କୋଲକାତା: ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ବାଂଲାଦେଶୀଙ୍କୁ ଚିହ୍ନଟ କର, ହଟାଅ ଓ ବିଦାକର ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍ୟପକ୍ଷରେ ବାଂଲାଦେଶୀମାନେ ପ୍ରଶାସନ ହାତରେ ଧରା ପଡ଼ିବା ପୂର୍ବରୁ ପରିବାର ସହ ପଳାଇ ଯାଉଥିବା ଦେଖିବାକୁ ମିଳିଛି।
ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ରଖିବା ପାଇଁ ଡିଟେକ୍ସନ୍ ସେଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁସାରେ ସେଣ୍ଟର ଗୁଡ଼ିକ ଖୋଲିବା ପାଇଁ କୁହାଯାଇଛି। ସେଠାରେ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଏକଥା ସାମ୍ନାକୁ ଆସିବା ପରେ ଅବୈଧ ଭାବେ ପଶ୍ଚିମବଙ୍ଗରେ ରହୁଥିବା ବାଂଲାଦେଶୀମାନେ ସୀମା ଅତିକ୍ରମ କରି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ସୀମାରେ ପ୍ରବଳ ଭିଡ଼ ଜମୁଛି।
ଅନୁପ୍ରବେଶକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜର ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଥିଲେ। ଭାରତ ଓ ବାଂଲାଦେଶ ସୀମାରେ ତାର ବାଡ଼ ଲଗାଇବା ପାଇଁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ଜମି ଆବଣ୍ଟିତ କରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ନାଗରିକତା ସଂଶୋଧନ ଅଧିନିୟମର ପରିସରରେ ଆସୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି। ଆମ ନୀତି ହେଉଛି; ଚିହ୍ନଟ କର, ହଟାଅ ଓ ବାହାର କର…। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଲେ ଯେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଅନୁପ୍ରବେଶ ପ୍ରାୟ ଶେଷ ହୋଇଯାଇଛି। ବର୍ତ୍ତମାନ ସେହି ନୀତି ନିୟମରେ କାମ ଚାଲିଛି।
ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନେଇଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ନିର୍ବାଚନ ପୂର୍ବରୁ ଅନୁପ୍ରବେଶ ପ୍ରସଙ୍ଗକୁ ନେଇ ଆରଏସ୍ଏସ୍ ଲୋକଙ୍କ ପାଖକୁ ଯାଇଥିଲା। ଆର୍ଏସ୍ଏସ୍ ସହ ଜଡ଼ିତ ସଂସ୍ଥା ବିଦ୍ୟା ଭାରତୀର ମୁଖ୍ୟ ରବି ରଞ୍ଜନ ସେନ କହିଛନ୍ତି, ପଶ୍ଚିମବଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆସାମ ଆନ୍ଦୋଳନ ସମୟରୁ ଅବୈଧ ଅନୁପ୍ରବେଶକୁ ଏକ ଜାତୀୟ ପ୍ରସଙ୍ଗ କରିଦେଇଥିଲା। କିନ୍ତୁ ସେହି ସମୟରେ ସଂଘର ପ୍ରଭାବ ରାଜ୍ୟରେ ସୀମିତ ଥିଲା। ଏବେ ପ୍ରତି ଗାଁରେ ସଂଘ ପହଞ୍ଚିଛି। ଲୋକଙ୍କ ମନରେ ଦେଶାତ୍ମକ ଭାବ ସୃଷ୍ଟି କରିପାରିଛି।

