Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଲାଙ୍ଗୀର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବ୍ୟାପକ କ୍ଷୟକ୍ଷତି ସହ ବିପର୍ଯ୍ୟସ୍ତ ଜନଜୀବନ

ବଲାଙ୍ଗୀର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବ୍ୟାପକ କ୍ଷୟକ୍ଷତି ସହ ବିପର୍ଯ୍ୟସ୍ତ ଜନଜୀବନ

Odisha.news 2 weeks ago

ଲାଙ୍ଗୀର,୨୯।୫: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଗତକାଲି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଧୂଳିଝଡ଼ ସହ ପ୍ରବଳ ବେଗରେ ପବନ, ଗର୍ଜନ-ତର୍ଜନ ଓ ବଜ୍ରପାତ ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମୁରିବାହାଲ ବ୍ଲକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଅଧିକ ଦେଖିବାକୁ ମିଳିଛି।

ବାବେଜୁରୀ ଗାଁରେ ଅଶୋକ ନାଗଙ୍କ ଘର ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଘରର ଛପର ଓ ଆଜବେଷ୍ଟସ ସବୁ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସେହିପରି ବାଙ୍କେଲ ଗାଁର ମଝି ରାସ୍ତାରେ ଏକ ବିଶାଳ ବୁରୋକୋଳି ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏପରିକି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ମୁରିବାହାଲର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।
ଝଡ଼ ପବନ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ତାର ଛିଣ୍ଡି ଯାଇଥିବାରୁ ସମଗ୍ର ଅଞ୍ଚଳରେ ରାତି ତମାମ ବିଦ୍ୟୁତ ସେବା ବିଚ୍ଛିନ୍ନ ରହିଥିଲା। ଅନ୍ଧାର ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।
ଗତ କିଛି ଦିନ ହେବ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ତେବେ ଗତକାଲି ସନ୍ଧ୍ୟାରେ ହୋଇଥିବା ବର୍ଷା ପରେ ପରିବେଶ ଥଣ୍ଡା ହୋଇଛି ଏବଂ ଜନସାଧାରଣ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ଅନୁଭବ କରିଛନ୍ତି।
ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News