Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ୱିନ ସିଟି ଲୋକେ ସାବଧାନ, ରାତି ଅଧିଆ ଚାଲୁଛି ପୋଲିସର କଡା ଚେକିଂ

ଟ୍ୱିନ ସିଟି ଲୋକେ ସାବଧାନ, ରାତି ଅଧିଆ ଚାଲୁଛି ପୋଲିସର କଡା ଚେକିଂ

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଜୋରଦାର ଯାଞ୍ଚ ଅଭିଯାନ କରାଯାଇଥିଲା। ପରିବହନ ଓ ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ରାତିରେ ଅସାମାଜିକ କାର୍ଯ୍ୟକଳାପ ଓ ସଡ଼କ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ରାଜଧାନୀର ପ୍ରାୟ ୩୦ଟି ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା।

ଏହି ଅଭିଯାନରେ ୨୦୦ରୁ ଅଧିକ ନବନିଯୁକ୍ତ ସବ୍‌-ଇନ୍ସପେକ୍ଟର (SI)ଙ୍କୁ ମୁତୟନ କରାଯାଇଥିଲା।

ଭୁବନେଶ୍ୱର ଅର୍ବାନ୍ ପୁଲିସ ଡିଷ୍ଟ୍ରିକ୍ଟ (UPD) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ମୋଟ ୧୩୧ଟି ମାମଲା ରୁଜୁ ହୋଇଛି। ଏଥିସହ ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୩୧ଟି ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ୪୯ଟି ଚାରିଚକିଆ, ୮ଟି ତିନିଚକିଆ ଏବଂ ୭୪ଟି ଦୁଇଚକିଆ ଗାଡ଼ି ରହିଛି।

ଏହାଛଡ଼ା ଚନ୍ଦ୍ରଶେଖରପୁର ପୁଲିସ ବାଲି ବୋଝେଇ କରି ଯାଉଥିବା ଦୁଇଟି ହାଇୱା ଜବତ କରିଛି। ସେହିପରି ମଞ୍ଚେଶ୍ୱର ପୁଲିସ ଦୁଇଟି ଅବକାରୀ ମାମଲାରେ ଦୁଇଟି କାର୍‌ ଏବଂ ମୋଡିଫାଏଡ୍ ସାଇଲେନ୍ସର ଲଗାଇଥିବା ଅଭିଯୋଗରେ ଦୁଇଟି ବାଇକ୍ ଜବତ କରିଛି। ଏହି ଚାରିଟି ଗାଡ଼ି ଜବତ କରିବା ସହ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ, ଖଣ୍ଡଗିରି ପୁଲିସ ଫୁଟ୍ ପାଟ୍ରୋଲିଂ ସମୟରେ ନିର୍ଜନ ସ୍ଥାନରେ ଖୋଲାଖୋଲି ମଦ ପିଉଥିବା ୩ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗତକାଲି ରାତିର ଏହି ଯାଞ୍ଚ ଅଭିଯାନରେ ମୋଟ ୮୩,୫୦୦ ଟଙ୍କାର ମୋଟର ଭେହିକିଲ୍ (MV) ଫାଇନ୍ ଏବଂ ଖୋଲାରେ ମଦ୍ୟପାନ ଭଳି ଅନ୍ୟାନ୍ୟ ଉଲ୍ଲଂଘନ ପାଇଁ OUP ଫାଇନ୍ ଆଦାୟ କରାଯାଇଛି।

କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ନାକାବନ୍ଦୀ ଓ ଯାଞ୍ଚ ଅଭିଯାନ ଜାରି ରହିବ। ତେଣୁ ସମସ୍ତେ ଟ୍ରାଫିକ୍ ଓ ଅନ୍ୟାନ୍ୟ ନିୟମ ପାଳନ କରିବା ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପୁଲିସ ପରାମର୍ଶ ଦେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Bhaskar