲୁହରେ ଭିଜିଲା କ୍ରିକେଟ୍ ମୈଦାନ

ଶତକ ମାରି ପଡ଼ିଆରେ କାନ୍ଦିଲେ ଅଭିଷେକ! ଲୁହରେ ଭିଜିଲା କ୍ରିକେଟ୍ ମୈଦାନ

କୋଲକାତା: କ୍ରିକେଟ୍ ପଡ଼ିଆରେ ଶତକ ମାରି କାନ୍ଦିଲେ ୨୩ ବର୍ଷୀୟ ବେଙ୍ଗଲ ୱିକେଟ୍‌କିପର ବ୍ୟାଟର୍ ଅଭିଷେକ ପୋରେଲ। ଖୁସିର ମାହୋଲ ଭିତରେ ଦୁଇ ଆଖିରୁ ଝରିଲା ଲୁହ। ଆଉ ମ୍ୟାଚ୍ ପରେ ବଖାଣିଥିଲେ ଦୀର୍ଘ ଦିନର ମାନସିକ ଚାପ ଓ ବ୍ୟକ୍ତିଗତ ଜୀବନରେ ଉଠିଥିବା ଝଡ଼ ସମ୍ପର୍କରେ।

କଲ୍ୟାଣୀରେ ଦିଲ୍ଲୀ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଏହି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆଇପିଏଲ୍ ୨୦୨୬ ପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ପୋରେଲ ସୁଯୋଗର ସଦୁପଯୋଗ କରି ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି।

ରିପୋର୍ଟ ଅନୁସାରେ, ସେ ୧୧୪ ରନ୍ କରି ଅପରାଜିତ ଥିବାବେଳେ ସୁଦୀପ ଘରାମୀ ମଧ୍ୟ ୧୨୨ ରନ୍ କରି କ୍ରିଜ୍‌ରେ ରହିଛନ୍ତି। ଏହି ଦୁଇ ବ୍ୟାଟର୍‌ଙ୍କ ଶତକୀୟ ଇନିଂସ ବଳରେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୩୦୪ ରନ୍ କରିଛି। ଦିଲ୍ଲୀଠାରୁ ୬୪ ରନ୍‌ର ଅଗ୍ରଣୀ ହାସଲ କରିଛି। ଏହା ପୂର୍ବରୁ ମହମ୍ମଦ ସାମିଙ୍କ ଦମ୍‌ଦାର ବୋଲିଂ ଯୋଗୁଁ ଦିଲ୍ଲୀ ପ୍ରଥମ ଇନିଂସରେ ୨୪୦ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ସାମି ୪ଟି ୱିକେଟ୍ ନେଇଥିଲେ।

ପୋରେଲ୍‌ଙ୍କ ପାଇଁ ଗତ କିଛି ବର୍ଷ ସହଜ ନଥିଲା। ତାଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ଧରି ରଣଜୀ ଟ୍ରଫିରେ ସେ ନିଜ ଆଶା ଅନୁଯାୟୀ ଇନିଂସ ଖେଳି ପାରୁନଥିଲେ। ଏହି ସମୟରେ ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣା ଓ ଆଘାତ ତାଙ୍କ ରାସ୍ତାରେ ବାଧା ସୃଷ୍ଟି କରିଥିଲା।

ଶତକ ପରେ ସେ କହିଥିଲେ; ମୁହଁରେ ଅଧିକ କିଛି କହିବାକୁ ଚାହାନ୍ତି ନାହିଁ। ନିଜ ବ୍ୟାଟ୍ ମାଧ୍ୟମରେ ଜବାବ ଦେବାକୁ ଚାହୁଁଛି। ଏହି କଠିନ ସମୟରେ ବେଙ୍ଗଲ ଦଳର କୋଚ୍ ଲକ୍ଷ୍ମୀ ରତନ ଶୁକ୍ଳା ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହଯୋଗକୁ ମଧ୍ୟ ସେ ମନେ ପକାଇଛନ୍ତି। ଅଭ୍ୟାସ ନଥିବା ଦିନରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବା ଏବଂ ଦଳର ସହଯୋଗ ମୋତେ ଏଠାରେ ପହଞ୍ଚାଇଛି ବୋଲି ସେ କହିଛନ୍ତି।

ତେବେ ପୋରେଲ୍‌ଙ୍କ କ୍ରିକେଟ୍‌କୁ ଫେରିବା ପଛରେ ଏକ ଗୁରୁତର ଆଇନଗତ ବିବାଦ ମଧ୍ୟ ରହିଛି। ଅଗଷ୍ଟରେ କର୍ଣ୍ଣାଟକର ଜଣେ ମେଡିକାଲ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଛାତ୍ରୀ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଏବଂ ଧମକ ଦେବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ।

ସେପ୍ଟେମ୍ବରରେ ହୁଗଳିର ଏକ ଅଦାଲତରୁ ତାଙ୍କୁ ଜାମିନ ମିଳିଥିଲା। ଜାମିନ ପାଇବା ପରେ ବଙ୍ଗଳା କ୍ରିକେଟ୍ ସଂଘ ତାଙ୍କୁ ଦଳରେ ସାମିଲ କରିଥିଲା। ଏହି ମାମଲାର ଅଭିଯୋଗ ଗୁଡ଼ିକ ଆଇନଗତ ବିଚାରାଧୀନ ବିଷୟ; ଜାମିନ ମିଳିବା ଦୋଷୀ ସାବ୍ୟସ୍ତ ହେବା କିମ୍ବା ନିର୍ଦ୍ଦୋଷ ପ୍ରମାଣିତ ହେବା ସହ ସମାନ ନୁହେଁ।

ମ୍ୟାଚ୍ ପରେ ନିଜ ଅନୁଭୂତି ବଖାଣିବା ବେଳେ ପୋରେଲ୍ କହିଥିଲେ; ଜୀବନର କଠିନ ଅନୁଭୂତି ମୋତେ ମାନସିକ ଭାବେ ଅଧିକ ଦୃଢ଼ କରିଛି। ମୋ' ଆଖିର ଲୁହ ଏହି ଶତକ ସହ ଜଡ଼ିତ ଭାବନାକୁ ପ୍ରକାଶ କରୁଛି। ଆଉ ବ୍ୟାଟ୍‌ରୁ ବାହାରିଥିବା ରନ୍ ବେଙ୍ଗଲ ଦଳକୁ ମ୍ୟାଚ୍‌ରେ ଆଗକୁ ନେବାରେ ସହାୟକ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar